ରଥଯାତ୍ରା ପାଇଁ ପୁରୀରେ ତିନି ଦିନିଆ କର୍ଫ୍ୟୁକୁ ଦୃଷ୍ଟିରେ ରଖି ଶନିବାର ଶଟଡାଉନ୍ ଉଠାଇଲା ଜିଲ୍ଲା ପ୍ରଶାସନ
ପୁରୀ, ୯/୭ : ଚଳିତବର୍ଷ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପୁରୀ ସହରରେ ତିନିଦିନିଆ କର୍ଫ୍ୟୁ ଜାରି କରିଛି। ଜୁଲାଇ ୧୨ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଥିବାରୁ ପୂର୍ବଦିନ ରାତିରୁ ଅର୍ଥାତ୍ ଜୁଲାଇ ୧୧ ତାରିଖ ରାତି ୮ଟାରୁ ପୁରୀ ସହରରେ କର୍ଫ୍ୟୁ ଲଗାଯିବ। ସାରା ସହରରେ ୧୪୪ ଧାରା ଜାରି ହେବ। ଜନସାଧାରଣଙ୍କ ଚଳପ୍ରଚଳ ଉପରେ ରୋକ୍ ଲାଗିବ। ପ୍ରବେଶ ପଥ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯିବ। ଜୁଲାଇ ୧୨ ତାରିଖ ସାରା ଦିନ ଏହି କଟକଣା ବଳବତ୍ତର ରହିବା ପରେ ପରଦିନ ଅର୍ଥାତ୍ ଜୁଲାଇ ୧୩ ତାରିଖ ସକାଳ ୮ଟାରୁ ଏହି କଟକଣାକୁ ହଟାଇ ଦିଆଯିବ। ତଥାପି ରଥ ପହଞ୍ଚିବାକୁ ନେଇ କଟକଣା ବଢ଼ିପାରେ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି। ଅନ୍ୟପଟେ ତିନିଦିନିଆ କର୍ଫ୍ୟୁ ଜାରି ହେଉଥିବାରୁ ସପ୍ତାହାନ୍ତ ସଟ୍ଡାଉନ୍ରେ ସ୍ବତନ୍ତ୍ର ରିଲିଫ୍ କମିସନର ସାମାନ୍ୟ କୋହଳ କରିଛନ୍ତି। ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀରେ ଶନିବାର ସଟଡାଉନ୍ କୁ ଉଠାଇ ଦିଆଯାଇଛି। ଆଜି ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ଏସ୍ଆର୍ସି।
-ସମ୍ବାଦ