Indus Valley Times

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ଆନୁକୂଲ୍ୟରେ ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ

 Breaking News

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ଆନୁକୂଲ୍ୟରେ ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ଆନୁକୂଲ୍ୟରେ ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ
February 17
12:10 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୭/୨ : ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି।
ଏହାର ବିଷୟବସ୍ତୁ ଥିଲା “ ଓଡ଼ିଆ ସାହିତ୍ୟରେ ବିବିଧ ତତ୍ତ୍ୱର ପ୍ରୟୋଗ।\”ଏହି ସମାରୋହର ଉଦଘାଟନୀ ଉତ୍ସବକୁ ଅନୁଷ୍ଠାନର ମୁଖ୍ୟ କୁଳପତି ପ୍ରଫେସର ଉମା ବଲ୍ଲଭ ମହାପାତ୍ର ଉଦଘାଟନ କରିଥିଲେ।
ସଭାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣାଶୁଣା ଲେଖିକା ଗାୟତ୍ରୀ ସରାଫ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।ପ୍ରଦୀପ ପ୍ରଜ୍ବଳନ ସହ ଆବାହନୀ ସଙ୍ଗୀତ ଗାନ କରାଯାଇ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା।
କୁଳପତି ମହାପାତ୍ର ମହୋଦୟ ସମସ୍ତ ନିମନ୍ତ୍ରିତ ଅତିଥି,ବକ୍ତା ଓ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇ ଥିଲେ।ଓଡ଼ିଆ ସାହିତ୍ୟରେ ଥିବା ବର୍ଣ୍ଣାଢ୍ୟ,ରୂପ,ରସ,ଛନ୍ଦ ଏବଂ ସାମାଜିକ ପ୍ରତିବଦ୍ଧତା ଉପରେ ସେ ତାଙ୍କର ବକ୍ତବ୍ୟ ରଖିଥିଲେ ଏବଂ ଆଶା କରିଥିଲେ ଯେ ଏହି ଆଲୋଚନା ଚକ୍ରଟି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ହୋଇପାରିବ।
ସମାରୋହର ମୁଖ୍ୟ ଅତିଥି ଗାୟତ୍ରୀ ସରାଫ ମହାଶୟା ତାଙ୍କର ଅଭିଭାଷଣରେ ସାହିତ୍ୟର ସାର୍ବଜନୀନତା ଓ ତା’ର ସ୍ୱାଦ ଏବଂ ସମସାମୟିକ ଜୀବନ ଶୈଳୀର ପ୍ରଭାବ ସାମାଜିକ ଉପଯୋଗିତା ଏବଂ ମାଟି ମାଆର ଅବଦାନ ବିଷୟରେ ଆଲୋକପାତ କରିଥିଲେ।
ଉଦଘାଟନୀ ଉତ୍ସବର ଅନ୍ୟତମ ଅତିଥି ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ପାତ୍ର ତାଙ୍କ ଅଭିଭାଷଣରେ ଭାଷା,ସାହିତ୍ୟ ଓ ଦର୍ଶନ କିଭଳି ପରସ୍ପର ପରିପୂରକ ସେ ବିଷୟରେ ଆଲୋକପାତ କରିଥିଲେ।
ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ଆୟୋଗର ନିର୍ଦ୍ଦେଶକ ଏବଂ ଇଂରାଜୀ ବିଭାଗର ସହଯୋଗୀ ପ୍ରଧ୍ୟାପକ ଡ଼କ୍ଟର ପ୍ରତାପ କୁମାର ଦାଶ ତାଙ୍କ ବକ୍ତବ୍ୟରେ ଭାଷା ଓ ସାହିତ୍ୟ କିଭଳି ବିଜ୍ଞାନର ଏକ ଉତ୍କର୍ଷ ଉପଲବ୍ଧି ଅଟେ ସେ ବିଷୟରେ ଆଲୋଚନା କରିଥିଲେ।
ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ତଥା ଏହି କାର୍ଯ୍ୟକ୍ରମର ସଂଯୋଜକ ଡ଼କ୍ଟର ସୁଶାନ୍ତ କୁମାର ପଣ୍ଡା ଏହି ଅବସରରେ ଆଲୋଚନା ଚକ୍ରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ସଂଯୋଜକ ଭାବରେ ନିଜ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିଥିଲେ।ଏହି ଆଲୋଚନା ଚକ୍ର ତିନୋଟି ଅଧିବେଶନରେ ପରିଚାଳିତ ହୋଇଥିଲା।
ପ୍ରଥମ ଅଧିବେଶନ,“ ଆଧୁନିକ ଓଡ଼ିଆ କବିତାରେ ବିବିଧ ତତ୍ତ୍ଵର ପ୍ରୟୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା।”ଏହି ଅଧିବେଶନଟି ସାରଳା ପୁରସ୍କାର ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଶାର ବିଶିଷ୍ଟ କବି ଓ ସମାଲୋଚକ ଡକ୍ଟର ଶତ୍ରୁଘ୍ନ ପାଣ୍ଡବଙ୍କ ସଭାପତିତ୍ତ୍ଵରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ସଭାପତି ମହାଶୟ ସାହିତ୍ୟ,ସୃଜନ ଏବଂ ତତ୍ତ୍ଵ ଏକାଧାରରେ କିଭଳି ଭାବମାନ ସେ ଉପରେ ଆଲୋକ ପାତ କରିଥିଲେ।ଏହି ଅଧିବେଶନର ଅନ୍ୟତମ ବକ୍ତା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ଗୋପୀ ନାଥ ବାଗ ଏକବିଂଶ ଶତାବ୍ଦୀର ଓଡ଼ିଆ କବିତା ବିବିଧ ତତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ ।
ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପିକା ଡ଼ ପଲ୍ଲିଶ୍ରୀ ପଟ୍ଟନାୟକ ତତ୍ତ୍ୱ କିଭଳି ଈଶ୍ୱର କୈନ୍ଦ୍ରିକ,ମନୁଷ୍ୟ କୈନ୍ଦ୍ରିକ ଏବଂ ଉତ୍ତର ଆଧୁନିକତାରେ ଖଣ୍ଡ ବିଖଣ୍ଡିତ ପ୍ରତିରୂପ ବିଷୟରେ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ।
ଏହି ଅଧିବେଶନରେ ଡ଼ ଶତ୍ରୁଘ୍ନ ପାଣ୍ଡବଙ୍କ ରଚିତ ଦୁଇଗୋଟି ସାହିତ୍ୟ ସମାଲୋଚନାଧର୍ମୀ ପୁସ୍ତକ “ଆଧୁନିକ ଓଡ଼ିଆ କଥାସାହିତ୍ୟର ପରିଚର୍ଚ୍ଚା”, “ସୁରଭିତ ସାନ୍ନିଧ୍ୟ” ଏବଂ ତାଙ୍କର“ପାଣି ଓ ଅନ୍ୟାନ୍ୟ କବିତା”ର(ଡ଼ ପ୍ରତାପ କୁମାର ଦାଶଙ୍କ ଦ୍ୱାରା)ଇଂରାଜୀ ଅନୁବାଦିତ ପୁସ୍ତକ ଉନ୍ମୋଚିତ ହୋଇଥିଲା ।
ଆଲୋଚନା ଚକ୍ରର ଦ୍ୱିତୀୟ ଅଧିବେଶନରେ ଆଧୁନିକ ଲୋକ ସାହିତ୍ୟ ଓ କଥାସାହିତ୍ୟର ତତ୍ତ୍ଵ ଉପରେ ଆଲୋକପାତ କରାଯାଇ ଥିଲା।ଏହି ଅଧିବେଶନରେ ସଭାପତି ସୁନାମଧନ୍ୟ ସମାଲୋଚକ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ତତ୍ତ୍ଵ ଏକ ପ୍ରାକୃତିକ ଧାରା ଏବଂ ଏହା ଲୋକଧାରା,ଲୋକସଂସ୍କୃତି ଏବଂ ଲୋକକୃତି ଉପରେ ଆଧାରିତ।
ଅଧିବେଶନର ଅନ୍ୟତମ ବକ୍ତା ବିଶ୍ଵଭାରତୀ ଶାନ୍ତିନିକେତନର ସହକାରୀ ପ୍ରାଧ୍ୟାପିକା ସ୍ୱପ୍ନାରାଣୀ ସିଂ କଥାସାହିତ୍ୟର ବିବିଧ ତତ୍ତ୍ଵ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ।ଅଧିବେଶନର ଅନ୍ୟତମ ବକ୍ତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼ ଶ୍ୟାମ ଭୋଇ ଗାନ୍ଧିବାଦୀକୁ ଏକ ତତ୍ତ୍ଵ ବୋଲି ବିଚାର କରିଥିଲେ ।
ଆଲୋଚନା ଚକ୍ରର ତୃତୀୟ ଅଧିବେଶନରେ ମୁଖ୍ୟତଃ ଭାଷା ତତ୍ତ୍ଵ ଏବଂ ନାଟ୍ୟତତ୍ତ୍ଵ ଉପରେ ଆଲୋଚନା କରାଯାଇଥିଲା।ଏ ଅଧିବେଶନର ସଭାପତି ଡ଼ ପ୍ରତାପ କୁମାର ଦାଶ ଭାଷା ତତ୍ତ୍ଵର ବିଭିନ୍ନ ଉପାଦାନଗୁଡିକୁ ପ୍ରୟୋଗ କରି ସାହିତ୍ୟର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇପାରିବ ବୋଲି ମତ ରଖିଥିଲେ।
ଅଧିବେଶନ ର ଅନ୍ୟତମ ବକ୍ତା ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଡ଼ ପରମେଶ୍ୱର ମୁଣ୍ଡ ତୁଳନାତ୍ମକ ନାଟ୍ୟତତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ।
ଅଧିବେଶନର ଅନ୍ୟତମ ବକ୍ତା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ଼ ରଞ୍ଜନ ସେଠୀ ପାଶ୍ଚାତ୍ୟ ନାଟ୍ୟତତ୍ତ୍ଵ ଏବଂ ଓଡ଼ିଆ ନାଟ୍ୟତତ୍ତ୍ଵ ସବୁର ଏକ ତୁଳନାତ୍ମକ ଅବଧାରଣା ପ୍ରଦାନ କରିଥିଲେ।
ଏହି ଅଧିବେଶନର ଅନ୍ୟତମ ବକ୍ତା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଶ୍ରୀ ଜିତେନ୍ଦ୍ରିୟ ତ୍ରିପାଠୀ ନାଟକର ସଫଳ ମଞ୍ଚ ଉପସ୍ଥାପନା ଏବଂ ଅଭିନୟର ଉତ୍କର୍ଷତା ବିଷୟରେ ସବିଶେଷ ଆଲୋଚନା କରିଥିଲେ ।
ଆଲୋଚନା ଚକ୍ର ପରିଶେଷରେ ଛାତ୍ରଛାତ୍ରୀ,ନିମନ୍ତ୍ରିତ ବକ୍ତା ଏବଂ ଗବେଷକ ମାନଙ୍କ ଭିତରେ ସାହିତ୍ୟ ତତ୍ତ୍ଵ ସମ୍ପର୍କରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପରିଶେଷରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ଶୁଭ୍ରାଂଶୁ ବେହେରା, ଦେବାଶିଷ ମହାପାତ୍ର ଓ ଗବେଷକ ଯୁବ ଅଧ୍ୟାପକ ସୁରେଶ କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଜାତୀୟ ଆଲୋଚନାଚକ୍ରରେ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ,ପରୀକ୍ଷା ନିୟନ୍ତ୍ରକ ଡ଼ ନରେନ୍ଦ୍ର କୁମାର ରାଉତ,ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ପ୍ରଫେସର ବିଘ୍ନେଶପ୍ରସାଦ ମିଶ୍ର, ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ପ୍ରାଧ୍ୟାପକ,ପ୍ରାଧ୍ୟାପିକା ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଗବେଷକ ଓ ଗବେଷିକା ତଥା ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031