Indus Valley Times

ରାଜ୍ୟରେ ୧୫ ତାରିଖ ଯାଏ ଲାଗି ରହିବ ବର୍ଷା, ୧୬ରୁ ଖସିବ ପାରଦ

 Breaking News

ରାଜ୍ୟରେ ୧୫ ତାରିଖ ଯାଏ ଲାଗି ରହିବ ବର୍ଷା, ୧୬ରୁ ଖସିବ ପାରଦ

ରାଜ୍ୟରେ ୧୫ ତାରିଖ ଯାଏ ଲାଗି ରହିବ ବର୍ଷା, ୧୬ରୁ ଖସିବ ପାରଦ
January 12
11:06 2022

ଭୁବନେଶ୍ୱର, ୧୨/୧ : ପଶ୍ଚିମ ଓଡ଼ିଶା ଓ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ମଙ୍ଗଳବାର ବର୍ଷା ହୋଇଛି । ରାଜଧାନୀରେ ବି ବର୍ଷିଛି । ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ମଙ୍ଗଳବାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବୁଧବାର ବି ବର୍ଷା ଜାରି ରହିବ । ୧୩ ଓ ୧୪ ତାରିଖରେ ଭାରି ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।
ମଙ୍ଗଳବାର ଠାରୁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବା ଆରମ୍ଭ ହୋଇଛି । ୧୬ରୁ ପୁଣି ଉତ୍ତରା ପବନ ବହିବ । ତାପମାତ୍ରା ବି କିଛି କମିପାରେ । ସାଟେଲାଇଟ୍ ଉତ୍ତୋଳନ କରିଥିବା ଛବିକୁ ବିଶ୍ଲେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପଶ୍ଚିମ ସୀମାନ୍ତ ଜିଲ୍ଲାରେ ମେଘୁଆ ପାଗ ଆରମ୍ଭ ହୋଇଯାଇଛି ।
୧୨ରୁ ୧୫ ଯାଏ ସାରା ରାଜ୍ୟରେ ପାଗ ମେଘୁଆ ରହିବ । ମଙ୍ଗଳବାର ରାତିରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସଂଲଗ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବ । ବୁଧବାର ରାତି ସାରା ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ଆଶଙ୍କା ରହିଛି । ୧୨ରୁ ୧୫ ଯାଏ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଜାରି ରହିବ । ଜିଲ୍ଲାରେ ହାରାହାରି ୪୦ ମିଲିମିଟର ବର୍ଷା ହୋଇପାରେ । କିଛି ସ୍ଥାନରେ ୫୦ ମିଲିମିଟରରୁ ଅଧିକ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।
୧୬ରୁ ୧୯ ତାରିଖ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ । ୧୨ରୁ ୧୪ ଯାଏ ଦିନବେଳା ପାଗ କୋହଲା ରହିବ । ୧୨ ରାତିରୁ ୧୫ ରାତି ଯାଏ ଘନ କୁହୁଡି ହେବ । ୨୦ ଓ ୨୧ରେ ପୁଣି ମେଘୁଆ ପାଗ ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆଶଙ୍କା କରିଛନ୍ତି । ବର୍ଷା କାରଣରୁ ଆଳୁ ଓ ଟମାଟୋରେ ପତ୍ରପୋଡ଼ା ରୋଗ ଆଶଙ୍କା ରହିଛି । ବର୍ଷା ଓ ଲକ୍ଷଣ ଦେଖା ଯିବା ପୂର୍ବରୁ ମେଙ୍କୋଜେବ୍ ଔଷଧ ସିଞ୍ଚନ କରନ୍ତୁ । ପନିପରିବା ଓ ଅଣଧାନ ଶସ୍ୟ ଫସଲରୁ ଜଳ ନିଷ୍କାସନ ସୁବିଧା କରିବା ସହ ଅମଳ ଧାନକୁ ସୁରକ୍ଷିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।
ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଆଜି ଝାରସୁଗୁଡାରେ ୪୫.୬, କନ୍ଧମାଳର କୋଟଗଡ଼ରେ ୩୮ମିଲିମିଟର, କଳାହାଣ୍ଡିର ଲାଞ୍ଜିଗଡ଼ରେ ୩୬.୪, ବଲାଙ୍ଗୀରରେ ୨୩, ନୂଆପଡ଼ାରେ ୨୩, ନବରଙ୍ଗପୁରରେ ୨୧, ଭବାନୀପାଟଣାରେ ୨୦ମିଲିମିଟର, ସୋନପୁରରେ ୧୭, ଜୁନାଗଡ଼ରେ ୧୩, ନୂଆପଡ଼ାରେ ୧୧.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆସନ୍ତା ୩ ଦିନ ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ୧୩ରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930