ଲାଞ୍ଚ ନେଇଥିଲେ ସିଟି ଜିଏସ୍ଟି ଅଫିସର, ବ୍ୟାଙ୍କ ଲକରରୁ ମିଳିଲା ବିପୁଳ ସୁନା ବିସ୍କୁଟ ଓ ଟଙ୍କା
ପାରାଦୀପ ,୫/୪ : ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ରେଡ୍ ବେଳେ ପାରାଦୀପ ସିଟି ଜିଏସ୍ଟି ଅଫିସ୍ର ଚିତ୍ତରଂଜନ ମହାନ୍ତିଙ୍କ ବ୍ୟାଙ୍କ ଲକରରୁ ପୁଳାପୁଳା ଟଙ୍କା ଓ ସୁନା ଠାବ ହୋଇଛି। ୨ଟି ଲକରରୁ ୧.୦୬୦ କେଜି ସୁନା ଗହଣା ଓ ୧୯ଟି ସୁନା ବିସ୍କୁଟ ଠାବ ହୋଇଛି।
ପ୍ରତି ସୁନା ବିସ୍କୁଟର ଓଜନ ୪୩୩ ଗ୍ରାମ। ଏହାର ମୋଟ ଦାମ୍ ୨୬ ଲକ୍ଷ ଟଙ୍କାରୁ ଅଧିକ ହେବ। ସେପଟେ ଏ ପର୍ୟ୍ୟନ୍ତ ମିଳିଥିବା ମୋଟ ସୁନାର ଓଜନ ୧ କେଜି ୧୩୫ ଗ୍ରାମରେ ପହଞ୍ଚିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ ମିଳିଥିବା ସୁନାଗହଣାକୁ ମିଶାଇ ଏ ପର୍ୟ୍ୟନ୍ତ ମୋଟ ୬୪ ଲକ୍ଷର ଗହଣା ଠାବ ହୋଇଛି। ଏହାଛଡ଼ା ମ୍ୟୁଚୁଆଲ ଫଣ୍ଡରେ ୧ କୋଟି ନିବେଶ କରିଥିବା ମଧ୍ୟ ଠାବ କରାଯାଇଛି। ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଲକରରୁ ୫.୪ ଲକ୍ଷ ଟଙ୍କା ସହ ଅଫିସ୍ ଆଲମିରାରୁ ମିଳିଥିବା ୧ ଲକ୍ଷ ଟଙ୍କାକୁ ମିଶାଇ ଏ ପର୍ୟ୍ୟନ୍ତ ମୋଟ ୬.୫୯ ଲକ୍ଷ ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ।
ସୂଚନା ଥାଉକି, ଗତ ୩୧ ତାରିଖରେ ୮୦ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ ଚିତ୍ତରଂଜନ। ଏହା ପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ତଦନ୍ତ ଜାରି ରଖିଛି।