Indus Valley Times

ଶପଥ ନେଲେ ନରେନ୍ଦ୍ର ମୋଦି, ତୃତୀୟ ଥର ହେଲେ ପ୍ରଧାନମନ୍ତ୍ରୀ

 Breaking News

ଶପଥ ନେଲେ ନରେନ୍ଦ୍ର ମୋଦି, ତୃତୀୟ ଥର ହେଲେ ପ୍ରଧାନମନ୍ତ୍ରୀ

ଶପଥ ନେଲେ ନରେନ୍ଦ୍ର ମୋଦି, ତୃତୀୟ ଥର ହେଲେ ପ୍ରଧାନମନ୍ତ୍ରୀ
June 09
20:10 2024

ନୂଆଦିଲ୍ଲୀ,୯/୬:ମୁଁ ନରେନ୍ଦ୍ର ଦାମୋଦରଦାସ ମୋଦି ଈଶ୍ୱରଙ୍କ ଶପଥ ନେଉଛି ଯେ ମୁଁ ବିଧି ଦ୍ୱାରା ସ୍ଥାପିତ ଭାରତର ସମ୍ବିଧାନ ପ୍ରତି ସତ୍ୟ ଶ୍ରଦ୍ଧା ଓ ନିଷ୍ଠା ରଖିବି। ମୁଁ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ଅକ୍ଷୁଣ୍ଣ ରଖିବି।
ମୁଁ ସଂଘର ପ୍ରଧାନମନ୍ତ୍ରୀ ହିସାବରେ ନିଜର କର୍ତ୍ତବ୍ୟକୁ ଶ୍ରଦ୍ଧାପୂର୍ବକ ଓ ନିଷ୍ଠାର ସହ ନିର୍ବାହନ କରିବି। ତଥା ମୁଁ ଭୟ କିମ୍ବା ପକ୍ଷପାତିତା, ଅନୁରାଗ କିମ୍ବା ବିଦ୍ୱେଷ ବିନା ସବୁ ପ୍ରକାରର ଲୋକଙ୍କ ପ୍ରତି ସମ୍ବିଧାନ ଓ ବିଧି ଅନୁସାରେ ନ୍ୟାୟ କରିବି।
ମୁଁ ନରେନ୍ଦ୍ର ଦାମୋଦରଦାସ ମୋଦି ଈଶ୍ୱରଙ୍କ ଶପଥ ନେଉଛି ଯେ ଯେଉଁ ବିଷୟ ସଂଘର ପ୍ରଧାନମନ୍ତ୍ରୀ ରୂପେ ମୋ ବିଚାରକୁ ଅଣାଯିବ କିମ୍ବା ମୋତେ ଜ୍ଞାତ ହେବ, ତାକୁ ପ୍ରଧାନମନ୍ତ୍ରୀ ରୂପେ ମୋର କର୍ତ୍ତବ୍ୟର ସମୂଚିତ ନିର୍ବାହ ନିମିତ, ଯେପରି ଆବଶ୍ୟକ ହେବ ତତଭିନ୍ନ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ବ୍ୟକ୍ତି କିମ୍ବା ବ୍ୟକ୍ତି ସମୂହଙ୍କୁ ଜଣାଇବି ନାହିଁ କିମ୍ବା ପ୍ରକଟ କରିବି ନାହିଁ।
ଆଜି ଏପରି ଢଙ୍ଗରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇ ଇତିହାସ ରହିଛନ୍ତି ମୋଦି। ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ସମକକ୍ଷ ହୋଇଛନ୍ତି। ନେହରୁଙ୍କ ଭଳି ମୋଦି ମଧ୍ୟ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇ ହେବାର ଗୌରବ ପାଇଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି ହିନ୍ଦୀ ଭାଷାରେ ହିଁ ଶପଥ ଗ୍ରହଣ କରିଛନ୍ତି। ଶପଥ ପାଠ ପରେ ଦେଶରେ ମୋଦି ୩.୦ ସରକାର ଆରମ୍ଭ ହୋଇ ଯାଇଛି। ୨୦୨୪ ଓ ୨୦୧୯ରେ ମଧ୍ୟ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।
କିନ୍ତୁ ୨୦୧୪ ଓ ୨୦୧୯ ଭଳି ସ୍ଥିତି ଏଥର ନାହିଁ। କାରଣ ୨୦୧୪ ଓ ୨୦୧୯ରେ ବିଜେପି ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରିଥିଲା। କିନ୍ତୁ ଦଳ ଏଥର ୨୪୦ଟି ଆସନ ଜିତିଛି। ତେଣୁ ସହଯୋଗୀ ଦଳଗୁଡ଼ିକ ସହାୟତାରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜେପି ଓ ତା’ର ସହଯୋଗୀ ଦଳ ମିଳିତ ଭାବେ ୨୯୨ଟି ଆସନ ଜିତିଛନ୍ତି।
ଶପଥ ପାଠ ପାଇଁ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ଠିକ୍ ୭ଟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିଥିଲେ ମୋଦି। ୭.୧୩ରେ ସେ ଶପଥ ପାଠ ସ୍ଥଳରେ ପହଞ୍ଚିଥିଲେ। ୭.୨୨ ମିନିଟରେ ଶପଥ ସମାରୋହ ଆରମ୍ଭ ହୋଇଥିଲା।
ମୋଦି ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଛନ୍ତି। ଲାଇଟ ବ୍ଲ୍ୟୁ ରଙ୍ଗର ଜ୍ୟାକେଟ୍ ଓ ଧଳା କୁର୍ତ୍ତାରେ ଥିବା ମୋଦି ସମ୍ବିଧାନର ନିୟମ ଅନୁଯାୟୀ କାର‌୍ୟ୍ୟ କରିବେ ବୋଲି ଈଶ୍ୱରଙ୍କ ନାଁରେ ଶପଥ ଗ୍ରହଣ କରିଛନ୍ତି।
ଶପଥ ପାଠ ପୂର୍ବରୁ ପ୍ରଥମେ ମୋଦି ପରେ ଉପ ରାଷ୍ଟ୍ରପତି ଜଗଦୀପ ଧନକର ପହଞ୍ଚିଥିଲେ। ଶେଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚି ଶପଥ ପାଠ କାର‌୍ୟ୍ୟକ୍ରମ ଆରମ୍ଭ କରିଥିଲେ।
ତୃତୀୟ ଥର ସହଯୋଗୀ ଦଳଙ୍କ ଭରସାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ମୋଦିଙ୍କ କାର‌୍ୟ୍ୟକ୍ରମରେ ପାକିସ୍ତାନକୁ ଛାଡ଼ି ସବୁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟ ଉପସ୍ଥିତ ରହିଥିଲେ। ପ୍ରାୟ ୯ ହଜାରରୁ ଅଧିକ ଅତିଥିଙ୍କ ସାମ୍ନାରେ ମୋଦି ୩.୦ ସରକାର ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ୫୦ ଜଣ କିନ୍ନର ମଧ୍ୟ ଶପଥ ପାଠ ଉତ୍ସବର ମୁଖସାକ୍ଷୀ ବନିଛନ୍ତି।
ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ଆରମ୍ଭର ସାକ୍ଷୀ ଭାରତର ପଡ଼ୋଶୀ ରାଷ୍ଟ୍ରର ମୁଖ୍ୟମାନେ ବନିଛନ୍ତି। ପଡ଼ୋଶୀ ପ୍ରଥମ ନୀତିରେ ଭାରତ ପକ୍ଷରୁ ଏମାନଙ୍କ ନିମନ୍ତ୍ରଣ କରାଯାଇଥିଲା। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ପ୍ରଚଣ୍ଡ, ଭୁଟାନ କିଙ୍ଗ ଜିଗମେ ଖେସର ନାମଗିଲ ୱାଙ୍ଗଚୁକ ଓ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନୌଥ, ସିସେଲ୍ସର ଉପ ରାଷ୍ଟ୍ରପତି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିଥିଲେ।
ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ। ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ମୁଇଜୁଙ୍କ ପ୍ରଥମ ଭାରତ ଗସ୍ତ। ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲିଥିଲେ ମଧ୍ୟ ମୁଇଜୁ ଭାରତ ଆସି ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି।
ଅନ୍ୟ ଅତିଥିଙ୍କ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ବିଜେପି ଭେଟରାନ ମୁରଲୀ ମନୋହର ଯୋଶୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଅଭିନେତା ଅକ୍ଷୟ କୁମାର, ରଜନୀକାନ୍ତ, ଶାହରୁଖ ଖାନଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି ମୁକେଶ ଆମ୍ବାନୀ, କୁମାର ମଙ୍ଗଲମ ବିର୍ଲା ପ୍ରମୁଖ ମୋଦିଙ୍କ ଶପଥ ପାଠ ବେଳେ ଉପସ୍ଥିତ ରହିଥିଲେ।
ଏମାନଙ୍କ ବ୍ୟତୀତ ମନ କୀ ବାତ୍ ଅଂଶଗ୍ରହଣକାରୀ, ପଦ୍ମ ଆୱାର୍ଡି ଓ ଅନେକ ଧର୍ମଗୁରୁ ବି ରାଷ୍ଟ୍ରପତି ଭବନ ଆସିଥିଲେ। ଏହି ଉତ୍ସବରେ ସେଣ୍ଟ୍ରାଲ୍ ଭିଷ୍ଟା ଶ୍ରମିକ, ସଫେଇ କର୍ମଚାରୀ, ବନ୍ଦେ ଭାରତ ଟ୍ରେନ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031