Indus Valley Times

ଶିକ୍ଷକ ନିଯୁକ୍ତ ଦାବିରେ ବିଦ୍ୟାଳୟ ଗେଟ୍ ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ

 Breaking News

ଶିକ୍ଷକ ନିଯୁକ୍ତ ଦାବିରେ ବିଦ୍ୟାଳୟ ଗେଟ୍ ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ

November 08
09:37 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୮/୧୧: ବୌଦ୍ଧଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଷୁଡିବାରେ ଲାଗିଛି । ଶିକ୍ଷାବର୍ଷ ଅଧା ଅତିକ୍ରମ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟ ସରିନାହିଁ । ଏପଟେ ଶିକ୍ଷକ ଅଭାବରୁ ଗୋଟିଏ ପରେ ଗୋଟିଏ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟଗୁଡିକରେ ତାଲା ପକାଇବା ଭଳି ଘଟଣା ଦେଖିବାକୁ ମିଳିଛି ।
ସବୁଠାରୁୂ ଗୁରୁତ୍ୱପୂର୍ଣ୍ଣ ହେଲା ବୁଧବାର ଦିନ ବୌଦ୍ଧ ସହର ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର କିଛି ଦୂରରେ ଅବସ୍ଥିତ ଏକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଶିକ୍ଷକ ପଦବୀ ପୂରଣ ହେଉନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ନେଇ ବିଦ୍ୟାଳୟ ଗେଟ୍ ରେ ତାଲା ପକାଇ ଧାରଣା ଦେଇଥିଲେ । ଦୀର୍ଘଦିନ ହେଲା ଏହି ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ରହିଥିବାବେଳେ ଦୀପତଳ ଅନ୍ଧାର ଭଳି ତାହାକୁ ସମାଧାନ କରିବାରେ ଶିକ୍ଷା ବିଭାଗ ବିଫଳ ହୋଇଛି ।
ସୂଚନା ମୁତାବକ ବୌଦ୍ଧସହର ସ୍ଥିତ ବାପୁଜୀନଗର ଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଆଜି ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ପରେ ଶିକ୍ଷା ବିଭାଗର ଅଧିକାରୀ ପହଞ୍ଚି ତୁରନ୍ତ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରତିଶୃତି ଦେବାପରେ ଛାତ୍ରଛାତ୍ରୀ ଧାରଣା ବନ୍ଦ କରିଥିବା ଜଣାଯାଇଛି ।
ସୂଚନା ମତେ, ଉକ୍ତ ବିଦ୍ୟାଳୟରେ ୧୨୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ସରକାରଙ୍କ ନିୟମ ଅନୁଯାୟି ୬ ଜଣ ଶିକ୍ଷକ ରହିବା କଥା । କିନ୍ତୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀ ଦୀର୍ଘଦିନ ହେଲା ଖାଲି ପଡିଥିବାବେଳେ ଦୁଇଜଣ ଶିକ୍ଷକ ଛୁଟିରେ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା ।
ପ୍ରକାଶଥାଉକି ୬ ରୁ ୧୪ ବର୍ଷର ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ଆନନ୍ଦଦାୟକ ଶିକ୍ଷା ପ୍ରଦାନ କରାଯିବାକୁ ସରକାରୀ ନିୟମ ରହିଥିଲେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର କେଇ ମିଟର ଦୂରରେ ରହିଥିବା ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ବିଦ୍ୟାଳୟ ଗେଟ୍ ରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣା ଦେବା ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ଅବସ୍ଥାକୁ ସୂଚାଉଥିବା ନେଇ ସାଧାରଣରେ ମତପ୍ରକାଶ ପାଉଅଛି ।
ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରଙ୍କୁ ପଚାରିବାରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ନିକଟକୁ ଫାଇଲ ପଠାଯାଇଛି ଦିନେ ଦୁଇଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରକାଶ କରିଥିଲେ ।
ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ
ବୌଦ୍ଧ,୮/୧୧: ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ରୋଗୀଙ୍କୁ ଡାକ୍ତର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ରୋଗୀଙ୍କ ସଂପର୍କିୟମାନେ ଅଭିଯୋଗ କରିଛନ୍ତି ।
ଯାହାକୁ ନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ଦେଖାଦେଇଥିଲା । ସୂଚନା ମତେ, ବୌଦ୍ଧ ସହର ବଗିଚାସାହିର ସନ୍ତୋଷ ପଟ୍ଟନାୟକ(୬୦)ଙ୍କ ଦେହ ଅସୁସ୍ଥ ହେବାରୁ ମଙ୍ଗଳବାର ରାତିରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିଲେ । ଡାକ୍ତରଖାନାରେ ଦାୟୀତ୍ୱରେ ଥିବା ଡାକ୍ତର ସେମାନଙ୍କୁ ଦୁର୍ବ୍ୟହାର ପ୍ରଦର୍ଶନ କରିଥିଲେ ଏବଂ ପ୍ରେସକିସନଟି ଚିରି ଦେଇଥିବା ରୋଗୀଙ୍କ ସଂପର୍କିୟମାନେ ଅଭିଯୋଗ କରିଛନ୍ତି ।
ସୂଚନା ମତେ, ବୌଦ୍ଧ ସହର ବଗିଚାସାହିର ସନ୍ତୋଷ ପଟ୍ଟନାୟକ ଗତ ତିନିଦିନ ତଳେ ଦେହ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ସେ ସୁସ୍ଥ ହେବା ପରେ ଘରକୁ ଯାଇଥିଲେ । ହେଲେ ମଙ୍ଗଳବାର ରାତିରେ ତାଙ୍କର ଦେହ ହଠାତ ଅସୁସ୍ଥ ହୋଇ ପଡିଥିଲା । ତାଙ୍କୁ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପରିବାର ଲୋକେ ଆଣିଥିଲେ ।
ଡାକ୍ତରଖାନାରେ ରୋଗୀଙ୍କ ପରିବବାର ଲୋକେ ତାଙ୍କର ଆଗରୁ ଉଚ୍ଚରକ୍ତ ଚାପ ରହିଥିବାରୁ ଟିକେ ରକ୍ତଚାପ ମାପିବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । ଏଥିରେ ଦାୟୀତ୍ୱରେ ଥିବା ଡାକ୍ତର ହଠାତ ରାଗୀଯାଇ ସେମାନଙ୍କର ପ୍ରେସଲିସନ ଚିରି ଦେଇ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ସୁରକ୍ଷାକର୍ମୀ ଦ୍ୱାରା ସେମାନଙ୍କୁ ବାହାର କରିଦେବା ପାଇଁ କହିଥିଲେ ।
ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତେଜନା ପରିସ୍ଥିତି ଦେଖାଦେଇଥିଲା । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା,ଜୟକୃଷ୍ଣ ମିଶ୍ରଙ୍କୁ ଏହି ଘଟଣାକୁ ନେଇ ପଚାରିବାରୁ ରୋଗୀଙ୍କ ସହିତ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ଡାକ୍ତରଙ୍କୁ କହିଛି ବୋଲି କହିଛନ୍ତି ।
ବୌଦ୍ଧ: ଆନ୍ତଃକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟ,,୧ ରନ୍‌ରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବିଜୟୀ
ବୌଦ୍ଧ,୮/୧୧: ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧଜିଲ୍ଲା ଷ୍ଟାଡିୟମ ପଡିଆରେ ଚାଲିଥିବା ଆନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ପଞ୍ଚମ ଦିନରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବୌଦ୍ଧ ଓ ପ୍ରଗତି କ୍ଲବ କଣ୍ଟାମାଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୩୧.୨ ଓଭରରେ ସମସ୍ତ ୱିକେଟ ହରାଇ ୧୬୪ ରନ୍ କରିଥିଲା ।
ଦଳ ତରଫରୁ ରଜନୀଶ କେ ୟାଦବ ୮୨ ବଲ୍‌ରୁ ୬୨ ରନ୍ ଓ ମହେଶ ପଟ୍ଟନାୟକ ୫୯ ବଲ୍‌ରୁ ୩୦ ରନ୍ କରିଥିଲେ । ପ୍ରଗତି କ୍ଲବର ସବ୍ୟସାଚୀ ପ୍ରଧାନ ୪ଟି ଓ ୟୋଗେଶ ରାଏ ୨ଟି ୱିକେଟ ନେଇଥିଲେ । ୧୬୫ରନ୍ ବିଜୟ ଲକ୍ଷ୍ୟକୁ ପିଛାକରି ପ୍ରଗତି କ୍ଲବ କଣ୍ଟାମାଳ ୩୪ ଓଭରରେ ସମସ୍ତ ୱିକେଟ ହରାଇ ୧୨୩ ରନ୍ କରିପାରିଥିଲା । ଫଳରେ ୪୧ ରନ୍‌ରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବିଜୟୀ ହୋଇଥିଲା ।
ପ୍ରଗତି କଣ୍ଟାମାଳର ଦେବାଶିଷ ସାହୁ ୬୩ ବଲ୍‌ରୁ ୫୨ ରନ୍ ଓ ଶ୍ରୀତମ ପ୍ରଧାନ ୨୩ ବଲ୍‌ରୁ ୧୮ ରନ୍ କରିଥିଲେ । ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ଦଳର ସୌରଭ କନୌଜିଆ ୪ଟି ଓ ରଜନୀଶ ୟାଦବ ୨ଟି ୱିକେଟ ନେଇଥିଲେ । ଆଜିର ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ସୌରଭ କନୌଜିଆ ପୁରସ୍କୃତ ହୋଇଥିଲେ । ଅଂପାୟାର ଭାବେ ମ୍ୟାଚକୁ ଅମ୍ବରୀଶ ପ୍ରଧାନ ଓ ରଞ୍ଜିତ ଚାନ୍ଦ ଖେଳ ପରିଚାଳନା କରିଥିବାବେଳେ ସ୍କୋରରଭାବେ ସ୍ୱାଗତ ଦେହୁରୀ ଦାୟିତ୍ୱ ତୁଲାଇଥିଲେ । ଆସନ୍ତାକାଲି ଗେହ୍ଲା ମା କ୍ଲବ ବୌଦ୍ଧ ଓ ପ୍ରଗତି କ୍ଲବ କଣ୍ଟମାଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।
ସୁବର୍ଣ୍ଣପୁରରୁ ବୌଦ୍ଧକୁ ଟ୍ରେନର ଫାଇନାଲ ରନ
ବୌଦ୍ଧ,୮/୧୧: ପଶ୍ଚିମ ଓ ପୂର୍ବ ଓଡିଶା ମଧ୍ୟରେ ଜୀବନରେଖା କୁହାଯାଉଥିବା ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା- ବଲାଙ୍ଗିର ରେଳପଥ କାର୍ଯ୍ୟ ବୌଦ୍ଧ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ କାର୍ଯ୍ୟ ଶେଷ ହୋଇଥିବା ବେଳେ ଖୁବ ଶିଘ୍ର ବୌଦ୍ଧବାସୀଙ୍କ ପାଇଁ ରେଳ ସଂଯୋଗ ଉଦଯିବିତ ହେବାକୁ ଯାଉଛି ।
ଖୋର୍ଦ୍ଧା- ବଲାଙ୍ଗିର ରେଳପଥ ବୌଦ୍ଧ ଜିଲ୍ଲାରେ ୧୦୮ କିଲୋମିଟର ରହିଥିବା ବେଳେ ଜିଲ୍ଲାର ମନମୁଣ୍ଡା ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ କାମ ଶେଷ ହୋଇଛି । ତେବେ ପୁରୁଣାକଟକରୁ ଦଶପଲ୍ଲା ପର୍ଯ୍ୟନ୍ତ କାର୍ଯ୍ୟ ବାକି ରହିଥିବାବେଳେ ନିର୍ମାଣ କାର୍ଯ୍ୟ ଚାଲୁରହିଛି ।
ଏପଟେ କିନ୍ତୁ ସୋନପୁରରୁ ବୌଦ୍ଧ ପର୍ଯ୍ୟନ୍ତ ରେଳପଥ କାର୍ଯ୍ୟ ସଂପୁର୍ଣ୍ଣ ହୋଇଥିବା ବେଳେ ରେଳ ବିଭାଗ ପକ୍ଷରୁ ଆଜି ସୋନପୁର ଠାରୁ ବୌଦ୍ଧ ପର୍ଯ୍ୟନ୍ତ ସିଆରଏସ (କମିଶନ ଅଫ ରେଳ ସେଫଟି ) ଟ୍ରେନ ଗଡିଛି ।
ଏହି ଟ୍ରେନ ଆଜି ସୋନପୁର ଠାରୁ ବାହାରି ସନ୍ଧ୍ୟାରେ ବୌଦ୍ଧ ଷ୍ଟେସନ ପର୍ଯ୍ୟନ୍ତ ପହଂଚି ଥିଲା । ମଙ୍ଗଳବାର ପୁର୍ନବାର ଏହି ସିଆରଏସ ଟ୍ରେନ ବୌଦ୍ଧରୁ ସୋନପୁର ପର୍ଯ୍ୟନ୍ତ ତାହାର ସାଧାରଣ ଗତିରେ ଯାତ୍ରା କରିବ ବୋଲି ଜଣାପଡିଛି ।
ଫଳରେ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି । ରେଳ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଖୁବଶୀଘ୍ର ବୌଦ୍ଧରୁ ଟ୍ରେନ ଯାତ୍ରୀ ସେବା ଆରମ୍ଭ କରାଯିବାକୁ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଥିବା ଜଣାଯାଇଛି । ତେବେ ପ୍ରଶାସନିକସ୍ତରରେ ଏହି ନିଷ୍ପତି ହେବାକୁଥିବାବେଳେ ବୌଦ୍ଧବାସୀଙ୍କୁ ଖୁବ ଶୀଘ୍ର ଟ୍ରେନରେ ଯାତ୍ରା କରିବାର ସୁଯୋଗ ମିଳିବ ବୋଲି ଜଣାପଡିଛି ।

ଜିଲ୍ଲାରେ ବଢୁଛି ବେକାରୀ ସମସ୍ୟା
ବୌଦ୍ଧ,୮/୧୧: ଶିଳ୍ପ ବିହିନ ବୌଦ୍ଧଜିଲ୍ଲାରେ ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଏବେ ବେକାର ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ହୋଇଛିଡା ହୋଇଛି । ଜିଲ୍ଲାରେ କାମଧନ୍ଦାର ଅଭାବ ଯୋଗୁଁ ଶିକ୍ଷିତ ବେକାର ଯୁବକମାନେ ବାହାର ରାଜ୍ୟକୁ କାମଧନ୍ଦା ଅନ୍ୱେଷଣରେ ଦାଦନ ଖଟିବାକୁ ଚାଲିଯାଉଛନ୍ତି । ସେଠାରେ ବିଭିନ୍ନ ସମୟରେ ସେମାନେ ଶୋଷଣର ଶିକାର ହେବା ସହିତ ଶାରୀରିକ ଓ ମାନସିକ ନିର୍ଯ୍ୟାତନ ଦିଆଯାଉଥିବାର ଅଭିଯୋଗ ହେଉଛି ।
ଏପରିକି ଜୀବନ ମଧ୍ୟ ଚାଲିଯାଉଛି । ହେଲେ ଏଥିପ୍ରତି କାହାର ନିଘାନାହିଁ । ଜିଲ୍ଲାରେ କର୍ମନିୟୋଜନ ଓ ଶିଳ୍ପ ସଂସ୍ଥା ନ ଥିବାରୁ ଶିକ୍ଷିତ ଯୁବକ ଯୁବତୀମାନେ କାମଧନ୍ଦା ନ ପାଇ ପରିବାର ଉପରେ ବୋଝୋ ହୋଇ ରହୁଛନ୍ତି । ଯାହାକି ପରିବାର ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଉଛି । ପ୍ରତିବର୍ଷ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ମେଳା କରାଯାଉଛି । ହେଲେ ନିଯୁକ୍ତି ମେଳାରେ ଯେଉଁମାନେ କର୍ମ ନିଯୁକ୍ତି ପାଉଛନ୍ତି ।
ପରବର୍ତ୍ତି ସମୟରେ ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ କାରଣରୁ କାମଧନ୍ଦା ଛାଡି ନିଜ ଗ୍ରାମକୁ ଚାଲି ଆସୁଛନ୍ତି । ଜିଲ୍ଲାର ଏହି ବେକାରୀ ସମସ୍ୟାକୁ ରୋକିବା ପାଇଁ ପ୍ରଶାସନିକସ୍ତରରେ ଆଗ୍ରହ ନଥିବା ବେଳେ ରାଜନୈାତିକ ଇଚ୍ଛାଶକ୍ତିର ଘୋର ଅଭାବ ଦେଖିବାକୁ ମିଳୁଛି । କହିବାକୁ ଗଲେ ବର୍ତ୍ତମାନ ବୌଦ୍ଧଜିଲ୍ଲାର ବେକାର ଯୁବକମାନଙ୍କର ଭାଗ୍ୟ କେରଳ, ତାମିଲନାଡୁ,ଆନ୍ଧ୍ର, ଗୁଜୁରାଟ ଆଦି ରାଜ୍ୟରେ ବନ୍ଧାପଡିଛି ।
ସେମାନଙ୍କର ଜନ୍ମ ଏଠାରେ କିନ୍ତୁ କର୍ମକ୍ଷେତ୍ର ସେଠାରେ । ପ୍ରତି ମାସରେ ଶହ ଶହ ଯୁବକ ରାଜ୍ୟ ବାହାରକୁ କାମଧନ୍ଦା ଅନ୍ୱେଷଣରେ ଯାଉଛନ୍ତି । ପ୍ରକୃତିକ ସଂପଦରେ ଭରପୁର ଏହି ଜିଲ୍ଲାରେ ଗରୀବି ଓ ବେକାରୀ ଯୋଗୁଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଜିଲ୍ଲାରେ ବିକାଶ ନାମରେ କେବଳ ଅବକାରୀ ଯୋଜନାକୁ ଗୁରୁତ୍ୱ ଦିଆଯାଉଛି ବୋଲି ବୁଦ୍ଧିଜିବୀରେ ଆଲୋଚନା ହେଉଛି ।
ଯାହାଫଳରେ ବହୁ ବେକାର ଯୁବକ ଅଧିକ ରୋଜଗାର ଆଶାରେ ଗଂଜେଇ ଚାଷ ଓ ଚାଲାଣରେ ଲାଗିଯାଉଛନ୍ତି । ଏହା ସେମାନଙ୍କ ପାଇଁ ବିପଦ ହେଉଥିବା ଜାଣି ମଧ୍ୟ ବାଧ୍ୟ ହୋଇ ଏହି ପନ୍ଥାକୁ ଆପଣେଇ ନେଉଛନ୍ତି । ପ୍ରକୃତିକ ସଂପଦରେ ଭରପୁର ଏହି ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ପର୍ଯ୍ୟାପ୍ତ ସୁବିଧା ରହିଥିଲେ ମଧ୍ୟ ତାହାର ବିନିଯୋଗ ହୋଇପାରିନାହିଁ ।
ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳ ବେକାର ଯୁବକ ଯୁବତୀମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ସେମାନଙ୍କ ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ଚେଷ୍ଟା କରୁଛି । ଜିଲ୍ଲାରେ ୨୦୦୦ ମସିହାରୁ ୨୦୨୪ ମସିହା ମଧ୍ୟରେ ୪୭୩୭୪ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ନାମ ପଂଜିକରଣ କରିଥିବା ଜଣାଯାଏ । ଏନେଇ ଜିଲ୍ଲା ଶ୍ରମଅଧିକାରୀଙ୍କୁ ପଚାରିବାରୁ ଜିଲ୍ଲାରୁ ଜଣେ ମାତ୍ର ଶ୍ରମିକ ପଂଜିକରଣ କରିଥିବା ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031