Indus Valley Times

ଶିକ୍ଷା ବ୍ୟବସ୍ଥାରେ ଉତ୍କଳମଣି ଗୋପବନ୍ଧୁଙ୍କ ଭୂମିକା

 Breaking News

ଶିକ୍ଷା ବ୍ୟବସ୍ଥାରେ ଉତ୍କଳମଣି ଗୋପବନ୍ଧୁଙ୍କ ଭୂମିକା

ଶିକ୍ଷା ବ୍ୟବସ୍ଥାରେ ଉତ୍କଳମଣି ଗୋପବନ୍ଧୁଙ୍କ ଭୂମିକା
October 08
18:46 2025

ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ଖୋର୍ଦ୍ଧା, ୮/୧୦ : ପଣ୍ଡିତ ଗୋପବନ୍ଧୁଙ୍କର ନିଃଶ୍ବାର୍ଥପର ସେବା ,ମହନୀୟ ତ୍ୟାଗ କରୁଣା, ଅପୂର୍ବ ଦେଶଭକ୍ତି,ନ୍ୟାୟ ପରାୟଣତା ,ସତ୍ୟନିଷ୍ଠା ମାନବପ୍ରୀତିର ପଟାନ୍ତର ନାହିଁ।
ସେ ଯଥାର୍ଥରେ ଦରିଦ୍ରର ବନ୍ଧୁ ଥିଲେ। ଦରିଦ୍ର ନାରାୟଣ ସେବାରେ ନିଜର ଜୀବନକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିଲେ। ସେ ପରର ଦୁଃଖ ମୋଚନକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ନେଇଥିଲେ।
କେବଳ ଜଣେ ସମାଜ ସେବୀ ରୂପେ ନୁହେଁ, ଜଣେ ମାନବବାଦୀ କବି,ପ୍ରାବନ୍ଧିକ, ସତ୍ୟନିଷ୍ଠ ସାମ୍ବାଦିକ, ଆଦର୍ଶ ରାଜନୀତିକ ତଥା ଆଇନ ବିଶାରଦ ରୂପେ ମଧ୍ୟ ବେଶ ଖ୍ୟାତି ଅର୍ଜନ କରିଥିଲେ।
ସେ ଓଡ଼ିଶାର ମୁକୁଟ ବିହୀନ ରାଜା ଥିଲେ। ଆଧୁନିକ ଓଡ଼ିଶାର ନିର୍ମାତା,ଓଡ଼ିଆଙ୍କ ପ୍ରେରଣା ଓ ଆଦର୍ଶର ଉତ୍ସ। ଓଡ଼ିଆ ଅସ୍ମିତାର ସମର୍ଥ ସାରଥୀ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ତାଙ୍କ ଜୀବନ ଥିଲା ସେବା ଓ ତ୍ୟାଗର ଏକ ଅନିର୍ବାଣ ଯଜ୍ଞ ।
ଉନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ଥିଲା ଓଡ଼ିଆ ଜାତି ପାଇଁ ଏକ ସନ୍ଧିଗ୍ଧ କାଳଖଣ୍ଡ।
ନ\’ଅଙ୍କ ଦୁର୍ଭିକ୍ଷ ଓ ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନର କବଳରେ ଜାତୀୟ ଜୀବନରେ ହତାଶର ସ୍ୱର ସ୍ୱରିତ ହୋଇଥିଲା। ଓଡ଼ିଶାର ଏପରି ଚରମ ଦୁର୍ଦ୍ଦଶା ବେଳେ ନବଚେତନାରେ ଓଡ଼ିଆ ଜାତିକୁ ଉଦ୍ଧିପିତ କରିଥିଲେ ଗୋପବନ୍ଧୁ। ଉତ୍କଳମଣି କାୟୋମନୋବାକ୍ୟରେ ଦାରିଦ୍ର‌୍ୟ, ଅଶିକ୍ଷାମୁକ୍ତ ସ୍ୱତନ୍ତ୍ର ଓଡ଼ିଶା ଚାହୁଁଥିଲେ ଯେଉଁଠି ଓଡ଼ିଶାର ଲୋକ ସମ୍ମାନର ସହ ବଞ୍ଚିବା ସହିତ ସଚେତନ ସ୍ତରକୁ ଉନ୍ନୀତ ହେବେ।
ଏହି ମହତ ଉଦ୍ଦେଶ୍ୟ ରଖି ସେ ନିଜର ସମଗ୍ର ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରି ଦେଇଥିଲେ। ପ୍ରକୃତରେ ସେହି ପୁଣ୍ୟବନ୍ତ ଯୁଗପୁରୁଷ ଜନ୍ମ ନେଇଥିଲେ ଏକ ଘଡିସନ୍ଧି ମୁହୂର୍ତ୍ତରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ଅଖ୍ୟାତ ପଲ୍ଲୀ ସୁଆଣ୍ଡୋ ଗ୍ରାମରେ। ହେଲେ ଆଜି ସେହି ଗାଁ ସୁଆଣ୍ଡୋ ଆଜି ଉତ୍କଳମଣି ଗୋପବନ୍ଧୁଙ୍କ ପାଇଁ ବିଶ୍ବବିଦିତ ହୋଇପାରିଛି। ନିଜର ସୁକର୍ମ ,ତ୍ୟାଗ, ନିଷ୍ଠା, ସେବା, ପରୋପକାର ବଳରେ ସେ ହୋଇଗଲେ ମହାନ, ବିଶ୍ୱବନ୍ଦୀତ ଉତ୍କଳର ମଣି।
ଜିବନରେ ସବୁକିଛି ହାତ ପାଆନ୍ତରେ ଥିଲେ ମଧ୍ୟ ସବୁକୁ ହେୟ ମନେକରି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଦେଶ,ଜାତି ତଥା ମାତୃଭୂମି ପାଇଁ। ଗୋପବନ୍ଧୁ ବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ଚିନ୍ତା କରିଥିଲେ ଲର୍ଡ ମ୍ୟାକେଲ ପ୍ରଣୀତ ଶିକ୍ଷା ନୀତି ଓ ଶିକ୍ଷା ବ୍ୟବସ୍ଥାର କୁପରିଣାମ ସମ୍ପର୍କରେ।
ତେଣୁ ସେ ଚାହିଁଥିଲେ ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥାର ମୁକ୍ତି ସମ୍ପର୍କରେ । ମାଟି, ମା\’ ଓ ମାତୃଭାଷା ପ୍ରତି ଅନ୍ତରର ଶ୍ରଦ୍ଧା ନିବେଦନ କରି ଇଂରେଜ-ଶିକ୍ଷା-ବ୍ୟବସ୍ତାର ପ୍ରତିସ୍ରୋତରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।
ଦୂର ଦୃଷ୍ଟି ସମ୍ପନ୍ନ ଗୋପବନ୍ଧୁ ତାଙ୍କ ସମ୍ପାଦିତ ସତ୍ୟବାଦୀରେ ଲେଖିଥିଲେ \”ବିଦ୍ୟା ଶିକ୍ଷା ମାନବର ସର୍ବନିମ୍ନ ଅଧିକାର\”। ସମାଜରେ ଆଧୁନିକୀକରଣ ପାଇଁ ଶିକ୍ଷାର ଯଥେଷ୍ଟ ଆବଶ୍ୟକତା ରହିଛି। ସମାଜର ପରିବର୍ତ୍ତନ ପାଇଁ ସେ ଶିକ୍ଷାକୁ ଏକ ଅସ୍ତ୍ର ଭାବରେ ଗ୍ରହଣ କରିଥିଲେ। ସମାଜକୁ ସୁଧାରିବା ପାଇଁ ଏବଂ ସମାଜକୁ ମୁଖ୍ୟ ସୋତ୍ରରେ ସାମିଲ କରିବା ପାଇଁ ଗୋପବନ୍ଧୁ ବାଛି ନେଇଥିଲେ ଶିକ୍ଷା ରୂପକ ଅସ୍ତ୍ରକୁ ।
ସେହି ଶିକ୍ଷାକୁ ଅସ୍ତ୍ର କରି ଗଢ଼ିଥିଲେ\’ସତ୍ୟବାଦୀ ବନ ବିଦ୍ୟାଳୟ\’ ଯାହାକୁ କୁହାଯାଏ ମଣିଷ ଗଢ଼ା କାରଖାନା। ଜଣେ ଆଦର୍ଶ ଶିକ୍ଷକ ତଥା ଶିକ୍ଷାବିତ ଭାବରେ ମଧ୍ୟ ଗୋପବନ୍ଧୁ ବେଶ ପରିଚିତ। ଶିକ୍ଷା ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ଶିକ୍ଷା ହେଉଛି ଜ୍ଞାନର ଆଲୋକ, ମୌଳିକ ଅଧିକାର ଏବଂ ସମାଜରେ ଉନ୍ନତିର ମୂଳ ଆଧାର। ଶିକ୍ଷା ପଢ଼ିବା, ଶିଖିବା ପର୍ଯ୍ୟନ୍ତ ସୀମିତ ନୁହେଁ, ଶିକ୍ଷା ହେଉଛି ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ।
ଶିକ୍ଷା ବିନା ଜୀବନ ଅନ୍ଧକାର ମୟ। ଗୋପବନ୍ଧୁ ମଣିଷର ବିକାଶ କ୍ଷେତ୍ରରେ ଶିକ୍ଷାକୁ ହିଁ ଶ୍ରେଷ୍ଠ ମାଧ୍ୟମ ରୂପେ ଗ୍ରହଣ କରିଥିଲେ। ଶିକ୍ଷା ମନୁଷ୍ୟକୁ ନୈତିକତା ଜ୍ଞାନ, ଆତ୍ମନିର୍ଭରଶୀଳ ହେବା ଦକ୍ଷତା ଅର୍ଜନ କରିବାରେ ସାହାଯ୍ୟ କରିଥାଏ।
ସ୍ଵାମୀ ବିବେକାନନ୍ଦ ଉକ୍ତିର ଅନୁସରଣରେ ସେ ଗୁରୁତ୍ଵ ଦେଲେ ଜୀବନ-ନିର୍ମାଣ (ଖସଲର-ଭଙ୍କସକ୍ଷୟସଦ୍ଭଶ), ମଣିଷ ନିର୍ମାଣ (ଗବଦ୍ଭ-ଗବଳସଦ୍ଭଶ) ଓ ଚରିତ୍ର ଗଠନ (ମଷବକ୍ସବମଗ୍ଧରକ୍ସ ଭଙ୍କସକ୍ଷୟସଦ୍ଭଶ) ଶିକ୍ଷାକୁ ଗୁରୁତ୍ୱ ଦେଉଥିଲେ। ସର୍ଵ ପ୍ରଥମେ ମାତୃଭାଷାରେ ଶିକ୍ଷା ଗ୍ରାମାଞ୍ଚଳରେ ସାମାଜିକ କୁସଂସ୍କାର ଦୂର ହୋଇପାରିବ ବୋଲି ଅନୁଭବ କରୁଥିଲେ ।
ନିଜ ଭାଷାରେ ଶିକ୍ଷା ପ୍ରବର୍ତ୍ତନ ନ ହେଲେ ତାହା ଜାତୀୟ ଶିକ୍ଷାର ମାନ୍ୟତା ପାଇବା ପାଇଁ ଅଯୋଗ୍ୟ ହେବ। ଜୀବନର ମୂଳଧାରା ହେଉଛି ଶିକ୍ଷା ବୋଲି ଅନୁଭବ କରିଥିଲେ। ଗୋପବନ୍ଧୁଙ୍କର ଶିକ୍ଷା ନୀତିର ଲକ୍ଷ୍ୟ ଥିଲା
ବିବେକର ଜାଗରଣ, ଜାତୀୟ ଅସ୍ମିତା ବୋଧର ପ୍ରତିଷ୍ଠା । ତାହା ବୁଦ୍ଧିର କସରତ ନଥିଲା; ଥିଲା ହୃଦୟର ଆହ୍ୱାନ। ତେଣୁ ସେ ଚାହୁଁଥିଲେ ସମାଜ, ରାଷ୍ଟ୍ର ଓ ମଣିଷ ମାନଙ୍କୁ ସୁସ୍ଥ ରଖିବାକୁ ହେଲେ ଶିକ୍ଷା ସହିତ ପ୍ରକୃତି ପ୍ରତି ଶ୍ରଦ୍ଧା ରଖୁବାକୁ ହେବ।
ଦେଶରେ ଗୁଣାତ୍ମକ ଶିକ୍ଷା ବିକାଶରେ ଗୋପବନ୍ଧୁଙ୍କ ଭୂମିକା ଅତୁଳନୀୟ। ସେଥିପାଇଁ ସେ ସତ୍ୟବାଦୀ ବନବିଦ୍ୟାଳୟ, ଛୁରିଅନାସ କୁଞ୍ଜରେ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ମାତ୍ର ୯ ଜଣ ଛାତ୍ରଙ୍କୁ ନେଇ ବିଦ୍ୟାଳୟ ଆରମ୍ଭ କରିଥିଲେ।
ଏହି ବିଦ୍ୟାଳୟରେ ସେତେବେଳେ ଗୋପବନ୍ଧୁ ଦାସ ସମେତ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ଆଚାର୍ଯ୍ୟ ହରିହର, ଓ କୃପାସିନ୍ଧୁ ମିଶ୍ର ଶିକ୍ଷକ ମାନଙ୍କୁ ନେଇ ଶିକ୍ଷାଦାନ ଆରମ୍ଭ ହୋଇଥିଲା।
ପରବର୍ତ୍ତୀ କାଳରେ ଅନେକ ବିଶିଷ୍ଟ ଶିକ୍ଷାବିତ ଏଥିରେ ଯୋଗ ଦେଇଥିଲେ। ମହାତ୍ମାଗାନ୍ଧୀ, ଶ୍ରୀ ଅରବିନ୍ଦ ଓ ରବୀନ୍ଦ୍ର ନାଥ ଟାଗୋରଙ୍କ ଶିକ୍ଷା ସମ୍ଭନ୍ଧୀୟ ନୀତି ଓ ଆଦର୍ଶକୁ ପାଥେୟ କରି ସେ ଅଗ୍ରସର ହେଉଥିଲେ।
ଶିକ୍ଷା ସହିତ ସାମିଲ ହୋଇଥିଲା ଦେଶପ୍ରେମ ଓ ସମାଜସେବା। ଶିକ୍ଷକ ଗୋପବନ୍ଧୁ ଦାସଙ୍କ ଶିକ୍ଷାର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି କର୍ମାଭିମୁଖୀ । କର୍ମ ଓ ଶ୍ରମ ଦ୍ଵାରା ଶିକ୍ଷା ଅର୍ଜନ କଲେ ସେ ଶିକ୍ଷା ମାନବ ଉପଯୋଗୀ ହୋଇଥାଏ।
ଆଜିର ଶିକ୍ଷା କିନ୍ତୁ ପ୍ରକୃତିକୁ ବିନାଶ କରି, ମଣିଷ ମାନଙ୍କୁ ବିସ୍ଥାପିତ କରି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରେରଣା ଦେଉଛି। ସ୍ୱାଧୀନତାର ଅଭିବ୍ୟକ୍ତ କରିବାକୁ ଯାଇ ସେ ଚେତାଇ ଦେଇଥିଲେ \” ସ୍ୱାଧୀନତା ମାନବର ଜନ୍ମ ଅଧିକାର ସ୍ୱାଧୀନ ଭାଷଣ ଆଉ ସ୍ୱାଧୀନ ବିହାର / ସ୍ୱାଧୀନ ଜୀବନ ପୁଣି ସ୍ୱାଧୀନ ସମିତି, ଚାରି ସ୍ତମ୍ବ ମାନବର ସମାଜ ସଂସ୍ଥିତି(କାରା କବିତା)।
ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ଶିକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ସେହି ସମୟରେ ମୁଖ୍ୟତଃ ଗୁରୁକୂଳ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଥିଲା।
ଛାତ୍ରମାନେ ଗୁରୁଙ୍କ ଘରକୁ ଯାଉଥିଲେ ଏବଂ ସେଠାରେ ରହି ଶିକ୍ଷା ଅଧ୍ୟୟନ କରୁଥିଲେ। ଏହି ଶିକ୍ଷା ମୁଖ୍ୟତଃ ଧାର୍ମିକ ,ନୈତିକ ଆଧାରରେ ଆଧାରିତ ଥିଲା।
ଇଂରେଜ ମାନେ ଯେତେବେଳେ ଭାରତକୁ ଆସିଲେ ସେତେବେଳେ ପ୍ରାଚୀନ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା।
ଇଂରେଜ ସରକାର ଭାରତରେ ପ୍ରବେଶ କରିବା, ଦେଶର ଆର୍ଥିକ, ସାମାଜିକ, ସାଂସ୍କୃତିକ ଶିକ୍ଷା ବ୍ୟବସ୍ଥାରେ ବହୁଳମାତ୍ରାରେ ତାର ପ୍ରଭାବ ପକାଇଥିଲା ।
ଧୀରେ ଧୀରେ ଗୁରୁକୂଳ ଶିକ୍ଷା ବ୍ୟବସ୍ଥା ବନ୍ଦ ହୋଇଗଲା। ଫଳରେ ଭାରତୀୟ ସମାଜର ବିଭିନ୍ନ କ୍ଷେତ୍ରରେ ଖରାପ ପ୍ରଭାବ ପକାଇଥିଲା। ଇଂରେଜ ମାନେ ଭାରତର ପୁରୁଣା ଶିକ୍ଷା ପ୍ରଣାଳୀକୁ ଅବହେଳା କରି ନୂତନ ଶିକ୍ଷା ବ୍ୟବସ୍ଥା କଲେ।
ଭାରତୀୟ ଭାଷା ଓ ପରମ୍ପରାଗତ ଶିକ୍ଷାକୁ ତ୍ୟାଗ କରି ଇଂରାଜୀକୁ ମୁଖ୍ୟ ଭାବେ ଗ୍ରହଣ କରିଥିଲେ। ଇଂରେଜ ଲୋକଙ୍କ ଏହି ଶିକ୍ଷା ପ୍ରଣାଳୀ କେବଳ ସହର ଏବଂ ଉଚ୍ଚବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ,ଏହା ଗ୍ରାମୀଣ ଲୋକମାନଙ୍କୁ ଶିକ୍ଷାରୁ ଦୂର କରିଦେଲା। ଏପରି ସମୟରେ ଗୋପବନ୍ଧୁ ନୂତନ ଶିକ୍ଷା ପ୍ରଣାଳୀକୁ ଆପଣାର ନ କରି ପୁରୁଣା ଶିକ୍ଷା ନୀତିର ଢାଞ୍ଚାରେ ଗଢ଼ିଥିଲେ \’ସତ୍ୟବାଦୀ ବନ ବିଦ୍ୟାଳୟ\’।
ସତ୍ୟବାଦୀ ବନ ବିଦ୍ୟାଳୟକୁ ନେଇ ଗୋପବନ୍ଧୁ ଅନେକ ସ୍ୱପ୍ନ ଦେଖିଥିଲେ।
ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ତାଙ୍କ ସାଧନାର ସ୍ଥଳ,ଶିକ୍ଷାର ପ୍ରାୟୋଗଶାଳା। ବିଦ୍ୟାଳୟକୁ ସାଧାରଣ ବିଦ୍ୟାଳୟ ଭାବରେ ଗଢ଼ିବା ଏବଂ କିଛି ନୀତିନିୟମ ଘୋଷଣା କରିଥିଲେ।
ବିଦ୍ୟାଳୟର ଛାତ୍ରମାନେ ସରଳ ଜୀବନଯାପନ, ଶିକ୍ଷା ସହିତ ରୋଜଗାର, କାରୁକାର‌୍ୟ୍ୟ ଶିଖିବେ।
ଗୋପବନ୍ଧୁ ଶିକ୍ଷାର ଅନ୍ୟ ଏକ ଦିଗ ଥିଲା ମାତୃଭାଷା ଶିକ୍ଷା, ଶିଶୁମାନେ ପ୍ରାଥମିକ ଶିକ୍ଷା ମାତୃଭାଷାରେ ଗ୍ରହଣ କରବେ।
ଗୋପବନ୍ଧୁଙ୍କ ଅନ୍ତରରେ ଯେଉଁ ଶିକ୍ଷାର ପ୍ରସାର ଘଟିଥିଲା ତାହା ଆତ୍ମଜ୍ଞାନର ନୂତନତା ଉଦୟ ହୋଇଥିଲା, ମାନବ ଆତ୍ମା ଚିତଲୋକ ଉଦଭାସିତ ହୋଇ ଉଠିଥିଲା ଆଲୋକର ଦୀପ ଶିଖାରେ।
ଶିକ୍ଷା ଦ୍ଵାରା ଶିକ୍ଷାଦାତା ଶିକ୍ଷାର୍ଥୀ ମଧ୍ୟରେ ପବିତ୍ର ସମ୍ପର୍କ ସ୍ଥାପନ ହୋଇଥାଏ।
ଶିକ୍ଷକ ସହଜ ଓ ସରଳ ଭାଷାରେ ଶିକ୍ଷା ପ୍ରଦାନ କରିବା ଉଚିତ। ଏହା ଦ୍ବାରା ଛାତ୍ରଟିଏ ସଠିକ ମାର୍ଗରେ ପରିଚାଳିତ ହୋଇପାରିବ।
ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପନ ହୋଇପାରିବ। ଆଜିର ଏହି ପୁଣ୍ୟ ତିଥିରେ ସେହି \”ଅହଂ ବିବର୍ଜିତ ଜଣେ ଯୋଗଜନ୍ମା ଯୁଗପୁରୁଷ ଉତ୍କଳମଣି ଗୋପବନ୍ଧୁଙ୍କୁ କୋଟି କୋଟି ନମନ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031