ସାଙ୍ଗଙ୍କ ସହ ସୁବର୍ଣ୍ଣରେଖା ନଦୀକୁ ଯାଇଥିଲେ ଛାତ୍ର, ଖସିଗଲା ଗୋଡ଼
ଜଳେଶ୍ୱର, ୨୫/୧୦ : ଗାଧୋଇବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ଭାସି ଗଲେ ଜଣେ ଦଶମ ଶ୍ରେଣୀର ଛାତ୍ର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗଡ଼ସାହି ବାଲିଆପାଳ ପଂଚାୟତର ଜଣେ ଦଶମ ଶ୍ରେଣୀ ଛାତ୍ର ଗତକାଲି ଠାରୁ ନଦୀରେ ବୁଡ଼ି ନିଖୋଜ ଅଛନ୍ତି । ନିଖୋଜ ଛାତ୍ର ଜଣକ ହେଲେ ଗଡ଼ସାହି ବାଲିଆପାଳ ଗାଁର ମନୋରଞ୍ଜନ ଦାସଙ୍କ ୧୫ବର୍ଷର ପୁଅ ସାହିଲ ଦାସ ।
ଗତକାଲି ଅପରାହ୍ନ ୧ଟା ୩୦ ମିନିଟ ସମୟରେ ଗଡ଼ସାହି ବାଲିଆପାଳ ଗାଁ ଘାଟରେ ୩ଜଣ ସାଙ୍ଗ ହୋଇ ଗାଧୋଇବାକୁ ସୁବର୍ଣ୍ଣରେଖା ନଦୀକୁ ଯାଇଥିଲେ । ଦୀର୍ଘ ସମୟ ପରେ ଦୁଇଜଣ ସାଙ୍ଗ ଘରକୁ ଫେରି ଥିଲେ କିନ୍ତୁ ମନୋରଞ୍ଜନ ଦାସଙ୍କ ପୁଅ ସାହିଲ ଦାସ ଆଉ ଫେରି ନଥିଲେ ।
ପୁଅ ନଦୀରେ ବୁଡ଼ି ଯାଇଥିବା ନେଇ ପରିବାର ଲୋକ ଜାଣିବାକୁ ପାଇଥିଲେ । ସ୍ଥାନୀୟ ସରପଞ୍ଚ ଦମକଳ ବାହିନୀଙ୍କୁ ଖବର ଦେଇଥିଲେବି ପହଂଚିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ନଦୀରେ ଜାଲ ପକେଇ ବହୁ ଖୋଜା ଖୋଜି କରିଥିଲେ । କିନ୍ତୁ ସାହିଲକୁ ପାଇ ନ ଥିଲେ । ଆଜି ସକାଳେ ଅଗ୍ନି ଶମ ବିଭାଗ ସୁବର୍ଣ୍ଣ ରେଖା ନଦୀରେ ସ୍ପିଡ଼ ବୋଟ୍ ନେଇ ଖୋଜା ଖୋଜି କରୁଛନ୍ତି । ଖବର ପ୍ରକାଶ ବେଳକୁ ଛାତ୍ରର କୌଣସି ସନ୍ଧାନ ମିଳି ନ ଥିଲା ।