Indus Valley Times

ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ ସମାରୋହ

 Breaking News

ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ ସମାରୋହ

August 10
10:54 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୧୦/୮ : ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ସଦର ମହକୁମା ଜୟୀରାଜଗୁରୁ ଟାଉନ୍ ହଲ ଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସଂଯୋଜନାରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି ।
ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ସମବାୟ , ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସମାରୋହକୁ ଉଦ୍ଘାଟନ କରିଥିଲେ ।
ନିଜ ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ କହିଲେ ଯେ ସୁଭଦ୍ରା ରାଜ୍ୟ ସରକାରଙ୍କ ଏକ ମହତକାଙ୍ଖୀ ଯୋଜନା ଯାହା ନାରୀ ଶକ୍ତିର ଜୟଯାତ୍ରାର ପରିଚୟ ।
ନାରୀର ସ୍ୱାଭିମାନକୁ ସମ୍ମାନଦେବା ଓ ସେମାନଙ୍କୁ ସ୍ୱାବଲମ୍ବି କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ପରିବାର ମୁହଁରେ ହସ ଫୁଟାଇ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ଅଟେ ।
ଖୋର୍ଦ୍ଧା ଜିଲ୍ଲାର ଆଜି ଯେଉଁ ମା ମାନେ ତୃତୀୟ କିସ୍ତି ପାଇଲେ ସେମାନେ ଏହି ଅର୍ଥକୁ କ୍ଷୁଦ୍ର ରାଶି ନଭାବି ଏହି ରାଶିକୁ ପ୍ରକୃତ ବିନିଯୋଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଏବଂ ନାରୀ ଶକ୍ତିର ଜୟଯାତ୍ରା ଉଜ୍ଵଳମୟ ହେଉ ବୋଲି ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଉଦବୋଧନ ରଖିଥିଲେ ।
ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ କହିଲେ ଯେ ସୁଭଦ୍ରା ଯୋଜନାରେ ୫ ହଜାର ଲେଖାଏଁ ୫ ବର୍ଷରେ ୫୦ ହଜାର ଟଙ୍କା ଯୋଗାଇ ଦିଆଯାଉଛି ।
ବର୍ଷକୁ ୨ ଟି କିସ୍ତିରେ ୫ ହଜାର ଲେଖାଏଁ ୧୦ ହଜାର ଟଙ୍କା ଯୋଗାଇ ଦିଆଯାଉଛି । ଆଜି ତୃତୀୟ କିସ୍ତିକୁ ନେଇ ଶୁଭଦ୍ରା ହିତାଧିକାରୀ ମାନେ ୧୫ ହଜାର ପାଇଲେ ଯାହାକୁ ସେମାନେ କେବେହେଲେ କ୍ଷୁଦ୍ର ରାଶି ନଭାବି ନିଜ ପାଠ ପଢୁଥିବା ଝିଅ ପାଇଁ ଯଦି ଗୋଟିଏ ସାଇକେଲ କିଣିଲେ କିମ୍ବା ଗୋଟେ ଚାହା ଦୋକାନ କରି କିଛି ଅର୍ଥ ଉପାର୍ଜନ କଲେ କିମ୍ବା ଗାଁରେ ଥିବା ପୋଖରୀରେ ମାଛ ଚାଷ କଲେ କିମ୍ବା କୃଷି ଓ ଆନୁଷଙ୍ଗିକ କୃଷିରେ ଅର୍ଥକୁ ବିନିଯୋଗ କଲେ ଅଥବା ଅଣୁ ଉଦ୍ୟୋଗରେ ଅର୍ଥ ନିବେଶ କଲେ ତାହାହିଁ ପ୍ରକୃତ ମହିଳା ସଶକ୍ତି କରଣ ବୋଲି କହିପାରିବା।
ଜିଲ୍ଲାପାଳ ଆହୁରି କହିଥିଲେ ସଶକ୍ତି କରଣ ଏକ ସମୁଦ୍ର ଯାହା ଜଳ ବିନ୍ଦୁରୁ ହିଁ ସୃଷ୍ଟି ହୋଇ ପାରିବ। ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ କହିଲେ ସୁଭଦ୍ରା ଯୋଜନା ତୃଣମୂଳ ସ୍ତରରେ ମହିଳା ମାନଙ୍କ ସାମାଜିକ ଓ ଅର୍ଥ ନୈତିକ ବିକାଶରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଅଛି ।
ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ପ୍ରକୃତ ହିତାଧିକାରୀ ମା ମାନେ କିଭଳି ଏହି ଯୋଜନାରେ ସାମିଲ ହୋଇ ପାରିବେ ସେଥିପାଇଁ ମିଶନ ମୋଡରେ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀ ସେମାନଙ୍କର ନିଷ୍ଠାପର ସେବା ଓ କର୍ତ୍ତବ୍ୟ ସମ୍ପାଦନ କରିବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ୱାଗତ ଭାଷଣରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା କହିଲେ ସୁଭଦ୍ରା ଯୋଜନା ନୂତନ ସରକାରଙ୍କ ଏକ ଅଭିନବ ଏଜେଣ୍ଡା ଥିଲା ।
ମହିଳା ମାନଙ୍କୁ ଜୀବନ ଜୀବିକାରେ ଉତଥାନ ଆଣିବାରେ ସୁଭଦ୍ରା ଯୋଜନା, ଲକ୍ଷ ପତି ଦିଦି ଯୋଜନା ମାଇଲଖୁଣ୍ଟ ହୋଇ ଠିଆ ହେବା ସହ ମହିଳା ମାନେ ଆର୍ଥିକ ସ୍ୱାବଲମ୍ବୀ ଦିଗରେ ଏହା ଏକ ପ୍ରକୃଷ୍ଟ ପ୍ରୋତ୍ସାହନ ଅଟେ। ମା ମାନେ ସୁନ୍ଦର, ସୁଖମୟ ଜୀବନଯାପନ ପାଇଁ ସୁଭଦ୍ରା ରାଶିକୁ ସଠିକ୍ ମାର୍ଗରେ ବିନିଯୋଗ କଲେ ସେମାନେ ଲକ୍ଷ ପତି ଦିଦି ରୁ କୋଟିପତି ଦିଦିର ସ୍ଥାନ ହାସଲ କରି ପାରିବେ। ଖୋର୍ଦ୍ଧା ଜିଲ୍ଲାରେ ପାଖାପାଖି ସୁଭଦ୍ରା ତୃତୀୟ କିସ୍ତି ପାଇବାରେ ୩ ଲକ୍ଷ ୫୧ ହଜାର ୧୯୭ ହିତାଧିକାରୀ ଅନ୍ତଃର୍ଭୁକ୍ତ ହେଲେ ବୋଲି ସେ ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମ ଅବସରରେ ଅଗଷ୍ଟ ୮ତାରିଖରୁ ୧୫ତାରିଖ ହର ଘର ତିରଙ୍ଗା କାର୍ଯ୍ୟକ୍ରମକୁ ମାନ୍ୟବର ଜିଲ୍ଲା ପ୍ରଭାରୀ ମନ୍ତ୍ରୀ, ଜିଲ୍ଲାପାଳ ଓ ସମସ୍ତ ସୁଭଦ୍ରା ମା ମାନେ ନିଜ ହାତରେ ତିରଙ୍ଗା ଧରି ଉଦ୍ଘାଟନ କରିଥିଲେ ।
ସଫଳ ସୁଭଦ୍ରା ଭଉଣୀ ରିତାରାଣି ବେହେରା, ଖୋର୍ଦ୍ଧା,ସୁମିତ୍ରା ମୁଦୁଲି, ବେଗୁନିଆ, ଗାୟତ୍ରୀ ବୋଷ, ଖୋର୍ଦ୍ଧା, ମମତା ପଟ୍ଟନାୟକ ପ୍ରମୁଖ ସୁଭଦ୍ରା ଯୋଜନା ଦ୍ବାରା ସେମାନେ କିପରି ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଛନ୍ତି ନିଜ ଅଭିଜ୍ଞତା ପ୍ରକାଶ କରିଥିଲେ । ସମାରୋହରେ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଏବଂ ସମ୍ମାନିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର‌୍ୟ୍ୟକ୍ରମ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ଓଡ଼ିଆ ପ୍ରବନ୍ଧ, ଚିତ୍ରାଙ୍କନ,କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କୋରାପୁଟ, ଜୟପୁର ସଭା ମଞ୍ଚରୁ ଏହି ତୃତୀୟ ସୁଭଦ୍ରା ତୃତୀୟ କିସ୍ତି ବଣ୍ଟନ ଉଦ୍ଘାଟନ କାର‌୍ୟ୍ୟକ୍ରମ ଆଭାଷିରେ ସିଧାପ୍ରସାରଣ କରାଯାଇଥିଲା । ଶେଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031