Indus Valley Times

ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବିକାଶ ଠୁ ବହୁ ଦୂରରେ ବାଲମାହ : ଡାମେରୀ ଗ୍ରାମ, ସନ୍ଧ୍ୟା ହେଲେ ତାଟି କବାଟ ପଡ଼ିଯାଏ; ଡ଼ିବିରୀ ଆଲୁଅ ସାହା ଭରସା

 Breaking News

ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବିକାଶ ଠୁ ବହୁ ଦୂରରେ ବାଲମାହ : ଡାମେରୀ ଗ୍ରାମ, ସନ୍ଧ୍ୟା ହେଲେ ତାଟି କବାଟ ପଡ଼ିଯାଏ; ଡ଼ିବିରୀ ଆଲୁଅ ସାହା ଭରସା

August 04
21:26 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୪/୮: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡରେ ଅନେକ ଗ୍ରାମକୁ ରାସ୍ତା ନାହିଁ । ଆଉ ଦିନ କେଇଟା ପରେ ସାରା ଦେଶ ୭୭ ତମ ସ୍ବାଧୀନତା ଦିବସ ପାଳିବ; କିନ୍ତୁ ଏମିତି ଗ୍ରାମ ରହିଛି ଯେଉଁଠି ବିକାଶ ପହଞ୍ଚି ନାହିଁ କି କେହି ପାଠ ପଢିନାହାନ୍ତି, ଏପରିକି ଅଙ୍ଗନବାଡି କି ସ୍କୁଲ ପିଣ୍ଡା ମଧ୍ୟ ମାଡ଼ି ନାହାନ୍ତି। ଗାଁରେ କେତେକ ବୟସ୍କ ଅଛନ୍ତି ଯେଉଁମାନେ ଆଜି ପର‌୍ୟ୍ୟନ୍ତ ବସ୍ କି ଗାଡିରେ ବସିନାହାନ୍ତି ।
ଏଭଳି ଦୁଇଟି ଗ୍ରାମ ହେଉଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପରମପାଙ୍ଗା ପଞ୍ଚାୟତର ବାଲମାହା ଓ ଡାମେରୀ। ଏହି ଦୁଇ ଗ୍ରାମ ପାହାଡ ଉପରେ ରହିଛି। ଗାଁକୁ ଯିବାକୁ ହେଲେ ଟେଙ୍ଗେରୀ ଦେଇ ତଣ୍ଡାପଦର ଯାଇ ସେଠାରୁ ମୋଟରସାଇକଲ କିମ୍ବା ଅନ୍ୟ ଯାନ ରଖି ପ୍ରାୟ ୫ କିମିରୁ ଅଧିକ ରାସ୍ତା ଚାଲିଚାଲି ଯିବାକୁ ପଡ଼ିବ ।
ପ୍ରଥମେ ଏକ ଛୋଟିଆ ନାଳ ଅତିକ୍ରମ କରିବା ପରେ ପାହାଡ ଚଢିଚଢି ଗ୍ରାମକୁ ଯିବାକୁ ପଡ଼େ । ଦୁଇ ଗ୍ରାମକୁ ରାସ୍ତା ନ ଥିବାରୁ ସାଇକଲରେ ଯିବା କଷ୍ଟକର। ଏହି ଦୁଇ ଗ୍ରାମରେ ପ୍ରାୟ ୧୮ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା ହେଲା ଧାନ ଚାଷ । ଏଠାରେ କୌଣସି ପ୍ରକାର ଉନ୍ନୟନ ମୂଳକ କାର‌୍ୟ୍ୟ ହେଉନାହିଁ କି\’ ଗ୍ରାମବାସୀ ମାନେ ବାହାରକୁ କୁଆଡ଼େ ଯାଉନାହାନ୍ତି।
ପାହାଡ଼ ଉପରେ ରହୁଥିଉବାରୁ ଯିବା ଆସିବାରେ ଅଧିକ ସମୟ ଚାଲିଯିବ ଭାବି ଗ୍ରାମବାସୀ କାମ କରିବାକୁ ମଧ୍ୟ ବାହାରକୁ ଯାଉନାହାନ୍ତି। ଗର୍ଭବତୀ ଚିକିତ୍ସାଳୟକୁ ନଯାଇ ଘରେ ପ୍ରସବ କରନ୍ତି। କାହାର ଦେହ ଖରାପ ହେଲେ ଦେଶୀ ଚିକିତ୍ସା କରନ୍ତି। ଦୁଇ ଗ୍ରାମରେ ପ୍ରାୟ ୨୦ରୁ ଅଧିକ ୩ବର୍ଷରୁ୧୫ ବର୍ଷ ବୟସ୍କ ପିଲା ଅଛନ୍ତି। ସଂଜିବ ମାଝୀ( ୮), ସମର ମାଝୀ (୬), ଉର୍ଷ ମାଝୀ,ଅଚିତା ମାଝୀ(୪), ଅନିମ କହଁର (୮) ବର୍ଷ ଭଳି ଅନେକ ଶିଶୁ ଗ୍ରାମରେ ରହିଥିଲେ ସୁଦ୍ଧା ଗ୍ରାମର କୌଣସି ପିଲା ଆଜି ପର‌୍ୟ୍ୟନ୍ତ ଅଙ୍ଗନବାଡି କିମ୍ବା ବିଦ୍ୟାଳୟ ପିଣ୍ଡା ମାଡ଼ିନାହାନ୍ତି ।
ଦୁଇ ଗ୍ରାମର ପିଲାଠୁ ବୁଢ଼ା ପର‌୍ୟ୍ୟନ୍ତ ସମସ୍ତେ ଅପାଠୁଆ। ଗ୍ରାମବାସୀଙ୍କ କହିବାନୁସାରେ ଗାଁ ପାଖରେ ସ୍କୁଲ ନାହିଁ ଓ ପାଠ ପଢିବାକୁ ହେଲେ ବଣ ପାହାଡ଼ ଦେଇ ୭କିମିରୁ ଅଧିକ ରାସ୍ତା ଗୁମୁଡୁମାହାକୁ ଯିବାକୁ ପଡିବ । ପାଖରେ ବିଦ୍ୟାଳୟ ନାହିଁ । ତେଣୁ ପାଠ ପଢିବାକୁ ଯାଇନୁ ବୋଲି ଗ୍ରାମବାସୀ ମାନେ କହିଛନ୍ତି। ଏହି ଗ୍ରାମର ସମସ୍ତ ପରିବାର ଆଦିବାସୀ; କିନ୍ତୁ ସେମାନଙ୍କ ପାଖରେ ଜାତି ପ୍ରମାଣପତ୍ର ଓ ଜମି ପଟ୍ଟା ନାହିଁ ।
ଏମାନଙ୍କ ସବୁଦିନିଆ ଖାଦ୍ୟ ହେଉଛି ପେଜ ଭାତ, ଲୁଣ ଓ ଲଙ୍କାଗୁଣ୍ଡ । ଗାଁରେ ପାନୀୟ ଜଳର ସୁବିଧା ନାହିଁ। ଗ୍ରାମବାସୀ ଚୁଆ ଖୋଳି ପାଣି ବ୍ୟବହାର କରନ୍ତି। ଗ୍ରାମରେ ବିଜୁଳି ନାହିଁ, ସନ୍ଧ୍ୟା ହୋଇଗଲେ ଗାଁରେ ଡିବିରି ଆଲୁଅ ଭରସା। ସନ୍ଧ୍ୟା ହୋଇଗଲେ ତାଟି କବାଟ ପଡ଼ିଯାଏ।
ଦୁଇ ଗ୍ରାମରେ ବିକାଶର ଛିଟା ପଡିନାହିଁ ବୋଲି ବାଲିମାହା ଗ୍ରାମର ସାଇନ୍ଦ ମାଝୀ, ଦାନୁଲି ମାଝୀ, ବେଲାସନ ମାଝୀ, ବାଜାଲି ମାଝୀ, ନିକନ୍ତି ମାଝୀ, ଖୁଦ ମାଝୀ, ସୁରେନ୍ଦ୍ର ମାଝୀ ଏବଂ ଓଡାମେରୀ ଗ୍ରାମର ରଙ୍ଗା ମଲିକ, ଲିମା ମାଝୀ କହିଛନ୍ତି, ଗ୍ରାମରେ ସେମାନେ ଜେଜେବାପା ଅମଳରୁ ୬୦ ବର୍ଷ ଧରି ରହିଆସୁଛନ୍ତି; କିନ୍ତୁ ଗ୍ରାମକୁ କୌଣସି ସରକାରୀ ସୁବିଧା ପହଞ୍ଚି ନାହିଁ। ଗାଁରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ମଧ୍ୟ ପଡିନାହିଁ ଓ
ଆମେ ପାଠ ପଢିନୁ କି ଆମ ପିଲାମାନେ ପାଠ ପଢି ନାହାନ୍ତି । ନିର୍ବାଚନ ସମୟରେ ବି କୌଣସି ନେତା ଆମ ଗାଁକୁ ଆସନ୍ତି ନାହିଁ । ତଥାପି ଆମେ ନିର୍ବାଚନ ସମୟରେ ଭୋଟ ଦେଉଛୁ। ଗାଁର ସମସ୍ୟା ସମ୍ପର୍କରେ କହିଛନ୍ତି ଗ୍ରାମ ଦୁଇଟି ପାହାଡ଼ ଉପରେ ରହିଛି। ତଣ୍ଡପଦରଠାରୁ ଗ୍ରାମକୁ ଯିବା ରାସ୍ତାରେ ମନରେଗାରେ ମାଟି ପକାଯାଇଛି। ଗ୍ରାମକୁ ପୂରା ମାଟି ପକାଇଲେ ବି କିଛି ଲାଭ ହେବନି। କାରଣ ଗୋଟିଏ ବର୍ଷାରେ ମାଟି ଧୋଇଯିବ।
ରାସ୍ତା ନଥିବାରୁ ଗ୍ରାମକୁ ଯାତାୟାତ କରି ହେଉନି । ଗାଁକୁ ରାସ୍ତା ହେବା ପରେ ଅନ୍ୟ ସବୁ ସୁବିଧା ଯୋଗାଇବୁ ବୋଲି ପରମପାଙ୍ଗା ସରପଞ୍ଚ ରଜନୀ ମଳିକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଦୃଷ୍ଟିବାଧିତ ଶିଶୁକନ୍ୟାକୁ ଆପଣାଇଲେ ଆମେରିକୀୟ ଦମ୍ପତି
ବାଲିଗୁଡା, ୪/୮: କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିରେ ରହୁଥିବା ଜଣେ ଦୃଷ୍ଟିବାଧିତ ଶିଶୁକନ୍ୟାକୁ ଆପଣାଇ ନେଇଛନ୍ତି ଆମେରିକୀୟ ଦମ୍ପତି। ଜଣେ ଦୃଷ୍ଟିବାଧିତ କନ୍ୟାକୁ ଆପଣାଇ ଆମେରିକୀୟ ଦମ୍ପତି ଲୋକଙ୍କ ହୃଦୟ ଜିତିଛନ୍ତି।
ଆମେରିକାର କାରଲାଇଜଲି ଏଭିନ୍ୟୁ ହେନରିକୋର ଦମ୍ପତି ଆରୋନ ମିଚେଲ ୱିଲସନ ଓ ତାଙ୍କ ପତ୍ନୀ ଡାନିଲେ ରିକିଆ ୱିଲସନ ସମସ୍ତ ସରକାରୀ ନିତି ନିୟମ ତଥା ଜିଲା ମାଜିଷ୍ଟ୍ରେଟଙ୍କ ସମସ୍ତ ନୀତି ନିୟମକୁ ମାନି ଓ କାଗଜପତ୍ର କାମ ସମ୍ପୂର୍ଣ୍ଣ କରି ବାଲିଗୁଡା ବନବାସୀ ସେବା ସମିତିରେ ରହି ଆସୁଥିବା ଜଣେ ଦୃଷ୍ଟିବାଧିତ ଶିଶୁକନ୍ୟା ଇତିକୁ ପୋଷ୍ୟସନ୍ତାନ ଭାବରେ ଆପଣାଇଛନ୍ତି।
ଅନାଥ ଇତି(କନ୍ୟା) ଗତ ୬/୪/୨୦୨୧ ମସିହାରୁ ବନବାସୀ ସେବା ସମିତିରେ ଶିଶୁଗୃହରେ ରହିଆସୁଥିଲା। ବର୍ତ୍ତମାନ ତାକୁ ବୟସ ତିନି ବର୍ଷ ଚାରି ମାସ।ଦମ୍ପତି ବନବାସୀ ସେବା ସମିତିର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିଶୁକୁ ଗ୍ରହଣ କରିଥିବାର ଜଣାଯାଇଛି।
ଆମେରିକା ଦମ୍ପତି ପୋଷ୍ୟସନ୍ତାନ ଗ୍ରହଣବେଳେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରଜତ କୁମାର ଦିଗାଳ ଏବଂ ଅନ୍ୟ ସଦସ୍ୟମାନଙ୍କ ସହିତ ଡିସିପିଓ ରଶ୍ମିତା କରନ୍‌‌, ବନବାସୀ ସେବା ସମିତିର ସହ ସଂପାଦକ ରବୀନ୍ଦ୍ର କୁମାର ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଗତ ୩ ବର୍ଷ ହେଲା ସେମାନେ ତାରା(ସେଣ୍ଟ୍ରାଲ୍‌‌ ଆଡପସନ୍‌‌ ରିସୋର୍ସ ଅଥରିଟି) ପାଖରେ ସେମାନେ ଆବେଦନ କରିଥିବାବେଳେ ଗତ ୩ ଦିନ ତଳେ ଉକ୍ତ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବାର ଡିସିପିଓ ରଶ୍ମିତା କରନ୍‌‌ ସୂଚନା ଦେଇଛନ୍ତି। ଦୁଇବର୍ଷ ପର୍ଯ୍ୟନ୍ତ ଏହି ଦମ୍ପତି ଶିଶୁ କନ୍ୟାର କିଭଳି ଭାବେ ଯତ୍ନ ନେଉଛନ୍ତି ତାହା କନ୍ଧମାଳ ଜିଲା ପ୍ରଶାସନ ଓ ବନବାସୀ ସେବା ସମିତିଙ୍କୁ ସଂପୂର୍ଣ୍ଣ ତଥ୍ୟା ପ୍ରତ୍ୟେକ ସମୟରେ ପ୍ରଦାନ କରିବାର ନିୟମ ରହିଛି ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଆମେରିକୀୟ ଦମ୍ପତି ଉକ୍ତ ଦୃଷ୍ଟିବାଧିତ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ଯୋଗୁଁ ବନବାସୀ ସେବା ସମିତି ଓ ବିଭିନ୍ନ ମହଲରେ ଖୁସିର ଲହରିୀ ଖେଳିଯାଇଛି।
ଉଲ୍ଲେଖଯୋଗ୍ୟ, ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଦମ୍ପତିଙ୍କ ମଧ୍ୟରୁ ସ୍ୱାମୀ ଗୋଟିଏ ୫-ଷ୍ଟାର ହୋଟେଲରେ କାମ କରୁଥିବାବେଳେ ତାଙ୍କ ପତ୍ନା ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର‌୍ୟ୍ୟରତ ଥିବା ତଥ୍ୟ ପ୍ରଦାନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031