Legatus

ନବୀନଙ୍କ ଉପରେ ବର୍ଷିଲେ ଶାହ: ୨୦ବର୍ଷରେ ବିକାଶ ଶୂନ, ଖଣି ଲୁଟ୍ ଚାଲିଛି, ଅଫିସରମାନେ ଭୟଙ୍କର ଭ୍ରଷ୍ଟାଚାରରେ ଲିପ୍ତ

 Breaking News

ନବୀନଙ୍କ ଉପରେ ବର୍ଷିଲେ ଶାହ: ୨୦ବର୍ଷରେ ବିକାଶ ଶୂନ, ଖଣି ଲୁଟ୍ ଚାଲିଛି, ଅଫିସରମାନେ ଭୟଙ୍କର ଭ୍ରଷ୍ଟାଚାରରେ ଲିପ୍ତ

ନବୀନଙ୍କ ଉପରେ ବର୍ଷିଲେ ଶାହ: ୨୦ବର୍ଷରେ ବିକାଶ ଶୂନ, ଖଣି ଲୁଟ୍ ଚାଲିଛି, ଅଫିସରମାନେ ଭୟଙ୍କର ଭ୍ରଷ୍ଟାଚାରରେ ଲିପ୍ତ
April 25
21:27 2024

ସୋନପୁର, ୨୫/୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ନିର୍ବାଚନ ବିଗୁଲ୍ ବଜାଇଛନ୍ତି। ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ରାମେଶ୍ବର ଷ୍ଟାଡିୟମ୍ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶାହ କହିଛନ୍ତି, ଓଡ଼ିଶାରେ ଖଣିଜ ସଂପଦ ପ୍ରଚରୁ ରହିଛି। ସବୁଠାରୁ ଅଧିକ ପାଣି ରହିଛି। ତଥାପି ଓଡ଼ିଶାର ବିକାଶ ହୋଇପାରୁ ନାହିଁ।
ଓଡ଼ିଶାର ଜନତା ମୁମ୍ବାଇ, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଉଛନ୍ତି। ଭାରତୀୟ ଜନତା ପାର୍ଟିର ସରକାର ଆସିଲେ ଓଡ଼ିଶାର ଲୋକଙ୍କୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ। ଲୋକଙ୍କୁ ଏଠାରେ ରୋଜଗାର ମିଳିବ।
ଶ୍ରୀ ଶାହ କହିଛନ୍ତି, କେନ୍ଦ୍ର ସରକାର ଯେତିକି ଟଙ୍କା ଦେଉଛନ୍ତି, ରାଜ୍ୟ ସରକାର ତାହା ବିନିଯୋଗ କରିପାରୁ ନାହିଁ। ଭାରତୀୟ ଜନତା ପାର୍ଟିର ସରକାର ପ୍ରତ୍ୟେକ ଘରକୁ ପାଣି ଯୋଗାଇବ।
ନବୀନ ସରକାରଙ୍କୁ ଡର ଯେ, ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁହେଲେ ରାଜ୍ୟ ସରକାରଙ୍କ ଲୋକପ୍ରିୟତା କମି ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବଢ଼ିଯିବ। ଓଡ଼ିଶାର ଭାଷା ଓ ସଂସ୍କୃତିର ଉନ୍ନତି ପାଇଁ ବିଜେପି ସରକାର ଆସିବାର ଅଛି।
ବିଜେପି ମାତ୍ର ୫ ବର୍ଷ ମଧ୍ୟରେ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିପାରିବ। ଆମେ ଲୁଗା କାରଖାନା କରି କପାଚାଷୀଙ୍କ ବିକାଶ କରିବୁ। କେନ୍ଦ୍ରର ଅନୁଦାନକୁ ରାଜ୍ୟ ସରକାର ନିଜର ଫଟୋ ଦେଇ ଲୋକପ୍ରିୟତା ହାସଲ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ଶାହ କହିଛନ୍ତି।
ଏହା ପୂର୍ବରୁ ଶ୍ରୀ ଶାହ କହିଥିଲେ ଓଡ଼ିଶାର ଏହି ପବିତ୍ର ମାଟିରେ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆସିଛି। ମୁଁ ଗୁଜରାଟର ମହାପ୍ରଭୁ ଜଗନ୍ନାଥଙ୍କ ମାଟିରୁ ଆସିଛି। ଜଗନ୍ନାଥଙ୍କ ପବିତ୍ର ମାଟି ଓଡ଼ିଶାରେ ପହଞ୍ଚିଛି। ଦେଶର ଚାରିଆଡ଼େ ଯାଇଛି। ଏବେ ଓଡ଼ିଶାରେ ପହଞ୍ଚିଛି।
ଚାରିଆଡ଼େ ମୋଦୀ ଲହର ଦେଖିବାକୁ ମିଳୁଛି। ଓଡ଼ିଶାର ଲୋକ ମଧ୍ୟ ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ୨୦ଟି ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଚାହୁଁଛନ୍ତି। ଓଡ଼ିଶାରେ ମଧ୍ୟ ବହୁମତ ସହିତ ବିଜେପି ସରକାର କରିବ। ୧୦ ବର୍ଷ ହେଲା ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ବିକାଶ ହୋଇଛି।
ଶ୍ରୀ ଶାହ ବଲାଙ୍ଗୀର ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓଙ୍କ ସମେତ ପଶ୍ଚିମ ଓଡ଼ିଶାରେ ବିଜେପିର ଅନ୍ୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି।
ଚଳିତ ନିର୍ବାଚନ ପାଇଁ ଶ୍ରୀ ଶାହଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି। ସୋନପୁର ସଭାସ୍ଥଳୀରେ ହଜାର ହଜାର କର୍ମୀ ଓ ସମର୍ଥକଙ୍କର ଭିଡ଼ ହୋଇଛି।
ଶ୍ରୀ ଶାହଙ୍କ ସୋନପୁର ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସଂଗୀତା ସିଂହଦେଓ, ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର, ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦାଲା, ଲୋଇସିଂହା ବିଧାୟକ ମୁକେଶ ମହାଳିଙ୍ଗ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, କନକବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ଗୋଳକ ମହାପାତ୍ରଙ୍କ ସମେତ ରାଜ୍ୟସ୍ତରୀୟ ଶୀର୍ଷ ନେତା ଯୋଗଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930