Indus Valley Times

ଘରୋଇ ଡାକ୍ତରଖାନାରେ ଅଙ୍ଗ ଚୋରି ଅଭିଯୋଗ ନେଇ ତଦନ୍ତ ନିର୍ଦ୍ଦେଶ

 Breaking News

ଘରୋଇ ଡାକ୍ତରଖାନାରେ ଅଙ୍ଗ ଚୋରି ଅଭିଯୋଗ ନେଇ ତଦନ୍ତ ନିର୍ଦ୍ଦେଶ

ଘରୋଇ ଡାକ୍ତରଖାନାରେ ଅଙ୍ଗ ଚୋରି ଅଭିଯୋଗ ନେଇ ତଦନ୍ତ ନିର୍ଦ୍ଦେଶ
October 18
18:54 2024

କଟକ, ୧୮/୧୦ : ଦୁର୍ଘଟଣାରେ ମୁଣ୍ଡରେ ଲାଗିଥିଲା ଆଘାତ। ହେଲେ ରୋଗୀଙ୍କ ତଳି ପେଟ ଅପରେସନ୍ କରିଦେଲେ ଡାକ୍ତର! ଏପରି ସଙ୍ଗୀନ ଅଭିଯୋଗ କଟକ ରୁଦ୍ର ହସ୍ପିଟାଲ ବିରୋଧରେ ଆସିଛି। ଅଭିଯୋଗ ହେଉଛି ଅପରେସନ୍ ନାଁରେ ମେଡିକାଲ୍ କର୍ତ୍ତୃପକ୍ଷ ଅଙ୍ଗ ତସ୍କରୀ କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଛି ପୁଲିସ। ଅନ୍ୟପକ୍ଷରେ ମେଡ଼ିକାଲ୍ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଟିକରବାଜୁ ଗାଁର ବାବୁଲା ଦିଗାଳ ଗତ ୧୩ ତାରିଖରେ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନଘଟିବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ ସେମିତି କିଛି ଉନ୍ନତି ଘଟୁନଥିଲା।
ତେଣୁ ପରିବାର ଲୋକେ ଜଣେ ଆମ୍ୱୁଲାନ୍ସ ଡ୍ରାଇଭରଙ୍କ କଥାରେ ପଡ଼ି ବାବୁଲାଙ୍କୁ କଟକ ରୁଦ୍ର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ମେଡିକାଲରେ ଆଡ୍‌ମିଟ ହେବାର ଗୋଟିଏ ଦିନ ପରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ମେଡ଼ିକାଲ୍ କର୍ତ୍ତୃପକ୍ଷ ଏ ସମ୍ପର୍କରେ ପୁଲିସ୍‌କୁ ଜଣାଇଲେ ନାହିଁ। ଏପରିକି ପରିବାର ଲୋକଙ୍କୁ ମୃତଦେହ ଦେଖିବାକୁ ଦେଲେ ନାହିଁ। ଚିକିତ୍ସା ବାବଦକୁ ଲକ୍ଷେ ୧୦ ହଜାର ଟଙ୍କା ନେଇ ମୃତଦେହକୁ ତରବରିଆ ଭାବେ ପଲିଥିନ୍ ଗୋଡ଼ାଇ ଏକ ପ୍ରାଇଭେଟ୍ ଆମ୍ୱୁଲାନ୍ସରେ ଘରକୁ ପଠାଇ ଦେଇଥିଲେ।
ମୃତଦେହ ଯାଉଥିବା ଆମ୍ୱୁଲାନ୍ସରେ ବାବୁଲାଙ୍କ ପତ୍ନୀ ଥିଲେ। ତେବେ ଅଧା ବାଟରେ ମୃତ ସ୍ୱାମୀଙ୍କ ମୁହଁ ଦେଖିବା ପାଇଁ ଜିଦ୍ ଧରିଥିଲେ। ଆଉ ସେତେବେଳେ ସେ ଦେଖିବାକୁ ପାଇଥିଲେ ତଳି ପେଟରେ ବ୍ୟାଣ୍ଡେଜ୍ ପଡ଼ିଛି। ଯଦି ମୁଣ୍ଡରେ ଆଘାତ ଲାଗିଥିଲା, ତାହାହେଲେ ତଳି ପେଟରେ କ’ଣ ପାଇଁ ବ୍ୟାଣ୍ଡେଜ୍ ପଡ଼ିଲା? ଯାହାକୁ ନେଇ ପତ୍ନୀଙ୍କ ମନରେ ନାନା ସନ୍ଦେହ ହୋଇଥିଲା। ହେଲେ ପରିବାର ଲୋକ ତାହା ଉପରେ ବେଶୀ ଧ୍ୟାନ ନଦେଇ ରୀତିନୀତି ଅନୁସାରେ ମୃତଦେହକୁ ଗାତ ଖୋଳି ପୋତି ଦେଇଥିଲେ।
ଗୁରୁବାର ମୃତ ବାବୁଲାଙ୍କ ସ୍ତ୍ରୀ ଏନେଇ ପରିବାର ଲୋକଙ୍କୁ କହିଥିଲେ। ତା’ପରେ ପରିବାର ଲୋକେ ଅଙ୍ଗ ତସ୍କରୀ ହୋଇଥିବା ସନ୍ଦେହ କରି ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଆଜି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କବରରୁ ବାବୁଲାଙ୍କ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶେଷ ଖବର ଅନୁସାରେ ମୃତଦେହ ବ୍ୟବଚ୍ଛେଦ ସରିଛି। କେବଳ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ରହିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଉକ୍ତ ଘରୋଇ ମେଡ଼ିକାଲ୍‌ରେ ପହଞ୍ଚି ପୁଲିସ ତନାଘନା କରୁଛି।
ଅନ୍ୟପକ୍ଷରେ ଅଙ୍ଗ ତସ୍କରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେଡ଼ିକାଲ୍ କର୍ତ୍ତୃପକ୍ଷ। ରୁଦ୍ର ମେଡ଼ିକାଲ୍‌ର ମ୍ୟାନେଜର ପ୍ରଶାନ୍ତ ବେହେରା କହିଛନ୍ତି, ଅତି ଗୁରୁତ୍ୱର ଅବସ୍ଥାରେ ରୋଗୀ ଜଣକ ଆସିଥିଲେ। ମେଡ଼ିକାଲ୍‌ରେ ପହଞ୍ଚିବା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଡିକମ୍ପ୍ରେସିଭ୍ କ୍ରାନିଓଟୋନିକ ହୋଇଥିଲା। ତେଣୁ କ୍ରାନିଓଟୋନିକ୍‌ରୁ ସ୍କଲ କଢ଼ା ଯାଇ ପେଟରେ ରହିଥିଲା। ରୋଗୀ ସୁସ୍ଥ ହେବାର ୬ ମାସ ପରେ ସ୍କଲ୍‌କୁ ପେଟରୁ ବାହାର କରାଯାଇ ମୁଣ୍ଡରେ ଲଗାଯାଇଥାଏ। ଅପରେସନ୍ ପୂର୍ବରୁ ନ୍ୟୁରୋସର୍ଜନ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସବୁ ନିୟମ ପାଳନ କରାଯାଇ ଅପରେସନ୍ କରାଯାଇଥିଲା। ଅଙ୍ଗ ତସ୍କରୀ ହେବାର ଚାନ୍ସ ନହିଁ ବୋଲି ଶ୍ରୀ ବେହେରା କହିଛନ୍ତି।
ସେପଟେ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଘଟଣା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31