Indus Valley Times

ମହିଳା କମିଶନ ଭଙ୍ଗ କଲେ ସରକାର

 Breaking News

ମହିଳା କମିଶନ ଭଙ୍ଗ କଲେ ସରକାର

ମହିଳା କମିଶନ ଭଙ୍ଗ କଲେ ସରକାର
October 23
19:18 2024

ଭୁବନେଶ୍ୱର,୨୩/୧୦ : ରାଜ୍ୟର ମୋହନ ମାଝୀ ସରକାର ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଓ ସମସ୍ତ ସଦସ୍ୟାଙ୍କୁ ତତ୍କାଳ ପ୍ରଭାବରୁ ବରଖାସ୍ତ କରିଛନ୍ତି ।
ବିଜେଡି ସରକାର ସମୟରେ ମହିଳା ଆୟୋଗରେ ଥଇଥାନ ହୋଇଥିବା ଆଗଧାଡ଼ିର ବିଜେଡି ନେତ୍ରୀମାନେ ନିଜଆଡ଼ୁ ଇସ୍ତଫା ନଦେବା ପରେ ରାଜ୍ୟର ବିଜେପି ସରକାର ନିଜ କ୍ଷମତାର ଉପଯୋଗ କରି ସେମାନଙ୍କୁ ବରଖାସ୍ତ କରିଥିବା ଜଣାପଡ଼ିଛି । ଏହାସହିତ ରାଜ୍ୟରେ ମହିଳା ଆୟୋଗର ନୂଆ ଅଧ୍ୟକ୍ଷା ଓ ସଦସ୍ୟା ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟରୁ ଜାରି ସୂଚନା ଅନୁସାରେ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରା ଓ ଅନ୍ୟ ୪ଜଣ ସଦସ୍ୟା ସ୍ପର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ୱାଇଁ ଓ ବିଜୟା ବରୱାଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଛି । ଏନେଇ ଖୁବଶୀଘ୍ର ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ।
ଉଲ୍ଲେଖଯୋଗ୍ୟ, ମହିଳା ଆୟୋଗ ଅଧ୍ୟକ୍ଷା ଓ ଅନ୍ୟ ୪ଜଣ ସଦସ୍ୟା ସମସ୍ତେ ବିଜେଡିର ସକ୍ରିୟ ଆଗଧାଡ଼ିର ନେତ୍ରୀ । ବିଜେଡି ସରକାରରେ ସେମାନଙ୍କୁ ଏହି ମହିଳା ଆୟୋଗରେ ଥଇଥାନ କରାଯାଇଥିଲା ।
ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ୨୦୨୨ ଅକ୍ଟୋବର ମାସରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କରାଯାଇଥିବାବେଳେ ୨୦୨୩ ଏପ୍ରିଲ ମାସରେ ଅନ୍ୟ ୪ଜଣ ବିଜେଡି ନେତ୍ରୀଙ୍କୁ ଆୟୋଗର ସଦସ୍ୟା ଭାବେ ଅବସ୍ଥାପିତ କରାଯାଇଥିଲା ।
ତେବେ ରାଜ୍ୟରେ ଜୁନ୍ ମାସରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସମସ୍ତ ନିଗମ,ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ପଦବୀରେ ଥଇଥାନ ହୋଇଥିବା ବିଜେଡି ନେତାମାନଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦେଇଥିଲେ । କିନ୍ତୁ ରାଜ୍ୟ ମହିଳା ଆୟୋଗ ଓ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ବିଜେଡି ନେତ୍ରୀମାନଙ୍କୁ ହଟାଯାଇନଥିଲା ।
ସେମାନେ ନିଜଆଡ଼ୁ ଇସ୍ତଫା ନଦେବା ପରେ ରାଜ୍ୟ ସରକାର ଓଡ଼ିଶା ଆକ୍ଟ-୧୯୯୪ର ଧାରା ୩ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ବରଖାସ୍ତ କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଏହି ଆୟୋଗର ଅଧ୍ୟକ୍ଷା ଓ ସଦସ୍ୟମ।।ନଙ୍କ କାର‌୍ୟ୍ୟକାଳ ୩ବର୍ଷ ପାଇଁ ରହିଥାଏ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031