Indus Valley Times

ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ କ୍ୟାଡର ମାଓବାଦୀ ବିଜାର ଆତ୍ମସମର୍ପଣ

 Breaking News

ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ କ୍ୟାଡର ମାଓବାଦୀ ବିଜାର ଆତ୍ମସମର୍ପଣ

November 29
11:17 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୯/୧୧ : ସୁରକ୍ଷା ବାହିନୀଙ୍କ ଲଗାତାର ଚଢ଼ାଉ ଫଳରେ କନ୍ଧମାଳ ଜିଲାରେ ମାଓ ଦୁର୍ଗ ଭୁଷୁଡ଼ିବାରେ ଲାଗିଛି। ଚଳିତ ବର୍ଷ ବୌଦ୍ଧ, କନ୍ଧମାଳ ଜିଲାରେ ପୁଲିସ ଗୁଳିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁବାର ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ବିଜା ମାଡଭୀ ଓରଫ ଟିକେସ
ଛତିଶଗଡ଼ ସୁକମା ଜିଲା କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଳଗୁଡା ଗ୍ରାମର ବିଜା ୨୦୧୮ ମସିହାରୁ ମାଓ ସଙ୍ଗଠନର ଦରବା ଡିଭିଜନରେ ସାମିଲ ହୋଇ ପଶ୍ଚିମ ବସ୍ତର, ମାଦ ଏବଂ ଉତ୍ତର ବସ୍ତର ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲେ।
୨୦୨୦ ମସିହାରେ ସେ ଓଡ଼ିଶା କ୍ୟାଡରକୁ ଆସି ଅଷ୍ଟମ କମ୍ପାନୀ (କାଡାମ ଏରିଆ କମିଟି) ର ସଦସ୍ୟ ଭାବେ ନୂଆପଡା ଅଞ୍ଚଳରେ ସକ୍ରିୟ ରହିଥିଲେ। ଏବେ ସେ କନ୍ଧମାଳ ଜିଲାର ରାହୁଲ ଏରିଆ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।
ବିଜା ଗତ ଫେବୃଆରୀ ମାସରେ ପୁଲିସ ଗୁଳିରେ ନିହତ ହୋଇଥିବା ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ ଥିଲେ। ୨୦୨୦ ମସିହା ସିର୍ଲା, ବାଇବାଲି ସମେତ ୧୦ଟି ଗୁଳି ବିନିମୟ ଘଟଣାରେ ସେ ସାମିଲ ଥିଲେ ବୋଲି ଗୁରୁବାର ଜିଲା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ।
ମାଓ ସଙ୍ଗଠନ ପ୍ରତି ଜନସମର୍ଥନ କ୍ରମାଗତ ଭାବେ ହ୍ରାସ ପାଉଥିବାବେଳେ‌ ସଙ୍ଗଠନ ଭିତରେ ଉତ୍ପୀଡ଼ନ ଏବଂ ବିକାଶ ବିରୋଧୀ କାର୍ଯ୍ୟକଳାପ ପ୍ରତି ବିତସ୍ପୃହ ହୋଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି ବିଜା। ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ବାଲିଗୁଡ଼ା ଥାନା ଅନ୍ତର୍ଗତ ସରୁଲଇ ନିକଟରେ ଚଢାଉ କରି ଜିଲେଟିନ ଷ୍ଟିକ, ବନ୍ଧୁକ, ଖାଦ୍ୟ ସାମଗ୍ରୀ, ପୋଷାକ ସହିତ ବିପୁଳ ମାଓ ସାମଗ୍ରୀ ଜବତ କରିଛି।
ଗୁରୁବାର କନ୍ଧମାଳ ଜିଲା ପୁଲିସ ମୁଖ୍ୟାଳୟ ଠାରେ ଦକ୍ଷିଣାଞ୍ଚଳ ଡିଆଇଜି ଡ. ଷଡ଼ଙ୍ଗୀ ଏବଂ କନ୍ଧମାଳ ଏସପି ହରିଶ ବି.ସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛି ଏହି ମାଓବାଦୀ। ତାଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏ ଅବସରରେ ଡିଆଇଜି ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31