Indus Valley Times

ନୃସଂଶତାର ସବୁ ସୀମା ଟପିଲେ କଳାକାର, ମଞ୍ଚରେ ଘୁଷୁରୀ ମାରି ଖାଇଗଲେ

 Breaking News

ନୃସଂଶତାର ସବୁ ସୀମା ଟପିଲେ କଳାକାର, ମଞ୍ଚରେ ଘୁଷୁରୀ ମାରି ଖାଇଗଲେ

December 01
18:36 2024

ଗଞ୍ଜାମ, ୧/୧୨ : ଅସୁର ଭୂମିକାରେ ଅଭିନୟ କରୁଥିଲେ। କିନ୍ତୁ ସତକୁ ସତ ଅସୁର ପାଲଟି ଯାଇଥିଲେ। ମଞ୍ଚ ଉପରେ ଜୀଅନ୍ତା ଘୁଷୁରୀକୁ ମାରି ତା’ ମାଂସ ଖାଇଥିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ।
ଏମିତି ଏକ ନୃଶଂସ ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ରାଲବ ଗାଁରେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଆହୁରି ଆଶ୍ଚର୍ଯ୍ୟର କଥା, ଶହ ଶହ ଲୋକ ଏ ଦୃଶ୍ୟ ଦେଖୁଥିଲେ ବି କେହି ସେହି କଳାକାରମାନଙ୍କୁ ଅଟକାଇବାକୁ ପ୍ରୟାସ କରି ନଥିଲେ।
ରାଲବ ଗାଁରେ ଗତ ନଭେମ୍ବର ୨୪ ତାରିଖରେ ପରିବେଷଣ ହୋଇଥିଲା ପୌରାଣିକ ନାଟକ ରାମାୟଣ। ନାଟକ ଆଗେଇ ଚାଲିଥିବା ବେଳେ ଏକ ସମୟରେ ମଞ୍ଚ ଉପରେ ଅଭିନୟ କରୁଥିଲେ ରାକ୍ଷସ ବେଶରେ ଥିବା କିଛି କିଳାକାର। ସେତେବେଳେ ଏକ ଛୋଟ ଜୀବନ୍ତ ଘୁଷୁରୀକୁ ମଞ୍ଚରେ ବାନ୍ଧି ଝୁଲାଇ ଦିଆଯାଇଥିଲା। ତା’ ପଛ ଗୋଡ଼ ଦୁଇଟି ଉପରକୁ ଥିବା ବେଳେ ମୁଣ୍ଡ ତଳକୁ ଥିଲା। ତା’ ମୁହଁକୁ ବାନ୍ଧି ଦିଆଯାଇଥିଲା।
ରାକ୍ଷସ ଭୂମିକାରେ ଅଭିନୟ କରୁଥିବା ପ୍ରାୟ ୫ ଜଣ କଳାକାର ଘୁଷୁରୀ ପାଖକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଝୁଲି ରହିଥିବା ଘୁଷୁରୀର ପେଟକୁ ଚିରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଘୁଷୁରୀଟି ଜୋରରେ ଛଟପଟ ହୋଇଥିଲା। ସେ ଏକ କପଡ଼ାରେ ଘୁଷୁରୀର ଆଗ ଗୋଡ଼ ଦୁଇଟିକୁ ବାନ୍ଧି ଦେଇଥିଲେ।
ତା’ପରେ ସେ ଘୁଷୁରୀର ପେଟ ଚିରି ତା’ ଅନ୍ତବୁଜୁଳା ବାହାର କରି ଦେଇଥିଲେ। ଏହା ପରେ ଅନ୍ୟ ଜଣେ କଳାକାର ପାଟି ଲଗାଇ ଘୁଷୁରୀ ପେଟ ଭିତରୁ କିଛି ଅଂଶ ଟାଣି ଆଣି ତାକୁ ଚୋବାଉଥିବା ଦେଖିବାକୁ ମିଳିଥିଲା। ଏମିତି କିଛି ସମୟ ଧରି ଏ ପ୍ରକାର ଦୃଶ୍ୟ ସେଠାରେ ଦେଖିବାକୁ ମିଳିଥିଲା। କିନ୍ତୁ ଉପସ୍ଥିତ ଦର୍ଶକମାନେ ଏହାକୁ ବିରୋଧ କରିବା ଦେଖିବାକୁ ମିଳି ନଥିଲା।
ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ସହିତ ପ୍ରାଣୀଧନ ପ୍ରେମୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେହି କେହି ଏହାକୁ ‘କଳା’ ନାଁରେ ‘କଳା’ ବା ‘କଳଙ୍କ’ କହୁଥିବା ବେଳେ ଆଉ କେହି କହିଛନ୍ତି ସେମାନେ ରାମାୟଣ ନାଟକକୁ ମଧ୍ୟ ଅପମାନିତ କରିଛନ୍ତି। ନାଟକ ନାଁରେ ପ୍ରାଣୀଧନଙ୍କ ପ୍ରତି ଏଭଳି ଅମାନବିକ ଆଚରଣ ଆଦୌ ଗ୍ରହଣୀୟ ନୁହେଁ।
ଏପରି କରି ସେମାନେ ଆଇନର ମଧ୍ୟ ଉଲ୍ଲଂଘନ କରିଛନ୍ତି। ରାକ୍ଷସ ଭୂମିକାରେ ଅଭିନୟ କରିଥିବା କଳାକାରମାନେ ମଞ୍ଚ ଉପରେ ବିଷାକ୍ତ ସାପ ମଧ୍ୟ ଖେଳାଇଥିଲେ। ଏପରି କରି ସେମାନେ ଆଇନ ଉଲ୍ଲଂଘନ କରିବା ସହିତ ଉପସ୍ଥିତ ଦର୍ଶକମାନଙ୍କୁ ବିପଦ ମୁହଁଙ୍କୁ ମଧ୍ୟ ଠେଲିଥିଲେ ବୋଲି ବିଭିନ୍ନ ବର୍ଗର ଲୋକେ କହିଛନ୍ତି।
ଆଇନଜୀବୀ ସନ୍ତୋଷ ପାଣିଗ୍ରାହୀ କହିଛନ୍ତି, ମଞ୍ଚରେ ନାଟକ ପରିବେଷଣ ବେଳେ ଜୀବନ୍ତ ଘୁଷୁରୀକୁ ମାରି ଖାଇବା ଏକ ଆଇନ ବିରୋଧୀ କାର‌୍ୟ୍ୟ। ଏପରି କରି ସେମାନେ ଓଡ଼ିଶାରେ ପ୍ରଚଳିତ ବନ୍ୟପ୍ରାଣୀ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ସେହିପରି ମଞ୍ଚରେ ହଜାର ହଜାର ଲୋକଙ୍କ ଆଗରେ ସେମାନେ ବିଷଧର ସାପ ଖେଳାଉଥିଲେ। କୌଣସି କାରଣ ବଶତଃ ସାପ ସେମାନଙ୍କ ହାତରୁ ଖସି ଯାଇଥିଲେ, ବହୁ ଲୋକଙ୍କ ଜୀବନହାନି ହେବାର ଆଶଙ୍କା ରହିଥିଲା। ତେଣୁ ସେ ଅଞ୍ଚଳର ବନ ବିଭାଗ ଅଧିକାରୀ ତୁରନ୍ତ ଥାନାକୁ ଯାଇ ଏଫଆଇଆର ଦିଅନ୍ତୁ। ଏହି ଘଟଣାରେ ସଂପୃକ୍ତ କଳାକାରଙ୍କ ସହିତ ଉକ୍ତ ନାଟକ ସଂସ୍ଥାର ମ୍ୟାନେଜର ଏବଂ ଅନ୍ୟାନ୍ୟ ଲୋକଙ୍କ ବିରୋଧରେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ନିଆଯାଉ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031