Indus Valley Times

ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ,ଶ୍ରୀଗୁଣ୍ଡିଚା ଯାତ୍ରା

 Breaking News

ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ,ଶ୍ରୀଗୁଣ୍ଡିଚା ଯାତ୍ରା

ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ,ଶ୍ରୀଗୁଣ୍ଡିଚା ଯାତ୍ରା
June 25
18:16 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୫/୬ : ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥି ପୁଷ୍ୟା ନକ୍ଷତ୍ରରେ ପବିତ୍ର ଘୋଷଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥାଏ।
ଭକ୍ତ ବତ୍ସଳ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ,ମା ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ଲକ୍ଷ ଲକ୍ଷ ଭକ୍ତଜନଙ୍କ ଗ୍ରହଣରେ ରଥରେ ବିରାଜମାନ କରି ୯ ଦିନ ଯାତ୍ରାରେ ଜନ୍ମବେଦୀକୁ ଗମନ କରିଥାନ୍ତି।
ମହାପ୍ରଭୁଙ୍କ ଏହି ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା ବହୁ ପ୍ରାଚୀନ ବୋଲି ବିଭିନ୍ନ ପୁରାଣ ମାନଙ୍କରୁ ସୂଚନା ମିଳେ। \’ସ୍କନ୍ଦ ପୁରାଣ\’ ଉତ୍କଳଖଣ୍ଡ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟରେ ଉଲ୍ଲେଖ ରହିଛି ମହାପ୍ରଭୁଙ୍କର ସମସ୍ତ ଯାତ୍ରା ମଧ୍ୟରେ ରଥଯାତ୍ରା ମହୋତ୍ସବ ସର୍ବଶ୍ରେଷ୍ଠ ।
ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଷୟ \’ରଥଚକଡ଼ା\’ ପୋଥିରେ ଉଲ୍ଲେଖ ଥିବା ଗବେଷକ ମତ ଦିଅନ୍ତି।
ସମଗ୍ର ସୃଷ୍ଟିରେ ରହସ୍ୟମୟ ଦାରୁ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ। ସେ ଜଗବନ୍ଧୁ ଜଗତପତି ଭାବରେ ସାରା ବିଶ୍ୱକୁ ଏକତ୍ର କରି ପାରିଛନ୍ତି ଆପଣାର ମାୟା ସୂତ୍ରରେ।
ଭକ୍ତ ,ଭକ୍ତି ଓ ଭଗବାନଙ୍କର ସମନ୍ୱୟ ପାଇଁ ଯାତ୍ରାର ସୃଷ୍ଟି ହୋଇଥାଏ। ଜଗନ୍ନାଥଙ୍କର ଭକ୍ତ ଦେଶ ରଥଯାତ୍ରା ହେଉଛି ଏକତା, ମୈତ୍ରୀ ଓ ଶାନ୍ତିର ପ୍ରତୀକ । ଭକ୍ତ ଓ ଭଗବାନଙ୍କ ମହାମିଳନର ଅପୂର୍ବ ସମାହାର ହେଉଛି ରଥଯାତ୍ରା। ଭକ୍ତିର ଦିଅଁ ହେଉଛନ୍ତି କାଳିଆ ସାଆନ୍ତେ। ଏ ଯାତ୍ରା କେବଳ ଭକ୍ତ ମାନଙ୍କ ପାଇଁ ଭକ୍ତଦେଶ ଯାତ୍ରା ।
ଯେଉଁଠାରେ ଥାଏ କେବଳ ନିବେଦନ, ସମର୍ପଣ ଓ ସମନ୍ୱୟ । ସେ କରୁଣାମୟ, ଅଗତିର ଗତି,ଅପାର କରୁଣାସିନ୍ଧୁ, ସାରା ବିଶ୍ୱରେ ସତ୍ୟ,ଧର୍ମ,ଶାନ୍ତି,ଐକ୍ୟ,ପ୍ରେମ ପ୍ରତିଷ୍ଠା କରିବା ନିମନ୍ତେ ପ୍ରଭୁଙ୍କର ଏ ଲୀଳା।
ଚଳିତ ବର୍ଷ ରଥଯାତ୍ରା ଗୋଟିଏ ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି। ରଥଯାତ୍ରା ହେଉଛି ପରଂବ୍ରହ୍ମଙ୍କର ପାବନୀ ଯାତ୍ରା। ଉତ୍କଳୀୟ ସଂସ୍କୃତିର ଅସ୍ମିତା ହିଁ ଶ୍ରୀଜଗନ୍ନାଥ। ସର୍ବଧର୍ମ ସମନ୍ୱୟର ପ୍ରତୀକ ହେଉଛନ୍ତି ଜଗତରନାଥ ଜଗନ୍ନାଥ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଆତ୍ମାନୁଭବର ଠାକୁର। ବିଶ୍ୱ ଐତିହ୍ୟ ଓ ସଂସ୍କୃତିରେ ଜଗନ୍ନାଥଙ୍କ ଘୋଷଯାତ୍ରାର ଭୂମିକା ଅତୁଳନୀୟ। ନବଦିନାତ୍ମକ ଯାତ୍ରାରେ ଭାଇ ଭଉଣୀଙ୍କୁ ସଙ୍ଗରେ ଧରି ପ୍ରଭୁ ବିଜେ କରିବେ ଶ୍ରୀଗୁଣ୍ଡିଚା ଜନ୍ମବେଦୀକୁ। ମା\’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଶ୍ରୀମନ୍ଦିରରେ ଛାଡି। କୋଟି ଓଡ଼ିଆର ମଉଡ଼ମଣି ଜଗତରନାଥ ଜଗନ୍ନାଥ କାଳିଆ ସାଆନ୍ତେ ଓହ୍ଲାଇ ଆସିବେ ରତ୍ନ ସିଂହାସନରୁ ବଡଦାଣ୍ଡକୁ।
ମଣିମାଙ୍କ ଅପେକ୍ଷାରେ ସାରା ଜଗତ। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିଛନ୍ତି ତିନିରଥ। ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ। ବଡଦାଣ୍ଡ ହେବ କୋଳାହଳରେ ପରିପୂର୍ଣ୍ଣ ।
ଜାତି ,ଧର୍ମ, ବର୍ଣ୍ଣ ସମ୍ପ୍ରଦାୟ ଆଦି ସମସ୍ତ ସଂକୀର୍ଣ୍ଣତାକୁ ପଛରେ ପକାଇ ଭକ୍ତ – ଭଗବାନ ଏକାକାର ହୋଇଯାଆନ୍ତି ବଡଦାଣ୍ଡରେ ଅନୁଷ୍ଠିତ ରଥଯାତ୍ରାରେ। କେତେ ପାପୀ କେତେ ତପି ସମସ୍ତଙ୍କୁ ମହାବାହୁ କୋଳେଇ ନେବେ ତାଙ୍କ ବାହୁ ଯୁଗଳରେ । ମହାବାହୁଙ୍କୁ ରଥରେ ଦର୍ଶନ କରି ଏ ପାପ ନେତ୍ର ହେବ ପବିତ୍ର।
\’ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିତ୍ୟରତେ\’ । ଅର୍ଥାତ ରଥ ଉପରେ ବାମନରୁପୀ ଜଗନ୍ନାଥଙ୍କୁ ଦର୍ଶନ କଲେ,ଆଉ ପୁନର୍ଜନ୍ମ ହୁଏ ନାହିଁ। ସ୍ୱର୍ଗ,ମର୍ତ୍ତ୍ୟ,ପାତାଳ ତିନି ଲୋକର ଦେବାଦେବୀଗଣ ଅପେକ୍ଷା କରିଛନ୍ତି ସେହି ସୁବର୍ଣ୍ଣ ମୁହୂର୍ତ୍ତକୁ କେତେବେଳେ ପ୍ରଭୁ କାଳିଆ ସାଆନ୍ତେ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସଙ୍ଗରେ ଧରି ଓହ୍ଲାଇ ଆସିବେ ବଡଦାଣ୍ଡକୁ। ଏ ଭକ୍ତ ବତ୍ସଳ ଭଗବାନଙ୍କର ଅପୂର୍ବ ଲୀଳାଖେଳ ।
ସେଦିନ ଦାସିଆର ନଡ଼ିଆକୁ ହାତ ବଢ଼ାଇ ନେଇଥିଲ, ଷାଠିଏ ପହୁଡ଼ି ଛାଡି ବିଦୁରର ଶାଗ ଭଜାରେ ହୋଇଯାଇଥିଲ ସନ୍ତୁଷ୍ଟ, ଭକ୍ତ ସାଲବେଗର ଡାକରେ ଅଟକି ଯାଇଥିଲା ତୁମ ନନ୍ଦିଘୋଷ ରଥ। ଭକ୍ତର ଭକ୍ତିରେ ବନ୍ଧା । ହଜାର ହଜାର ବର୍ଷର ପରମ୍ପରା ସହିତ ଯୋଡ଼ି ରହିଛି ଶ୍ରୀଜଗନ୍ନାଥଙ୍କର ବିଚିତ୍ର.. ବେଶ ଯାତ ରୀତିନୀତି। ସବୁ ବିଚିତ୍ରତା ମଧ୍ୟରେ ବୈଚିତ୍ରମୟ ହୋଇ ରହିଛି ଚିତ୍ରିତ ସୃଷ୍ଟିର ଭିଆଣ ।
ବିଶ୍ୱବ୍ରହ୍ମାଣ୍ଡର ସେ ଏକମାତ୍ର ଠାକୁର ଯାହାଙ୍କ ଠାରେ ସମାଜବାଦର ଚେତନା ପୁରି ରହିଛି। ଜଗନ୍ନାଥଙ୍କର ଭକ୍ତ ଦେଶ ରଥଯାତ୍ରା ହେଉଛି ଏକତା ମୈତ୍ରୀ ଓ ଶାନ୍ତିର ପ୍ରତୀକ। ଭଗବତ ଆରାଧନା ଯଦି ଆତ୍ମାକୁ ମାଟିର ମାୟାଠାରୁ ଉର୍ଦ୍ଧ୍ବଗାମି କରୁଥାଏ ତେବେ ସେଇ ପରମାତ୍ମାଙ୍କର ସ୍ୱରୂପ ଚିନ୍ତନ ଓ ଅର୍ଚ୍ଚନା ପାଇଁ ଆବ୍ରାହ୍ମଣ ଚଣ୍ଡାଳ ସମସ୍ତଙ୍କ ମୌଳିକ ଅଧିକାରକୁ ଏହି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ସ୍ୱୀକୃତି ପ୍ରଦାନ କରିଆସିଛି ।
ଉତ୍କଳର ସାଂସ୍କୃତିକ ପ୍ରବାହରେ ମାନବିକ ପ୍ରାଣୋଛ୍ୱସର ଭକ୍ତ ବତ୍ସଳ ପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତିର ମହାପ୍ରବାହକୁ ଉଜ୍ଜୀବିତ କରିବା ପାଇଁ ରତ୍ନ ସିଂହାସନରୁ ଓହ୍ଲାଇ ଆସନ୍ତି ଉଦଗ୍ରୀବ ଭକ୍ତମାନଙ୍କ ଗ୍ରହଣକୁ। ବିସ୍ମୟ ଓ ବିସ୍ପାରିତ ନୟନରେ ବିଶାଳ ବାହୁ ବିସ୍ତାର କରି ଆପଣାର କରି ନିଅନ୍ତି ସମସ୍ତ ଭକ୍ତ ଜନଙ୍କୁ। ଶ୍ରୀଜଗନ୍ନାଥ ସଂସ୍କୃତି ଅନନ୍ୟ,କୌଣସି ଧର୍ମ ଧାରା ମଧ୍ୟରେ ଏହା ସୀମାବଦ୍ଧ ନୁହେଁ। ବିଭିନ୍ନ ଧର୍ମର ସମନ୍ୱୟରେ ପ୍ରତିଷ୍ଠିତ ଜଗନ୍ନାଥ ସଂସ୍କୃତି ।
ସବୁ ସଂକୀର୍ଣ୍ଣତା ଉର୍ଦ୍ଧରେ ଏହାର ସଂସ୍କୃତି ଓ ପରମ୍ପରା। ଆଉ ଗୋଟିଏ ଦିନ ପରେ ତଥା ଶୁକ୍ରବାର ଦିନ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ମାନବୀୟ ଲୀଳା ରଚୁଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ସାରା ବିଶ୍ୱର କୋଣ ଅନୁକୋଣରୁ ଭକ୍ତଙ୍କର ଧାଡ଼ି ଛୁଟିଲାଣି ଶ୍ରୀକ୍ଷେତ୍ରକୁ। ଭକ୍ତଙ୍କ ମେଳରେ ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରିବେ ମହାବାହୁ। ଏଥିପାଇଁ ଉତ୍ସବ ମୁଖର ହୋଇଉଠିଛି ସମଗ୍ର ପୁରୀ ସହର। ପୃଥିବୀର ଶ୍ରେଷ୍ଠ ଧର୍ମକ୍ଷେତ୍ର ଏହି ଶ୍ରୀକ୍ଷେତ୍ର।ଚାରିଧାମ ମଧ୍ୟରୁ ଏହାର ସ୍ୱତନ୍ତ୍ର ଓ ପ୍ରସିଦ୍ଧି ରହିଛି । ଶ୍ରୀକ୍ଷେତ୍ର ଏବେ ହୋଇଉଠିଛି ଶ୍ରୀଜଗନ୍ନାଥମୟ।
ସମସ୍ତଙ୍କର ଗୋଟିଏ ଲକ୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ଦର୍ଶନ କରି କୋଟି ପୁଣ୍ୟ ଅର୍ଜନ କରିବା। ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ।
ଯାହାକିଛି ରହିଛି ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ କାର୍ଯ୍ୟ ଶେଷ କରିବାକୁ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଶ୍ରୀଗୁଣ୍ଡିଚା ଦିନ ଶ୍ରୀମନ୍ଦିରରେ ବଡ଼ି ଭୋରରୁ ମଙ୍ଗଳ ଆଳତି, ମଇଲମ,ତଡ଼ପଲାଗି, ଅବକାଶ, ସୂର୍ଯ୍ୟପୂଜା, ସକାଳ ଧୂପ,ମଣହି କରି ଦିଅଁ ମାନେ ଧାଡ଼ି ପହଣ୍ଡି ହୋଇ ଶ୍ରୀମନ୍ଦିର ରୁ ବଡଦାଣ୍ଡକୁ ଆସିଥାନ୍ତି। ସିଂହଦ୍ଵାର ସମ୍ମୁଖରେ ସୁସଜ୍ଜିତ ହୋଇ ତିନୋଟି ରଥ ରହିଥାଏ। ଚଳିତ ବର୍ଷ ଶୃଙ୍ଖଳିତ ରଥଟଣା ଏବଂ ଦର୍ଶନ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ମହାପ୍ରଭୁ ଜଗନ୍ନାଥଙ୍କ ଚଳିତ ରଥଯାତ୍ରାକୁ ଅଘଟଣ ଶୂନ୍ୟ ଏବଂ ଶୃଙ୍ଖଳିତ କରାଯିବ। ଭକ୍ତମାନେ ଯେପରି ସୁରକ୍ଷିତ ଭାବେ ରଥଯାତ୍ରାରେ ଯୋଗଦେଇ ଦିବ୍ୟ ଆଧ୍ୟାତ୍ମିକ ଅନୁଭବ ନେଇ ଫେରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୌର ସଦନରେ ରବିବାର ଅନୁଷ୍ଠିତ ରଥଯାତ୍ରା ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପ୍ରକାଶ କରିଛନ୍ତି।
ପ୍ରଥମ ମନ୍ତ୍ରୀ ସ୍ତରୀୟ କମିଟି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରୁଛନ୍ତି। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ସୁରୁଖୁରୁରେ ଏବଂ ନିର୍ଦ୍ଧାରିତ ସମୟରେ ସମ୍ପନ ହେବ ସେଥିପାଇଁ ଶ୍ରୀ ମାଝୀ ସେବାୟତ ମାନଙ୍କ ସହଯୋଗ କାମନା କରିଛନ୍ତି । ଏ ବର୍ଷ ଆପଣଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଶୃଙ୍ଖଳିତ,ସୁରକ୍ଷିତ ହେଉ ମହାବାହୁ । ଜୟ ଜଗନ୍ନାଥ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031