Indus Valley Times

ଛଣଗିରି ଅଳଙ୍କାର ଦୋକାନ ଲୁଟ ଘଟଣାର ପର୍ଦ୍ଧାଫାଶ ; ୪ ଗିରଫ,୯୦୦ ଗ୍ରାମ ସୁନା,୨୩୬୩ ଗ୍ରାମ ୯୪୦ ରୁପା,ନଗଦ ୯ ଲକ୍ଷ ୪୫ ହଜାର ଟଙ୍କା ,ଦେଶୀ ବନ୍ଧୁକ, ୨ ଜୀବନ୍ତ ଗୁଳି,୧ ଭୁଜାଲି ଜବତ।

 Breaking News

ଛଣଗିରି ଅଳଙ୍କାର ଦୋକାନ ଲୁଟ ଘଟଣାର ପର୍ଦ୍ଧାଫାଶ ; ୪ ଗିରଫ,୯୦୦ ଗ୍ରାମ ସୁନା,୨୩୬୩ ଗ୍ରାମ ୯୪୦ ରୁପା,ନଗଦ ୯ ଲକ୍ଷ ୪୫ ହଜାର ଟଙ୍କା ,ଦେଶୀ ବନ୍ଧୁକ, ୨ ଜୀବନ୍ତ ଗୁଳି,୧ ଭୁଜାଲି ଜବତ।

September 02
19:07 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨/୯ : ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ଗତ ମାସ ୨୪ ତାରିଖ ଦିନ ୨ ଟା ସମୟରେ ୮ ଜଣ ଲୁଟେରା ଆସି ବନ୍ଧୁକ ଓ ବୋମା ଫୁଟାଇ ୧୧ କେଜି ୫୦୦ ଗ୍ରାମ ସୁନା ଓ ୫ କେଜି ରୂପା ଅଳଂକାର ପ୍ରାୟେ ସାଢେ଼ ୧୧ କୋଟି ଟଙ୍କାର ସୁନା ଓ ରୂପା ଅଳଂକାର ଲୁଟ କରି ନେବା ସହିତ ନଗଦ ଟଙ୍କା ନେଇଯାଇଥିଲେ।
ପୁଲିସ ତ୍ୱରିତ ପଦକ୍ଷେପ ନେଇ ଉକ୍ତ ଦିନ ନୂଆ କରି ଯୋଗଦାନ କରିଥିବା ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ନେତୃତ୍ୱରେ ସମୁଦାୟ ୫ ଟିମ ଗଠନ କରାଯାଇ ବିଭିନ୍ନ ଦିଗକୁ ତର୍ଜମା କରି ଚଢ଼ାଉ କରାଯାଇଥିଲା। ଶେଷରେ ପୁଲିସକୁ ସଫଳତା ମିଳିଥିଲେ ବି ଡକାୟତି ସୁନାର ମାତ୍ର ୧୦ ଭାଗ ସୁନା ଅଳଙ୍କାର ମିଳିଥିବା ବେଳେ ୩ ଜଣ ଲୁଟେରା ଓ ଜଣେ କ୍ରେତାକୁ ଗିରଫ କରାଯାଇ ପାରିଛି।
ଆହୁରି ୬ ଜଣ ବାହାରେ ବୁଲୁଛନ୍ତି। ସଂପୃକ୍ତ ଫେରାର ଅଭିଯୁକ୍ତ ମାନଙ୍କୁ ଗିରଫ ଓ ଆଉ ଲୁଟ ସାମଗ୍ରୀକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉ ଥିବା ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟାଳୟରେ କେନ୍ଦ୍ରାଞ୍ଚଳ ଡିଆଇଜି ଡ଼ଃ ସତ୍ୟଜିତ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୁଲିସ ଜଂକିଆ ଥାନା କେସ୍ ନମ୍ବର ୨୯୭ ତାରିଖ ୨୪.୮.୨୫ ଧାରା ୩୧୦ (୨) ବିଏନ୍ଏସ୍/ଧାରା ୨୫/୨୭ ଅସ୍ତ୍ରଶସ୍ତ୍ର ଆଇନ/୫ ଇଏସ୍ ଆଇନ ଅନୁଯାୟୀ ପୁଲିସ ତଦନ୍ତ କରି ଖୋର୍ଦ୍ଧା, ପୁରୀ ଓ କଟକ ଅଞ୍ଚଳରୁ ୪ ଜଣ ଲୁଟେରାଙ୍କୁ ଗିରଫ କରିଛି। କଟକ ଜିଲ୍ଲା ବେଣ୍ଟକର ଥାନା ୪୨ ମୌଜାର ଝିଙ୍କିରିଆ ଗ୍ରାମର ବିଶ୍ୱଜିତ୍ ପଟ୍ଟନାୟକ (୨୨) ଓରଫ ଲକି, ପି – ସରୋଜ କୁମାର ପଟ୍ଟନାୟକ ଠାରୁ ୩୧୯ ଗ୍ରାମ ୭୩୦ ମିଲି ସୁନା, ୯୬୮ ଗ୍ରାମ ରୂପା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଭୁଜାଲି ଓ ନଗଦ ୮ ଲକ୍ଷ ଟଙ୍କା , ନୟାଗଡ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡା କଇଁଫୁଲିଆ ଗ୍ରାମର ଅଶୋକ ସେନାପତି (୩୨) ଓରଫ ବୁଲୁ ପି – ସଂସାରୀ ସେନାପତି ଠାରୁ ୨୦୭ ଗ୍ରାମ ୮୬୦ ମିଲି ସୁନା, ୯୪୦ ଗ୍ରାମ ରୂପା ଓ ନଗଦ ଏକ ଲକ୍ଷ ୪୫ ହଜାର ଟଙ୍କା, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଭୀମପଡା ଟାଙ୍ଗିସାହିର ଚନ୍ଦନ ନାୟକ ( ୨୫) ପିତା – କେଶବ ନାୟକ ଠାରୁ ୧୩୪ ଗ୍ରାମ ୬୭୦ ମିଲି ସୁନା, ୫୪୬ ଗ୍ରାମ ରୂପା ଓ ବୋଲଗଡ଼ ସଂପୁର ଗ୍ରାମର ନବ ସାହୁ ପି – ରବି ସାହୁ ଠାରୁ ୨୩୮ ଗ୍ରାମ ୩୯୦ ମିଲି ସୁନା ଜବତ ହୋଇଛି। ଆଜି ଆଉ ଜଣେ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ସୂଚନା ମିଳିଥିଲେ ବି ପୋଲିସ ପକ୍ଷରୁ ଏହାକୁ ତଦନ୍ତରେ ବାଧା ଉପୁଜିବା ଦୃଷ୍ଟିରୁ ପ୍ରକାଶ କରାଯାଇ ନ ଥିବା କୁହାଯାଉଛି। ଆଜି ୩ ଜଣ ଡ଼କାୟତ ଓ ଜଣେ କ୍ରେତା କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଠିକଣା ସ୍ପଷ୍ଟ ଜଣାପଡୁ ନ ଥିବାବେଳେ ନୟାଗଡ ଅଞ୍ଚଳର ଦୁଇ ଜଣ, ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ଜଣେ, ପୁରୀ ଜିଲ୍ଲା କଣାସ ଅଞ୍ଚଳର ଜଣେ ସନ୍ଦିଗ୍ଧ ଥିବା ପୁଲିସ ସୂଚନାରୁ ଜଣାପଡିଛି ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀନିବାସ ମହାନ୍ତି, ଖୋର୍ଦ୍ଧା ସଦର ଏସଡ଼ିପିଓ ନିହାର ରଞ୍ଜନ ଦାଶ, ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଙ୍କ ସମେତ ଜିଲ୍ଲାର ସମସ୍ତ ଥାନା ଆଇଆଇସି ମାନେ ଉପସ୍ଥିତ ଥିଲେ।
ପ୍ରକାଶ କି ଗତ ମାସ ୨୪ ତାରିଖରେ ଦିନ ୨ ଟା ବେଳେ ୪ ଟି ବାଇକରେ ୮ ଜଣ ଡକାୟତ ଖୋର୍ଦ୍ଧା ଜିଲ୍ଲା ଛଣଗିରି ସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନକୁ ଆସିଥିଲେ। ସେମାନେ ସମସ୍ତେ ମୁଣ୍ଡରେ ହେଲମେଟ ଓ ମୁହଁରେ ମାସ୍କ ପିନ୍ଧିବା ସହିତ ଦୁଇ ଜଣ ଦୋକାନ ବାହାରେ ରହି ସମସ୍ତ ଘଟଣା ଅନୁଧ୍ୟାନ କରୁଥିବାବେଳେ ଦୋକାନ ମଧ୍ୟକୁ ୬ ଜଣ ଡକାୟତ ପଶି ବନ୍ଧୁକ ଦେଖାଇ କର୍ମଚାରୀ ମାନଙ୍କୁ ଭୟଭୀତ କରାଇ ଏକ ବସ୍ତାରେ ସମସ୍ତ ଗହଣା ଭର୍ତ୍ତି କରିଥିଲେ। ସେହି ସମୟରେ ଜଣେ ମହିଳା ସେଲସ ମ୍ୟାନ କୌଶଳ କ୍ରମେ ପଛ ପାଖ ଦ୍ଵାରରେ ବାହାରକୁ ଆସି ଗହଳି କରି ଲୋକଙ୍କୁ ଜଣାଇବାକୁ ଚେଷ୍ଟା କରୁଥିବାବେଳେ ବାହାରେ ଜଗି ରହିଥିବା ଅନ୍ୟ ଦୁଇ ଜଣ ଡକାୟତ ଉକ୍ତ ଯୁବତୀ ଜଣକୁ ବନ୍ଧୁକ ଦେଖାଇ ଗହଳି ନ କରିବାକୁ ମାଡ଼ ପିଟ କରିଥିଲେ।
ପାଖରେ ଥିବା ଏଟିଏମ ରୁ ସରପାରୀ ଗ୍ରାମର ରାଜା ପ୍ରଧାନ ଟଙ୍କା ଉଠାଉ ଥିବାବେଳେ ଯୁବତୀଙ୍କୁ ମାଡ ମାରିଥିବା ଦେଖି ବିରୋଧ କରିବାରୁ ତାଙ୍କ ଦେହକୁ ଦୁବୃର୍ତ୍ତ ମାନେ ଗୁଳି ମାରିବାରୁ ସେ ଗୁରୁତର ହୋଇଥିଲେ ଓ ତାକୁ ଦୋକାନ ମଧ୍ୟରେ ବସାଇଥିଲେ। ସେଠାରୁ ସମସ୍ତ ସୁନା ଗହଣା ନେଇ ଡକାୟତ ପଳାଇବା ବେଳେ ଦୁଇ ତିନୋଟି ବୋମା ଫୁଟାଇ ପୂର୍ବ ପ୍ରସ୍ତୁତି ମୁତାବକ ଜଂକିଆ ଟାଙ୍କୋଳ ଦେଇ ଫେରାର ହେବାକୁ ସଫଳ ହୋଇଥିଲେ। ଦୋକାନ ମାଲିକ ପୁଷ୍ପ ରଞ୍ଜନ ସାହୁଙ୍କ ପତ୍ନୀ ଅରୁନ୍ଧତୀ ସାହୁଙ୍କ ଅଭିଯୋଗ ଅନୁଯାୟୀ ଡକାୟତ ମାନେ ସମୁଦାୟ ୧୧ କେଜି ୫୦୦ ଗ୍ରାମ ସୁନା ଓ ୫ କେଜି ରୂପା ଅଳଂକାର ଲୁଟ କରିଥିଲେ।
ଯାହାର କି ଆନୁମାନିକ ମୂଲ୍ୟ ୧୧ କୋଟି ୫୫ ଲକ୍ଷ ଟଙ୍କା ହେବ। ଲୁଟ ଦିନ ରବିବାର ହୋଇଥିବାରୁ ପାଖରେ ସବୁ ବେଳେ ଗହଳି ରହୁଥିବା ଷ୍ଟେଟ ବ୍ୟାଙ୍କ ଛୁଟି ଥିବା ଓ ଅନ୍ୟାନ୍ୟ ସମସ୍ତ ଘଟଣାକୁ ଲକ୍ଷ୍ୟ କରି ଡକାୟତ ମାନେ ଏହି ଘଟଣାକୁ ଘଟାଇ ସହଜରେ ଯିବାକୁ ସଫଳ ହୋଇଥିଲେ।
ଘଟଣା ସ୍ଥଳକୁ ଖୋର୍ଦ୍ଧାରେ ନୂତନ କରି ଯୋଗଦାନ କରିଥିବା ଏସପି ବିବେକାନନ୍ଦ ଶର୍ମା, ଖୋର୍ଦ୍ଧା ଏସଡିପିଓ ନିହାର ରଞ୍ଜନ ଦାଶ, ଜଙ୍କିଆ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ ସାଇଣ୍ଟିଫିକ ଟିମର ତଦନ୍ତ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31