Indus Valley Times

ପବିତ୍ର ଅଁଳାନବମୀରେ ରାଧା ପାଦ ଦର୍ଶନ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା’

 Breaking News

ପବିତ୍ର ଅଁଳାନବମୀରେ ରାଧା ପାଦ ଦର୍ଶନ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା’

ପବିତ୍ର ଅଁଳାନବମୀରେ ରାଧା ପାଦ ଦର୍ଶନ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା’
October 31
10:53 2025

ସାକ୍ଷୀଗୋପାଳ,୩୧/୧୦ : ଆଜି ପବିତ୍ର ଅଁଳା ନବମୀ। ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସାକ୍ଷୀଗୋପାଳରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆଜିର ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ କରି ବେଶ୍ ଆନନ୍ଦିତ ହେଉଛନ୍ତି। ମା’ ରାଧାରାଣୀ ଓଡ଼ିଆଣୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପ୍ରଶାସନ ପକ୍ଷରୁ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଭିଡ଼ ନିୟନ୍ତ୍ରଣ ପାଇଁ ୨ଜଣ ଅତିରିକ୍ତ ଏସ୍‌ପି, ୧୧ ଡିଏସ୍‌ପି, ୨୧ ଇନ୍ସପେକ୍ଟର, ୭୧ ଏସ୍‌ଆଇ ଏବଂ ଏଏସ୍‌ଆଇ, ୯୨ ହାବିଲଦାର ଓ କନଷ୍ଟେବଲ, ୧୦ ଟ୍ରାଫିକ କନଷ୍ଟେବଲ୍‌, ୨୫୦ ଜଣ ଗୃହରକ୍ଷୀଙ୍କ ସମେତ ୨୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।
ଶ୍ରୀରାଧା ଠାକୁରାଣୀଙ୍କ ସମ୍ପର୍କରେ ଏକ ରୋଚକ ପୌରାଣିକ କିମ୍ବଦନ୍ତୀ ତଥା ଲୋକକଥା ଶୁଣିବାକୁ ମିଳେ। ମନ୍ଦିରର ବଡ଼ପଣ୍ଡା ସ୍ବର୍ଗତ ବେଲେଶ୍ୱର ମହାପାତ୍ରଙ୍କ କନ୍ୟା ଶ୍ରୀରାଧା ବୋଲି କୁହାଯାଏ। ରାଧା ରୂପରେ ସେ ବଡ଼ପଣ୍ଡାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ, ତାଙ୍କର ପ୍ରକୃତ ନାମ ଥିଲା ଲକ୍ଷ୍ମୀ। ସେ ବୃନ୍ଦାବନରୁ ସାକ୍ଷୀ ଦେବାକୁ ଆସି ଘଟଣା କ୍ରମେ ସତ୍ୟବାଦୀର ଫୁଲଅଳସା ଗ୍ରାମରେ ପୂଜା ପାଉଥିବା ସାକ୍ଷୀଗୋପାଳ ଠାକୁରଙ୍କ ସହ ଭକ୍ତିଭାବରେ ବାନ୍ଧି ହୋଇଯାଇଥିଲେ। ଉଭୟ ଉଭୟଙ୍କ ପ୍ରତି ଆକର୍ଷିତ ହୋଇଥିଲେ।
ସାକ୍ଷୀଗୋପାଳ ନିଶାର୍ଦ୍ଧରେ ଲକ୍ଷ୍ମୀଙ୍କ ଶୟନ କକ୍ଷରେ କେତେବେଳେ ନୂପୁର ତ ଆଉ କେତେବେଳେ ଦୋଶଡ଼ା ଛାଡ଼ି ଆସୁଥିଲେ। ଏକଦା ସେ ସୁବର୍ଣ୍ଣ ବଂଶୀ ଛାଡ଼ି ଆସିବା ପରେ ଏ କଥା ରାଜାଙ୍କୁ ବଡ଼ପଣ୍ଡା ଜଣାଇଥିଲେ। ମାତ୍ର ପଣ୍ଡା ବଂଶୀ ଚୋରି କରିଥିବା ରାଜା ସନ୍ଦେହ କରିବାରୁ ତାଙ୍କୁ ଠାକୁର ସମସ୍ତ ବୃତ୍ତାନ୍ତ କହିବା ସହ ଲକ୍ଷ୍ମୀ ପରି ଅବିକଳ ପ୍ରତିମା ନିର୍ମାଣ କରି ରାଧା ରୂପରେ ପ୍ରତିଷ୍ଠା କରିବାକୁ ସ୍ବାପ୍ନାଦେଶ ଦେଇଥିଲେ। ତେବେ ପ୍ରତିମା ପ୍ରତିଷ୍ଠା ଦିବସରେ ଲକ୍ଷ୍ମୀଙ୍କ ଦେହାନ୍ତ ହୋଇଯାଇଥିଲା।
ଓଡ଼ିଆ ଘର ସେବକ ପରିବାରର କନ୍ୟା ଭାବେ ସାକ୍ଷୀଗୋପାଳଙ୍କ ବାମ ପାର୍ଶ୍ୱରେ ରତ୍ନସିଂହାସନରେ ଶ୍ରୀରାଧା ସ୍ଥାପିତ ହୋଇଛନ୍ତି। ବର୍ଷସାରା ଶ୍ରୀରାଧା ଠାକୁରାଣୀ ଉତ୍ତର ଭାରତ ନାରୀ ସଦୃଶ ବେଶ ଧାରଣ କରୁଥିବାବେଳେ ଅଁଳାନବମୀରେ ପୂର୍ବକାଳରେ ଓଡ଼ିଆ ଘର ବୋହୂମାନେ ପରିଧାନ କରୁଥିବା ଭଳି ପାଟଶାଢି କାଣିଆକଚ୍ଛା ମାରି ପିନ୍ଧିଥାନ୍ତି।
ତାଙ୍କୁ ପାଦପଦ୍ମ, ପାଉଁଜି, ଝୁଣ୍ଟିଆ, ପାହୁଡ଼, ବାଙ୍କି, ଚନ୍ଦ୍ରହାର ଶିକୁଳି, ବେଙ୍ଗପାଟିଆ, ତାବିଜ, ଅଁଳାମାଳ, ପୋହଳାମାଳ, ଚାପସରି, ପଣସକଣ୍ଟା ଖଡୁ, ବାହୁଟି, ବଟଫଳ ମାଳ, ଦ୍ରାବିଡ଼ଚନ୍ଦ୍ର, ମୟୁରସା ଗୁଣା, ନୁଥ, ସେତିହାର, ପୋହଳାହାର, ଡେଉଁରିଆ ମାଳ, କିରିଟି ଆଦି ପାରମ୍ପରିକ ସୁବର୍ଣ୍ଣ ଗହଣା ଲାଗି କରାଯିବ। ଫୁଲହାର, ଅଁଳାଫଳ ମାଳ, ଦୁବ, ଅରୁଆ ଚାଉଳ ସହିତ କଜଳ, ସିନ୍ଦୁର, ଅଳତା ଓ ଚନ୍ଦନପାଟି ଲାଗି କରାଯାଏ। ସେହିପରି ଅଁଳାନବମୀରେ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ସଜ୍ଜିତ ହୋଇ ଛନ୍ଦାଚରଣରେ ନୃତ୍ୟରତ ଭଙ୍ଗୀରେ ଦର୍ଶନ ଦେଇଥାନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31