Indus Valley Times

ବୌଦ୍ଧରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

May 15
20:22 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୫: ଆଜି ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମାନ୍ୟବର ବିଧାୟକ, ବୌଦ୍ଧ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଏବଂ ମାନ୍ୟବର ବିଧାୟକ, କଣ୍ଟାମାଳ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡ଼ାଙ୍ଗ ଯୋଗଦେଇଥିଲେ। କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ, ବୌଦ୍ଧଗଡ଼ ପୌରପାଳିକା ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ।
ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ସଭାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ ପୂର୍ବକ ସବୁ ପ୍ରକାର ବିପର୍ଯ୍ୟର ମୁକାବିଲା କରାଯାଇ ପାରିବ ଏବଂ ଏଥିପାଇଁ ଆମେ ସର୍ବଦା ପ୍ରସ୍ତୁତ ହୋଇ ରହିବା ବୋଲି କହିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପରେ ଉପ-ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଭୋଇ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଜିଲ୍ଲାରେ ସମ୍ଭାବ୍ୟ ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟ ସମ୍ପର୍କରେ ସଭାକୁ ଅବଗତ କରାଇଥିଲେ। ବିଶେଷକରି ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ଓ ପ୍ରତିକାରମୂଳକ ପଦକ୍ଷେପ ବିଷୟରେ ସେ ବିସ୍ତୃତ ତଥ୍ୟ ଦେଇଥିଲେ।
ବୈଠକରେ ଡ୍ରେନେଜ୍ ବ୍ୟବସ୍ଥା, ବନ୍ୟା ସର୍କଲ୍ ଗୁଡ଼ିକର ଦାୟିତ୍ୱ ବଣ୍ଟନ, ବର୍ଷାମାପକ କେନ୍ଦ୍ରର କାର୍ଯ୍ୟପ୍ରଣାଳୀ, କଣ୍ଟ୍ରୋଲ୍ ରୁମ୍ ଡ୍ୟୁଟି, ଦୈନିକ ପରିସ୍ଥିତି ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରେରଣ, ପାଣିପାଗ ସୂଚନା, ସତର୍କବାଣୀ ଓ ବନ୍ୟା ବୁଲେଟିନ୍ ଜାରି, ଖାଦ୍ୟ ସାମଗ୍ରୀ ମହଜୁଦ, ଶୁଖିଲା ଖାଦ୍ୟ ସଂଗ୍ରହ ପାଇଁ ପୂର୍ବ ଚୁକ୍ତି ବ୍ୟବସ୍ଥା, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଖାଦ୍ୟ ଆଶ୍ରୟ୍ୟ କେନ୍ଦ୍ର ଓ ବନ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତି, ଉଦ୍ଧାର ଓ ସ୍ଥାନାନ୍ତରଣ ଯୋଜନା, ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍‌ର ନିୟୋଜନ, ହେଲିପ୍ୟାଡ୍‌ର ଉପଲବ୍ଧତା, ରିଲିଫ୍ ପାର୍ଟି ଗଠନ ଏବଂ ବନ୍ୟା ରିଲିଫ୍‌ରେ ନିୟୋଜିତ କର୍ମଚାରୀଙ୍କ ପ୍ରଶିକ୍ଷଣ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ମାନ୍ୟବର ବିଧାୟକ କଣ୍ଟାମାଳ ଜିଲ୍ଲାରେ ପାନୀୟ ଜଳ ସମସ୍ୟାର ସମାଧାନ ସହ ନଦୀକୂଳ ଅଞ୍ଚଳର ଗ୍ରାମ ଗୁଡ଼ିକରେ ବନ୍ୟାଆଶ୍ରୟସ୍ଥଳ ନିର୍ମାଣ ପାଇଁ ଗୁରୁତ୍ୱ ଦେଇଥିଲେ। ମାନ୍ୟବର ବିଧାୟକ ବୌଦ୍ଧ ତଥା ସରକାରୀ ଦଳର ମୁଖ୍ୟ ସଚେତକ ବୌଦ୍ଧ ସହର ପାଇଁ ଶୀଘ୍ର ଏକ ରିଙ୍ଗ ରୋଡ଼ ନିର୍ମାଣର ଆବଶ୍ୟକତା ଉପସ୍ଥାପନ କରିଥିଲେ।
ସେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ଖାଦ୍ୟ ସାମଗ୍ରୀ, ଔଷଧ ଓ ରିଲିଫ୍ ସାମଗ୍ରୀ ପୂର୍ବରୁ ମହଜୁଦ ରଖିବା ପାଇଁ ସମସ୍ତ ବିଭାଗକୁ ପରାମର୍ଶ ଦେଇଥିଲେ।
ବନ୍ୟା ସମୟରେ ଗୃହପାଳିତ ପଶୁମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ଓ ଔଷଧ ମହଜୁଦ ରଖିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ପ୍ରଶାସନର ସମସ୍ତ ବିଭାଗ ନିଜ ନିଜ ଆବଶ୍ୟକତା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଅବଗତ କରାଇ ସମସ୍ତ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା
ଜରୁରୀ କାଳୀନ ଅଧିକାରୀ ଜ୍ୟୋତିରଞ୍ଜନ ଭୋଇ ସଭା ଆୟୋଜନ କରିଥିଲା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ ।
ଏହି ବୈଠକରେ ସମସ୍ତ ବିଡିଓ, ତହସିଲଦାର, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ପ୍ରଶାସନିକ ଓ ରାଜସ୍ୱ ଅଧିକାରୀ, ବିଭାଗୀୟ କର୍ମକର୍ତ୍ତା, ଆରକ୍ଷୀ ଓ ଅଗ୍ନିଶମ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031