Indus Valley Times

୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ବୌଦ୍ଧରେ ବ୍ୟାପକ ପ୍ରସ୍ତୁତି

 Breaking News

୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ବୌଦ୍ଧରେ ବ୍ୟାପକ ପ୍ରସ୍ତୁତି

୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ବୌଦ୍ଧରେ ବ୍ୟାପକ ପ୍ରସ୍ତୁତି
July 24
07:49 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪/୭ : ଜାତୀୟ ଗୌରବ, ସ୍ୱାଧୀନତା ସଂଗ୍ରାମୀଙ୍କ ଅମର ତ୍ୟାଗ ଓ ଦେଶପ୍ରେମର ମହାନ ପରମ୍ପରାକୁ ସ୍ମରଣ କରି ବୌଦ୍ଧ ଜିଲ୍ଲାରେ ୮୦ତମ ସ୍ୱାଧୀନତା ଦିବସକୁ ଚଳିତ ବର୍ଷ ଅତ୍ୟନ୍ତ ଗାମ୍ଭୀର୍ଯ୍ୟ, ଶୃଙ୍ଖଳା ଓ ଜନସହଭାଗିତା ସହିତ ପାଳନ କରାଯିବ। ଏଥିନିମନ୍ତେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖା ଚୂଡ଼ାନ୍ତ କରାଯାଇଛି।
ବୈଠକରେ ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଶିକ୍ଷାବିତ୍, ସମାଜସେବୀ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ଜିଲ୍ଲାପାଳ କହିଥିଲେ ଯେ, ସ୍ୱାଧୀନତା ଦିବସ କେବଳ ଏକ ଔପଚାରିକ ଉତ୍ସବ ନୁହେଁ; ଏହା ଦେଶ ପାଇଁ ସର୍ବସ୍ୱ ଉତ୍ସର୍ଗ କରିଥିବା ଅମର ସଂଗ୍ରାମୀମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ପବିତ୍ର ଅବସର। ତେଣୁ ପ୍ରତ୍ୟେକ କାର୍ଯ୍ୟକ୍ରମ ସମୟାନୁବର୍ତ୍ତିତା, ଶୃଙ୍ଖଳା ଓ ମର୍ଯ୍ୟାଦାର ସହିତ ସମ୍ପନ୍ନ କରିବାକୁ ସେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ବିଗତ ବର୍ଷର କାର୍ଯ୍ୟବିବରଣୀ ଉପସ୍ଥାପନ କରିବା ସହ ଚଳିତ ବର୍ଷର ବିସ୍ତୃତ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ବୈଠକରେ ବିଭିନ୍ନ ସଦସ୍ୟଙ୍କ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ ଓ ଜନମୁଖୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ନିଷ୍ପତ୍ତି ଅନୁଯାୟୀ, ୧୫ ଅଗଷ୍ଟ ପ୍ରଭାତ ୪.୩୦ ମିନିଟ୍ରେ ସମଗ୍ର ସହରରେ ରାମଧୂନ ପରିବେଷଣ ମାଧ୍ୟମରେ ଦିବସର ଶୁଭାରମ୍ଭ ହେବ।
ପରେ ପ୍ରଭାତ ୬ଟାରୁ ୬.୩୦ ପର‌୍ୟ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ପ୍ରଭାତଫେରି ଆୟୋଜନ କରାଯିବ।
ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ମହାନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସେମାନଙ୍କ ଅବଦାନକୁ ସ୍ମରଣ କରାଯିବ।
ସକାଳ ୭ଟାରୁ ୭.୩୦ ମଧ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ଏବଂ ଜାତୀୟ ସଙ୍ଗୀତ ଗାନ କରାଯିବ।
ଏହାପରେ ସକାଳ ୯.୧୫ ସମୟରେ ସ୍ଥାନୀୟ ଷ୍ଟାଡିୟମରେ ମୁଖ୍ୟ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହେବ।
ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିବେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ସ୍ୱାଧୀନତାର ସ୍ମୃତିକୁ ଜୀବନ୍ତ କରିବେ।
ଜିଲ୍ଲାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଷ୍ଟମ ଶ୍ରେଣୀରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିବେ। ଶ୍ରେଷ୍ଠ ପ୍ୟାରେଡ୍ ଦଳମାନଙ୍କୁ ସମ୍ମାନିତ କରାଯିବ।
ଏଥିପାଇଁ ୧୧, ୧୨ ଓ ୧୩ ଅଗଷ୍ଟରେ ରିଜର୍ଭ ଇନ୍ସପେକ୍ଟରଙ୍କ ତତ୍ତ୍ୱାବଧାନରେ ପ୍ୟାରେଡ୍ ଅଭ୍ୟାସ ଅନୁଷ୍ଠିତ ହେବ।ପ୍ୟାରେଡ୍ ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କାରାଗାର ଓ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରିବେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯିବ।
ଏହି ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ଦିବସ ଅବସରରେ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ, କୌତୁକ ପୋଷାକ ପ୍ରତିଯୋଗିତା, ଜିଲ୍ଲା ପ୍ରଶାସନ ଏକାଦଶ ଓ ନାଗରିକ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଏବଂ ସନ୍ଧ୍ୟାରେ ଭବ୍ୟ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହେବ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ।ବୈଠକରେ ପ୍ୟାରେଡ୍ ପଡ଼ିଆର ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା, ବ୍ୟାରିକେଡ୍, ଟ୍ରାଫିକ୍ ପରିଚାଳନା, ପାନୀୟଜଳ, ବିଦ୍ୟୁତ, ପରିଷ୍କାର-ପରିଚ୍ଛନ୍ନତା, ସ୍ୱାସ୍ଥ୍ୟସେବା, ଅସ୍ଥାୟୀ ଟେଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ସମୀକ୍ଷା କରାଯିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା।
ଚଳିତ ବର୍ଷର ସ୍ୱାଧୀନତା ଦିବସକୁ ବୌଦ୍ଧ ଜିଲ୍ଲାରେ ଏକ ସ୍ମରଣୀୟ ଓ ଅନୁକରଣୀୟ ଜନଉତ୍ସବ ଭାବେ ପାଳନ କରିବାକୁ ବୈଠକରେ ସର୍ବସମ୍ମତି ପ୍ରକାଶ ପାଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031