Indus Valley Times

ଗଜପତି : ସାମାନ୍ୟ ଦୁର୍ଘଟଣା ବଚସାରୁ ତୁମୁଳକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

 Breaking News

ଗଜପତି : ସାମାନ୍ୟ ଦୁର୍ଘଟଣା ବଚସାରୁ ତୁମୁଳକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

July 29
22:24 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୯/୭ : ସାମାନ୍ୟ ଏକ ଦୁର୍ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ୬ ବର୍ଷୀୟ ନାବାଳକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହ ତାଙ୍କ ପରିବାର ବର୍ଗଙ୍କ ସହ ଅସଦ-ବ୍ୟବହାର କରିବା ସହ ଜୀବନରେ ମାରିଦେବା ଧମକ ଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା କାଶୀନଗର ଗ୍ରାମ ନ୍ୟାୟଧିକାରୀ ତଥା ଜେଏମ୍ଏଫସି ଶ୍ରୀ ସତ୍ୟଜିତ ପାଣି ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ରେ କାଶୀନଗର ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୪ର ଅଭିଯୁକ୍ତ ଭୂପତି ସୀମାଲୁ (୩୨ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରବେସନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୪ ଅନୁଯାୟୀ କଡ଼ା ଭର୍ତ୍ସନା କରିବା ସହ ଏକ ହଜାର ଟଙ୍କା ମୁଚାଲିକାରେ ପାରଳାଖେମୁଣ୍ଡି ଏସଡିପିଓ\’ଙ୍କ ନିକଟରେ ୧ବର୍ଷ ନଜର ବନ୍ଦୀ ରହିବା ତଥା ସମାଜରେ ବିଶୃଙ୍ଖଳା ସୃଷ୍ଟି କରିଲେ କୌଣସି ବି ସମୟରେ ସଜା ଭୋଗ କରିବାକୁ ପ୍ରସ୍ତୁତ ରହିବା ନେଇ ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି।
ସରକାରଙ୍କ ପକ୍ଷରୁ ସହାୟକ ପବ୍ଲିକ ପ୍ରସିକ୍ୟୁଟର (ଏପିପି) ଶ୍ରୀନିବାସ ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ତା ୯-୧-୨୦୨୩ ରିଖ ଦିନ ସକାଳ ୮.୩୦ ଘଟିକା ସମୟରେ ଯେତେବେଳେ ଏତଲାକାରୀ ଡ଼ି. ରାଜେଶଙ୍କ ପୁତୁରା ନମନିତ (ବର୍ତ୍ତମାନ ୮ବର୍ଷ ବୟସ) ବଜାରକୁ ସାଇକେଲ ନେଇକି ଯାଇଥିଲେ, ସେହି ସମୟରେ ବିପରୀତ ଦିଗରୁ ଅଭିଯୁକ୍ତଜଣଙ୍କ ଦ୍ରୁତ ଗତିରେ ଗାଡି ଆଣି ତାଙ୍କୁ କାଜୁ କାରଖାନା ପାଖରେ ଧକା ଦେଇଥିଲେ, ଯାହା ଫଳରେ ସେ ସେଠାରେ ପଡି ଆଘାତ ପ୍ରାପ୍ତ ହୋଇଥିଲେ। କିନ୍ତୁ ପରେ ଏହି ଅଭିଯୁକ୍ତଜଣକ ନିଜର ଭୁଲ ସ୍ୱୀକାର ନ କରି ନମନିତଙ୍କ ଘରକୁ ଯାଇ ସେଠାରେ ତାଙ୍କୁ ଅଭଦ୍ର ଭାଷାରେ ଗାଳି କରିବା ସହ କାହିଁକି ସିଏ ସାଇକେଲକୁ ଆଣି ଦୁର୍ଘଟଣା ଘଟାଇଲେ ସେ କଥା କହି ତାଙ୍କ ଆଖିକୁ ମାରି ରକ୍ତାକ୍ତ କରିଦେଲେ।
ଏହା ଦେଖି ତାଙ୍କ ମାଆ ଯେତେବେଳେ ବଞ୍ଚାଇବାକୁ ଆସିଲେ ସେତେବେଳେ ସେ ତାଙ୍କୁ ଆକ୍ରମଣ କରିବା ସହ ଜୀବନରେ ମାରିବାକୁ ଧମକ ମଧ୍ୟ ଦେଇଥିଲେ। ପରେ ସେହି ଦିନ ଅଭିଯୁକ୍ତଙ୍କ ନାଁରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏତଲାକାରୀ ଏକ ସଙ୍ଗିନ ମାମଲା ଦାୟର କରିଥିଲେ, ଯାହାକି ମାମଲା ନମ୍ବର ୦୩/୨୩ରେ ପଞ୍ଜିକୃତ ହୋଇଥିଲା।
ମାମଲାର ଗମ୍ଭୀରତାକୁ ନଜରରେ ରଖି ସବ-ଇନ୍ସପେକ୍ଟର କୌତୁକ ସେଠି ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ।
୧୩ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ୩୨ଟି ଦସ୍ତାବିଜକୁ ଆଧାର କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତଙ୍କୁ ଉକ୍ତ ସଜା ଶୁଣାଇଛନ୍ତି।
ସୂଚନାଯୋଗ୍ୟ, ଅଭିଯୁକ୍ତଜଣକ ପ୍ରଥମଥର ଏଭଳି ଘଟଣା ଘଟାଇଥିବାରୁ ତାଙ୍କୁ ଏବେ ଏକ ବର୍ଷ ନଜରବନ୍ଦୀରେ ରଖାଯିବା ସହ ଯଦି କିଛି ବି ଘଟଣାରେ ଜଡ଼ିତ ରୁହନ୍ତି, ତେବେ ନିର୍ଦ୍ଧାରିତ ଧାରା ଅନୁଯାୟୀ ସଜା ଭୋଗ କରିବେ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930