ବୌଦ୍ଧ ଜିଲ୍ଲାରେ ‘ହର ଘର ତିରଙ୍ଗା–୨୦୨୬’ ଅଭିଯାନ ମହାସମାରୋହରେ ପାଳନ ପାଇଁ ପ୍ରସ୍ତୁତି ବୈଠକ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧ /୮ :ଆସନ୍ତା ୯ ଅଗଷ୍ଟରୁ ୧୭ ଅଗଷ୍ଟ, ୨୦୨୬ ପର୍ୟ୍ୟନ୍ତ ସମଗ୍ର ଦେଶରେ ପାଳନ ହେବାକୁ ଥିବା” ହର ଘର ତିରଙ୍ଗା–୨୦୨୬\” ଅଭିଯାନକୁ ବୌଦ୍ଧ ଜିଲ୍ଲାରେ ମହାସମାରୋହରେ ସଫଳ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାୟତ, ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ , ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ, ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶପ୍ରେମ, ଜାତୀୟ ଏକତା ଓ ସାମୂହିକ ଦାୟିତ୍ୱବୋଧର ପ୍ରତୀକ।
ଏହି ଅଭିଯାନରେ ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଭାଗିତା ସୁନିଶ୍ଚିତ କରିବାକୁ ସେ ସମସ୍ତ ବିଭାଗକୁ ଆହ୍ୱାନ ଦେଇଥିଲେ।ଅଭିଯାନ ଅବଧିରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଏବଂ ଗୃହ ମାନଙ୍କୁ ତ୍ରିରଙ୍ଗା ଆଲୋକ ସଜ୍ଜା ଓ ପତାକାରେ ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ସୁସଜ୍ଜିତ କରିବା ପାଇଁ ସମସ୍ତ ଅଧିକାରୀ ଓ ଜନ ସଧାରଣଙ୍କୁ ଅନୁରୋଧ କରାଯିବ ।
ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ଜନ ଗହଳିପୂର୍ଣ୍ଣ ଛକରେ ଜାତୀୟ ପତାକାର ବିକାଶ ଯାତ୍ରା, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ବଳିତ ପ୍ରଦର୍ଶନୀ, ସଚେତନତା କାର୍ଯ୍ୟକ୍ରମ ହେବ ।
ବିଭିନ୍ନ ଦେଶାତ୍ମବୋଧକ ପ୍ରତିଯୋଗିତା ଆୟୋଜନ କରାଯିବ।
କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ଅଗଷ୍ଟ ୧୦ ତାରିଖରେ ବୌଦ୍ଧ ସହରରେ ତିରଙ୍ଗା ମୋଟରସାଇକେଲ ରାଲି, ୧୧ ରେ ସ୍ଥାନୀୟ ମର୍ଜାକୁଦ ଛକରେ ତିରଙ୍ଗା ଆଧାରିତ ରଙ୍ଗୋଲି ପ୍ରଦର୍ଶନୀ ଓ ରଙ୍ଗୋଲି ପ୍ରତିଯୋଗିତା, ୧୨ ରେ ସାଇକେଲ ରାଲି ଏବଂ ୧୪ ରେ ତିରଙ୍ଗା ପଦଯାତ୍ରା ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ହେବ ।
ଏଭଳି କାର୍ଯ୍ୟକ୍ରମ ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ। ଏଥିରେ ଯୁବବର୍ଗ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବେ।
ସେହିପରି ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ପ୍ୟାରେଡ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି, ନିମନ୍ତ୍ରିତ ଅତିଥି, ପ୍ୟାରେଡ୍ରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଦର୍ଶକମାନେ ସାମୂହିକ ଭାବେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ଗାନ କରିବେ।
ଏହି ଗାନ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ଲକ୍ ରେ ମଧ୍ୟ ହେବ ।
ବୈଠକର ଶେଷରେ ଜିଲ୍ଲାପାଳ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଅଭିଯାନର ବ୍ୟାପକ ପ୍ରଚାର-ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ।
ସେ କହିଥିଲେ ଯେ, ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ କେବଳ ସରକାରୀ କାର୍ଯ୍ୟକ୍ରମରେ ସୀମିତ ନ ରଖି,ଏହାକୁ ଜନଆନ୍ଦୋଳନରେ ପରିଣତ କରାଯିବ ।
ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ଦେଶପ୍ରେମର ବାର୍ତ୍ତା ପ୍ରତି ବ୍ୟକ୍ତି ପାଖରେ ପହଞ୍ଚାଇବା ପାଇଁ ସେ ସମସ୍ତ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି।






