Indus Valley Times

ଖୋରଧା ପୌର ପରିଷଦ ୮ ନମ୍ବର ୱାର୍ଡ ଅରବିନ୍ଦ ନଗର ରାସ୍ତାରେ ୪ ପୁଟ ପାଣି , ବର୍ଷା ହେଲେ ଘରେ ପସୁଛି ପାଣି, ଡ୍ରେନେଜ ଅବ୍ୟବସ୍ଥା

 Breaking News

ଖୋରଧା ପୌର ପରିଷଦ ୮ ନମ୍ବର ୱାର୍ଡ ଅରବିନ୍ଦ ନଗର ରାସ୍ତାରେ ୪ ପୁଟ ପାଣି , ବର୍ଷା ହେଲେ ଘରେ ପସୁଛି ପାଣି, ଡ୍ରେନେଜ ଅବ୍ୟବସ୍ଥା

ଖୋରଧା ପୌର ପରିଷଦ ୮ ନମ୍ବର ୱାର୍ଡ ଅରବିନ୍ଦ ନଗର ରାସ୍ତାରେ ୪ ପୁଟ ପାଣି , ବର୍ଷା ହେଲେ ଘରେ ପସୁଛି ପାଣି, ଡ୍ରେନେଜ ଅବ୍ୟବସ୍ଥା
September 16
20:11 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୬/୯ : ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଜମୁଛି ପାଣି। କେଉଁଠି ଆଣ୍ଠୁଏ ତ କେଉଁଠି ପ୍ରାୟ ୪ ଫୁଟ ପର୍ଯ୍ୟନ୍ତ ବର୍ଷାଜଳ ଜମି ରହୁଛି। ଘରର ପ୍ରବେଶପଥ ଦେଇ ପାଣି ଭିତରକୁ ପଶୁଛି। ଛାତ୍ରଛାତ୍ରୀଙ୍କ ଯାତାୟାତଠାରୁ ଆରମ୍ଭ କରି ରୋଗୀଙ୍କ ଚିକିତ୍ସା ପାଇଁ ଯିବା ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହେଉଛି।
ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଯାଏ ସ୍ଥାୟୀ ସମାଧାନ ହୋଇନଥିବାରୁ ଖୋରଧା ପୌର ପରିଷଦର ୮ ନମ୍ବର ୱାର୍ଡବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ବିଶେଷକରି ଅରବିନ୍ଦ ନଗର ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଗମ୍ଭୀର ରୂପ ନେଇଛି। ଅଞ୍ଚଳରେ ଉପଯୁକ୍ତ ଡ୍ରେନ୍ ବ୍ୟବସ୍ଥା ନଥିବା ସହ ଥିବା ନାଳ ଗୁଡ଼ିକରେ ସ୍ୱାଭାବିକ ଜଳପ୍ରବାହ ନଥିବାରୁ ବର୍ଷା ହେଲେ ଜଳ ନିଷ୍କାସନ ହୋଇପାରୁନାହିଁ। ଫଳରେ ରାସ୍ତାଘାଟ ଜଳମଗ୍ନ ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଜମି ରହୁଛି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ପୌର ପରିଷଦର ୫, ୬ ଓ ୮ ନମ୍ବର ୱାର୍ଡର ବର୍ଷାଜଳ ଏକାଠି ହୋଇ ସ୍ୱପ୍ନେଶ୍ୱର ମନ୍ଦିର ସମ୍ମୁଖ ପ୍ରଦର୍ଶନୀ ପଡ଼ିଆ ନିକଟସ୍ଥ ଖାଲୁଆ ଅଞ୍ଚଳକୁ ଯାଉଛି। ମାତ୍ର ଏଠାରେ ଜଳ ନିଷ୍କାସନର ସୁବ୍ୟବସ୍ଥା ନଥିବାରୁ ପାଣି ଜମି ରହୁଛି।
ଏହାର ପ୍ରତିକୂଳ ପ୍ରଭାବ ଅରବିନ୍ଦ ନଗର ଉପରେ ପଡ଼ୁଥିବା ସେମାନେ କହିଛନ୍ତି। ବର୍ଷା ପରେ ଅଞ୍ଚଳର ଅନେକ ରାସ୍ତାର ଅବସ୍ଥା ଏପରି ହେଉଛି ଯେ, ରାସ୍ତା ଓ ଜଳାଶୟ ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟକର ହୋଇପଡ଼ୁଛି। ଜଳ ଜମି ରହିବାରୁ ପଥଚାରୀଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି।
ଦୁଇଚକିଆ ଯାନ ଚଳାଚଳ ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ୁଛି। ପାଣିର ଗଭୀରତା ଜଣାପଡ଼ୁନଥିବାରୁ ଯାତାୟାତ ସମୟରେ ଲୋକେ ନାନା ସମସ୍ୟାରେ ପଡ଼ୁଛନ୍ତି। ନଗରସ୍ଥିତ ଏକ ସ୍କୁଲର ଫାଟକ ସମ୍ମୁଖରେ ବର୍ଷାଜଳ ଜମି ରହିବା ଦ୍ଵାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଯାତାୟାତରେ ସମସ୍ୟା ଉପୁଜୁଛି।
ଅନ୍ୟପକ୍ଷରେ, ଅଞ୍ଚଳରେ ଥିବା ହୋମିଓପାଥି କ୍ଲିନିକ୍‌କୁ ଆସୁଥିବା ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳବନ୍ଦୀ ସମସ୍ୟା ସମ୍ପର୍କରେ ପୌର ପରିଷଦର ଯନ୍ତ୍ରୀ, ପୌରାଧ୍ୟକ୍ଷା ଓ ସମ୍ପୃକ୍ତ କାଉନସିଲରଙ୍କୁ ବାରମ୍ବାର ଅବଗତ କରାଯାଇଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ପ୍ରତିଥର ସମସ୍ୟାର ସମାଧାନ ପାଇଁ ଆଶ୍ୱାସନ ମିଳୁଥିଲେ ମଧ୍ୟ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା ହୋଇନଥିବାରୁ ଲୋକଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ୁଛି।
ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ହେଉଛି, ପ୍ରତିବର୍ଷ ବର୍ଷା ଋତୁରେ ଯଦି ଏହି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଉଛି, ତେବେ ଏହାର ସ୍ଥାୟୀ ପ୍ରତିକାର ପାଇଁ ଦୀର୍ଘମିଆଦି ଯୋଜନା କାହିଁକି କରାଯାଉନାହିଁ? କେବଳ ବର୍ଷା ସମୟରେ ପମ୍ପ ଲଗାଇ ପାଣି ନିଷ୍କାସନ କିମ୍ବା ସାମୟିକ ଭାବେ ନାଳ ସଫା କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ ବୋଲି ସେମାନେ କହିଛନ୍ତି।
ଅଞ୍ଚଳର ଭୌଗୋଳିକ ସ୍ଥିତି, ବର୍ଷାଜଳର ପ୍ରବାହ, ନାଳଗୁଡ଼ିକର କ୍ଷମତା ଓ ଜଳ ନିଷ୍କାସନର ଶେଷ ପଥକୁ ଅନୁଧ୍ୟାନ କରି ସମଗ୍ର ଡ୍ରେନେଜ୍ ବ୍ୟବସ୍ଥାର ପୁନର୍ବିନ୍ୟାସ କରାଯିବା ଆବଶ୍ୟକ ବୋଲି ୱାର୍ଡବାସୀ ଦାବି କରିଛନ୍ତି। ଆବଶ୍ୟକ ସ୍ଥାନରେ ନୂଆ ଡ୍ରେନ୍ ନିର୍ମାଣ, ପୁରୁଣା ନାଳର ପୁନରୁଦ୍ଧାର, ଜଳପ୍ରବାହ ପଥରେ ଥିବା ବାଧା ଦୂର କରିବା ସହ ନିର୍ଦ୍ଦିଷ୍ଟ ଜଳ ନିଷ୍କାସନ ପଥ ସୃଷ୍ଟି ପାଇଁ ସେମାନେ ଦାବି ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930