ଶ୍ମଶାନ ଜମି ଚିହ୍ନଟରେ ବିଳମ୍ବ, ବଢ଼ୁଛି ଗ୍ରାମବାସୀଙ୍କ ଦୁର୍ଦ୍ଦଶା :ସରକାରୀ ରେକର୍ଡରେ ୩ ଏକରରୁ ଊର୍ଦ୍ଧ୍ୱ ଜମି, ତଥାପି ଶବ ସତ୍କାର ପାଇଁ ନାନା ସମସ୍ୟା
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୯/୯ : ସରକାରୀ ରାଜସ୍ୱ ରେକର୍ଡରେ ଶ୍ମଶାନ ପାଇଁ ଜମି ରହିଛି। ହେଲେ ଉକ୍ତ ଜମିର ସମ୍ପୂର୍ଣ୍ଣ ମାପଚୁପ ଓ ସୀମା ନିର୍ଦ୍ଧାରଣ ହୋଇପାରୁନାହିଁ। ଅନ୍ୟପକ୍ଷରେ ଶ୍ମଶାନକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ କି ଶବ ସତ୍କାର ସମୟରେ ଆଶ୍ରୟ ନେବା ପାଇଁ ପ୍ରତୀକ୍ଷା ଗୃହର ବ୍ୟବସ୍ଥା ଅଛି।
ଏପରିକି ଜମି ଜବରଦଖଲମୁକ୍ତ ହୋଇ ଗ୍ରାମବାସୀଙ୍କ ବ୍ୟବହାର ପାଇଁ ଉପଲବ୍ଧ ହୋଇପାରିନାହିଁ। ଫଳରେ ମୃତ୍ୟୁ ପରେ ଶେଷକୃତ୍ୟ ସମ୍ପନ୍ନ କରିବା ଭଳି ଏକ ସମ୍ବେଦନଶୀଳ କାର୍ଯ୍ୟ ପାଇଁ ମଧ୍ୟ ଗ୍ରାମବାସୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ଖୋରଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡ଼ାଡିହ ପଞ୍ଚାୟତର ତଳଗଡ଼ ଗ୍ରାମରେ ଦୀର୍ଘଦିନ ଧରି ଲାଗିରହିଥିବା ଏହି ସମସ୍ୟା ଏବେ ପ୍ରଶାସନିକ ତତ୍ପରତାକୁ ନେଇ ପ୍ରଶ୍ନ ଉଠାଇଛି।
ନ୍ୟାୟସଙ୍ଗତ ସମାଧାନ ଦାବିରେ ଗ୍ରାମବାସୀ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ତଳଗଡ଼ ମୌଜାରେ ଶ୍ମଶାନ ନିମନ୍ତେ ରାଜସ୍ୱ ରେକର୍ଡଭୁକ୍ତ ତିନୋଟି ପ୍ଲଟ୍ ରହିଛି। ଏହା ସତ୍ତ୍ୱେ ଜମିର ସଠିକ୍ ସୀମା ନିର୍ଦ୍ଧାରଣ କରାଯାଇ ନଥିବାରୁ ଶ୍ମଶାନର ପ୍ରକୃତ ପରିସୀମାକୁ ନେଇ ସମସ୍ୟା ଲାଗିରହିଛି। ଜମିର କେଉଁ ଅଂଶ ସରକାରୀ ଶ୍ମଶାନ ଭାବେ ସଂରକ୍ଷିତ ଏବଂ ତାହା କେଉଁଠାରୁ କେଉଁଠା ପର୍ଯ୍ୟନ୍ତ ରହିଛି, ସେ ସମ୍ପର୍କରେ ସ୍ପଷ୍ଟତା ନଥିବାରୁ ଗ୍ରାମବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପ୍ରଶାସନ ପକ୍ଷରୁ କେତେକ ସ୍ଥାନରେ ବୃତ୍ତାକାର ଚିହ୍ନ ଦିଆଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ମାପଚୁପ ଓ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଅଧାରେ ରହିଯାଇଥିବା ସେମାନେ କହିଛନ୍ତି।
ତଳଗଡ଼ ଗ୍ରାମର ଦକ୍ଷିଣ ଦିଗରେ ଏହି ସରକାରୀ ଶ୍ମଶାନ ଜମି ଅବସ୍ଥିତ। ରାଜସ୍ୱ ରେକର୍ଡ ଅନୁସାରେ, ଖାତା ନମ୍ବର ୪୮୪ ଅଧୀନରେ ପ୍ଲଟ୍ ନମ୍ବର ୩୭୩, ୪୫୦ ଓ ୪୮୧ ରହିଛି।
ଏହି ତିନୋଟି ପ୍ଲଟ୍ର ମୋଟ ଜମି ପରିମାଣ ୩ ଏକର ୬୦୫ ଡେସିମିଲ ବୋଲି ରେକର୍ଡରେ ଉଲ୍ଲେଖ ରହିଥିବା ଗ୍ରାମବାସୀ ଦର୍ଶାଇଛନ୍ତି।
ଏତେ ପରିମାଣର ସରକାରୀ ଜମି ରେକର୍ଡରେ ଶ୍ମଶାନ ଭାବେ ଥିବା ସତ୍ତ୍ୱେ ଗ୍ରାମବାସୀ ନିଜ ଗ୍ରାମରେ ଶବ ସତ୍କାର ପାଇଁ ଉପଯୁକ୍ତ ସ୍ଥାନ ପାଇବାରେ ଅସୁବିଧା ଭୋଗୁଥିବା ଘଟଣା ଉଦ୍ବେଗର କାରଣ ହୋଇଛି। ସମସ୍ୟାର ମୂଳ କାରଣ ଜମିର ସ୍ଥିତି ଓ ଦଖଲକୁ ନେଇ ରହିଥିବା ଅସ୍ପଷ୍ଟତା ବୋଲି ଗ୍ରାମବାସୀ କହିଛନ୍ତି।
ପୂର୍ବରୁ ଯେଉଁ ସ୍ଥାନରେ ଗ୍ରାମବାସୀ ପାରମ୍ପରିକ ଭାବେ ଶବ ସତ୍କାର କରିଆସୁଥିଲେ, ପରବର୍ତ୍ତୀ ସମୟରେ ଉକ୍ତ ଜମି ଜଣେ ବ୍ୟକ୍ତିଙ୍କର ବୋଲି ଜାଣିବାକୁ ପାଇଥିଲେ। ସମ୍ପୃକ୍ତ ବ୍ୟକ୍ତି ସେଠାରେ ଶବ ସତ୍କାର କରିବାକୁ ବାରଣ କରିବାରୁ ଗ୍ରାମବାସୀଙ୍କ ସମସ୍ୟା ଅଧିକ ଜଟିଳ ହୋଇଥିଲା।
ଫଳରେ ଗ୍ରାମର ଗରିବ, ମଧ୍ୟବିତ୍ତ ଓ ସ୍ୱଚ୍ଛଳ ପରିବାରର ଲୋକମାନେ ମଧ୍ୟ ଶବ ସତ୍କାର ପାଇଁ ଦୂରଦୂରାନ୍ତକୁ ଯିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି। କେତେକ ପରିବାର ପୁରୀ ସ୍ୱର୍ଗଦ୍ୱାରକୁ ଯାଇ ଶେଷକୃତ୍ୟ ସମ୍ପନ୍ନ କରୁଥିବାରୁ ସେମାନଙ୍କୁ ଅଯଥା ଆର୍ଥିକ ବୋଝ ସହିବାକୁ ପଡ଼ୁଛି।
କେବଳ ଜମି ଚିହ୍ନଟ ନୁହେଁ, ଶ୍ମଶାନର ମୌଳିକ ଭିତ୍ତିଭୂମି ଅଭାବ ମଧ୍ୟ ଗ୍ରାମବାସୀଙ୍କ ଦୁର୍ଦ୍ଦଶାକୁ ବଢ଼ାଇଛି। ଶ୍ମଶାନକୁ ଯିବା ପାଇଁ ପକ୍କା ରାସ୍ତା ନଥିବାରୁ ବିଶେଷକରି ବର୍ଷାଦିନେ ଯାତାୟାତରେ ଅସୁବିଧା ହେଉଛି।
ଶ୍ମଶାନର ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ ହୋଇନଥିବାରୁ ଜମିର ସୁରକ୍ଷା ଓ ସୀମା ଚିହ୍ନଟକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏଥିସହ ଶବ ସତ୍କାର ସମୟରେ ଲୋକଙ୍କ ଅପେକ୍ଷା ପାଇଁ ପ୍ରତୀକ୍ଷା ଗୃହ କିମ୍ବା ଅନ୍ୟାନ୍ୟ ଆବଶ୍ୟକ ସୁବିଧା ନାହିଁ। ଏକ ସୁବ୍ୟବସ୍ଥିତ ଶ୍ମଶାନ ପାଇଁ ଯେଉଁ ସର୍ବନିମ୍ନ ସୁବିଧା ରହିବା ଆବଶ୍ୟକ, ତାହା ତଳଗଡ଼ରେ ଏଯାଏଁ ଉପଲବ୍ଧ ହୋଇପାରିନାହିଁ।
ସୂଚନାନୁଯାୟୀ, ପ୍ରାୟ ୧,୧୦୦ ଲୋକ ବସବାସ କରୁଥିବା ତଳଗଡ଼ ଗ୍ରାମରେ ଦୁଇଟି ୱାର୍ଡ ରହିଛି। ଗ୍ରାମର ଜନସଂଖ୍ୟା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ମଶାନ ଜମିର ସ୍ଥାୟୀ ସମାଧାନ ଏବଂ ମୌଳିକ ସୁବିଧାର ବିକାଶ ଜରୁରୀ ହୋଇପଡ଼ିଛି। ଏଥିପାଇଁ ଗ୍ରାମବାସୀ ପୂର୍ବରୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଆଶାନୁରୂପ ଫଳ ମିଳିନଥିବା ସେମାନଙ୍କ ଅଭିଯୋଗ।
ଗ୍ରାମବାସୀ ଏହି ସମସ୍ୟା ନେଇ ଖୋରଧା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ପୂର୍ବତନ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶକ୍ରମେ ବେଗୁନିଆ ତହସିଲଦାର ତାପସ ବିଶିଙ୍କ ତତ୍ତ୍ୱାବଧାନରେ ଶ୍ମଶାନ ଜମିର ମାପଚୁପ ଆରମ୍ଭ ହୋଇଥିଲା।
ଏହାଦ୍ୱାରା ଜମିର ସ୍ଥିତି ସ୍ପଷ୍ଟ ହେବା ସହ ଦୀର୍ଘଦିନର ସମସ୍ୟାର ସମାଧାନ ହେବ ବୋଲି ଗ୍ରାମବାସୀ ଆଶା ରଖିଥିଲେ। ମାତ୍ର ମାପଚୁପ ପ୍ରକ୍ରିୟା ଅଧାରେ ଅଟକି ରହିବାରୁ ସମ୍ପୂର୍ଣ୍ଣ ସୀମା ନିର୍ଦ୍ଧାରଣ ହୋଇପାରିନାହିଁ।
ଜମିର ଚିହ୍ନଟ ଅସମ୍ପୂର୍ଣ୍ଣ ରହିବା ଯୋଗୁଁ ଜବରଦଖଲ ସମସ୍ୟାର ସମାଧାନ ଓ ଶ୍ମଶାନର ବିକାଶ କାର୍ଯ୍ୟ ମଧ୍ୟ ଆଗକୁ ବଢ଼ିପାରୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଗ୍ରାମବାସୀ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏହି ଦାବିପତ୍ରରେ ରଙ୍କନିଧି ବଳିୟାରସିଂହ, ପ୍ରଶାନ୍ତ କୁମାର ଜଗଦ୍ଦେବ, ଅସୀମା ମାନ୍ଧାତା, ନିରୁପମା ପାଇକରାୟ ଓ ୱାର୍ଡ ସଭ୍ୟା ରୁପାଲି ଦାଶ ପ୍ରମୁଖ ଶ୍ମଶାନ ଜମିର ସମ୍ପୂର୍ଣ୍ଣ ମାପଚୁପ, ସୀମା ନିର୍ଦ୍ଧାରଣ, ଜବରଦଖଲ ଉଚ୍ଛେଦ ଏବଂ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ପାଇଁ ଦାବି ଜଣାଇଛନ୍ତି।
ଗ୍ରାମବାସୀଙ୍କ ଦାବି ହେଉଛି, ପ୍ରଥମେ ରାଜସ୍ୱ ରେକର୍ଡ ଅନୁଯାୟୀ ତିନୋଟି ପ୍ଲଟ୍ର ମାପଚୁପ କରାଯାଇ ଶ୍ମଶାନ ଜମିର ସୀମାକୁ ସ୍ପଷ୍ଟ ଭାବେ ଚିହ୍ନଟ କରାଯାଉ। ଏହାପରେ ତଦନ୍ତ ଓ ଆଇନସମ୍ମତ ପ୍ରକ୍ରିୟା ଅନୁସାରେ ଜବରଦଖଲ ଥିବା ଜମିକୁ ମୁକ୍ତ କରାଯାଇ ଗ୍ରାମବାସୀଙ୍କ ବ୍ୟବହାର ପାଇଁ ଉପଲବ୍ଧ କରାଯାଉ।
ଏଥିସହ ଶ୍ମଶାନକୁ ପକ୍କା ରାସ୍ତା, ଚାରିପାଖରେ ପାଚେରି, ପ୍ରତୀକ୍ଷା ଗୃହ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଉ।
ଶ୍ମଶାନ ହେଉଛି ପ୍ରତ୍ୟେକ ଗ୍ରାମର ଏକ ମୌଳିକ ଆବଶ୍ୟକତା। ମୃତକଙ୍କ ଶେଷକୃତ୍ୟ ସମ୍ମାନର ସହ ସମ୍ପନ୍ନ କରିବା ପାଇଁ ଉପଯୁକ୍ତ ସ୍ଥାନ ଓ ସୁବିଧା ଯୋଗାଇଦେବା ପ୍ରଶାସନର ଦାୟିତ୍ୱ। ତଳଗଡ଼ରେ ଶ୍ମଶାନ ଜମି ରାଜସ୍ୱ ରେକର୍ଡରେ ଥିବା ସତ୍ତ୍ୱେ ଏହାର ସଠିକ୍ ଚିହ୍ନଟ ଓ ବିକାଶ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବା ଗ୍ରାମବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।
ତେଣୁ ଜିଲ୍ଲା ପ୍ରଶାସନ ଓ ରାଜସ୍ୱ ବିଭାଗ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଗ୍ରାମବାସୀଙ୍କୁ ଶ୍ମଶାନର ମୌଳିକ ସୁବିଧା ଯୋଗାଇଦେବାକୁ ଦାବି ହୋଇଛି।






