Indus Valley Times

ଖୋରଧା ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ; ସତ୍ୟ ଅହିଂସା ଓ ସ୍ୱଚ୍ଛତାର ମାର୍ଗରେ ଚାଲିବାକୁ ଆହ୍ୱାନ

 Breaking News

ଖୋରଧା ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ; ସତ୍ୟ ଅହିଂସା ଓ ସ୍ୱଚ୍ଛତାର ମାର୍ଗରେ ଚାଲିବାକୁ ଆହ୍ୱାନ

ଖୋରଧା ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ; ସତ୍ୟ ଅହିଂସା ଓ ସ୍ୱଚ୍ଛତାର ମାର୍ଗରେ ଚାଲିବାକୁ ଆହ୍ୱାନ
October 02
20:44 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨ /୧୦ : ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଆଦର୍ଶ, ଦେଶପ୍ରେମ, ସତ୍ୟ, ଅହିଂସା ଓ ମାନବସେବାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଥିଲା।
ପୂର୍ବାହ୍ନରେ ଖୋରଧା ଡାକବଙ୍ଗଳା ନିକଟସ୍ଥ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଓ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରା ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଉରାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଓ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂହ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ମହାରଣା ଓ ତହସିଲଦାର ବିଭାଷ ପାଣିଗ୍ରାହୀ ସମ୍ମାନିତ ଅତିଥି ଏବଂ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡ. ସୁବୋଧ କୁମାର ଜଗଦ୍ଦେବ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ଅତିଥିମାନେ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ଜ୍ୱଳନ କରି ସମାରୋହର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ହିନ୍ଦୁ ଧର୍ମର ପ୍ରତିନିଧି ପଣ୍ଡିତ ସୁଶାନ୍ତ କୁମାର ମିଶ୍ର, ଇସଲାମ ଧର୍ମର ପ୍ରତିନିଧି ମୌଲାନା ଖତି ଉଦ୍ଦିନ ଓ ଖ୍ରୀଷ୍ଟିଆନ ଧର୍ମଗୁରୁ ମାନୁଏଲ କରାଡାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବନ୍ଦେ ମାତରମ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।
ତିନି ଧର୍ମର ଧର୍ମଗୁରୁମାନେ ଯଥାକ୍ରମେ ଗୀତା, କୋରାନ ଓ ବାଇବେଲ ପାଠ କରି ବିଶ୍ୱଶାନ୍ତି, ସଦ୍‌ଭାବନା ଓ ଧର୍ମୀୟ ସମନ୍ୱୟର ବାର୍ତ୍ତା ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀମତୀ ଗୁମାନ ସିଂହ ନିଜ ଅଭିଭାଷଣରେ ମହାତ୍ମା ଗାନ୍ଧୀଙ୍କୁ ଜଣେ ମହାନ ମାନବବାଦୀ ଭାବେ ଅଭିହିତ କରିଥିଲେ। ସତ୍ୟ, ଅହିଂସା, ମାନବିକତା ଓ ମାନବସେବା ଗାନ୍ଧୀଜୀଙ୍କ ଜୀବନର ମୂଳମନ୍ତ୍ର ଥିଲା ବୋଲି ସେ କହିଥିଲେ।
ଛାତ୍ରଛାତ୍ରୀ ଓ ଯୁବପିଢ଼ି ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ନ୍ୟାୟପୂର୍ଣ୍ଣ, ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ସମାଜ ଗଠନ ଦିଗରେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ।
ସଭାପତିତ୍ୱ ଅଭିଭାଷଣରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଉରା କହିଥିଲେ ଯେ, ଛାତ୍ରଛାତ୍ରୀମାନେ ମହାତ୍ମା ଗାନ୍ଧୀଙ୍କ ଆତ୍ମଜୀବନୀ ପଢ଼ି ତାଙ୍କ ଜୀବନାଦର୍ଶରୁ ପ୍ରେରଣା ଗ୍ରହଣ କରିବା ଉଚିତ।
ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ମାର୍ଗ ଅନୁସରଣ କରି ଶିକ୍ଷା, ସାମାଜିକ ଜୀବନ ଓ କର୍ମକ୍ଷେତ୍ରରେ ସଫଳତା ହାସଲ କରିବା ହିଁ ଗାନ୍ଧୀଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।
ଏହାଦ୍ୱାରା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ସ୍ୱପ୍ନ ସାକାର ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ଗୋପୀନାଥ ମହାରଣା ଗାନ୍ଧୀଜୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଭାରତ ଛାଡ଼ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନର ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ।
ସମାଜରେ ଧର୍ମୀୟ ସଦ୍‌ଭାବନା ଓ ଏକତା ପ୍ରତିଷ୍ଠା କରିବା ସହ ମହିଳାମାନଙ୍କ ସଶକ୍ତୀକରଣ ଓ ସ୍ୱଚ୍ଛତା ଅଭିଯାନରେ ଗାନ୍ଧୀଜୀଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଥିଲେ।
ସ୍ୱଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା ସହ ସମସ୍ତେ ନିଜ ନିଜ ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କଲେ ଦେଶର ପ୍ରଗତି ତ୍ୱରାନ୍ୱିତ ହୋଇପାରିବ ବୋଲି ସେ ମତ ଦେଇଥିଲେ।
ମୁଖ୍ୟବକ୍ତା ଡ.ଜଗଦ୍ଦେବ ଗାନ୍ଧୀଜୀଙ୍କୁ ଜଣେ ଯୁଗପୁରୁଷ ଭାବେ ବର୍ଣ୍ଣନା କରିବା ସହ ତାଙ୍କ ଆଦର୍ଶ କିପରି ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିଲା, ସେ ସମ୍ପର୍କରେ ଆଲୋଚନା କରିଥିଲେ।
୧୯୨୧ ମସିହା ମାର୍ଚ୍ଚ ୨୧ ତାରିଖରେ ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତ ଓ ଖୋରଧା ପାଇକ ମାଟି ସହ ତାଙ୍କ ସମ୍ପର୍କ ଉପରେ ସେ ଆଲୋକପାତ କରିଥିଲେ। ସରଳ ଜୀବନଯାପନ, ଶ୍ରମର ମର୍ଯ୍ୟାଦା, ତ୍ୟାଗ, ସ୍ୱାବଲମ୍ବନ ଓ ସ୍ୱଚ୍ଛତା ଗାନ୍ଧୀ ଦର୍ଶନର ମୁଖ୍ୟ ଆଧାର ବୋଲି ସେ କହିଥିଲେ।
ଛାତ୍ରଛାତ୍ରୀ ଓ ଯୁବପିଢ଼ି ଏହି ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରି ସମାଜର ଉନ୍ନତିରେ ଯୋଗଦାନ ଦେବାକୁ ସେ ପରାମର୍ଶ ଦେଇଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ତହସିଲଦାର ବିଭାସ ପାଣିଗ୍ରାହୀ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାଶ ସୁଭାଷ ଚନ୍ଦ୍ର ବୋଷ, ଲାଲ ବାହାଦୁର ଶାସ୍ତ୍ରୀ ଓ ରବୀନ୍ଦ୍ରନାଥ ଟାଗୋରଙ୍କ ଜୀବନୀ ପଢ଼ି ସେମାନଙ୍କ ଆଦର୍ଶରୁ ଶିକ୍ଷା ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସଭା ପରିଚାଳନା କରିବା ସହ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ବନ୍ଦେ ମାତରମ ଓ ଜାତୀୟ ସଙ୍ଗୀତ ଗାନ ସହ ସଭା ଉଦ୍‌ଯାପିତ ହୋଇଥିଲା। ଏହି ସମାରୋହରେ ଡିଇଜିଏମ ମାନସ କୁମାର ବ୍ରହ୍ମା, ସିଆରସିସି ରେବତୀ ପଣ୍ଡା, ଖୋରଧା ବ୍ଲକ୍ ଶିକ୍ଷା ଅଧିକାରୀ, ବୁଦ୍ଧିଜୀବୀ ଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031