Indus Valley Times

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ହକ ପାଇଁ ଖୋରଧାରେ ଗର୍ଜିଲା ସଂଘ ; ୧୦ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

 Breaking News

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ହକ ପାଇଁ ଖୋରଧାରେ ଗର୍ଜିଲା ସଂଘ ; ୧୦ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ହକ ପାଇଁ ଖୋରଧାରେ ଗର୍ଜିଲା ସଂଘ ; ୧୦ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
October 12
18:53 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୨/୧୦ : ଶିଶୁଙ୍କ ପୁଷ୍ଟିସାଧନ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଯତ୍ନ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା ସହ ଗ୍ରାମାଞ୍ଚଳରେ ସରକାରୀ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟଣରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ତୃଣମୂଳ ସ୍ତରରେ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମରେ ସେମାନେ ନିରନ୍ତର ନିୟୋଜିତ ରହୁଥିବା ବେଳେ ନିଜର ମାନଧନ, ଚାକିରିର ସୁରକ୍ଷା, ପଦୋନ୍ନତି ଓ ବକେୟା ପ୍ରାପ୍ୟକୁ ନେଇ ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।
ଏହି ସମସ୍ୟାଗୁଡ଼ିକର ସମାଧାନ ଓ ନିଜର ନ୍ୟାଯ୍ୟ ଦାବି ପୂରଣ ପାଇଁ ସୋମବାର ଖୋରଧା ରେ ରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ।
ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌) ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାର୍କର୍ସ ଆସୋସିଏସନର ରାଜ୍ୟ କାର୍ଯ୍ୟସମିତିର ନିଷ୍ପତ୍ତିକ୍ରମେ ଖୋରଧା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।
ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ କର୍ମୀ ଓ ସହାୟିକା ଏଥିରେ ଯୋଗଦେଇ ସଂଘର ୧୦ ଦଫା ଦାବିକୁ ତୁରନ୍ତ ପୂରଣ କରିବାକୁ ଦାବି ଜଣାଇଥିଲେ।
ଏହି ଆନ୍ଦୋଳନ ମାଧ୍ୟମରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଆର୍ଥିକ ସୁରକ୍ଷା, ସାମାଜିକ ସମ୍ମାନ ଏବଂ ଚାକିରି କ୍ଷେତ୍ରରେ ଥିବା ଅନିଶ୍ଚିତତାର ଅବସାନ ପାଇଁ ସଂଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ସଭାରେ ଜିଲ୍ଲା ସଭାନେତ୍ରୀ ପ୍ରଭାତୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାର୍କର୍ସ ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦିକା କୁଞ୍ଜଲତା ଦାସ, କୋଷାଧ୍ୟକ୍ଷା ମନ୍ଦାକିନୀ ପ୍ରଧାନ ଓ କାର୍ଯ୍ୟକାରିଣୀ ସଦସ୍ୟା ବନିତାଞ୍ଜଳି ଦାସ ଯୋଗଦେଇଥିଲେ।
ସେହିପରି ଭାରତୀୟ ମଜଦୁର ସଂଘର ରାଜ୍ୟ ସଂଗଠନ ମନ୍ତ୍ରୀ ଲକ୍ଷ୍ମଣ ଦାସ, ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ରଞ୍ଜନ କୁମାର ଦାସ, ସତ୍ୟବ୍ରତ ପରିଡ଼ା, ଜିଲ୍ଲା ସଭାପତି ଅକ୍ଷୟ କୁମାର ରାଉତରାୟ ଓ ସମ୍ପାଦକ ଅମରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦାବିଗୁଡ଼ିକ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।
ସଂଘର ପ୍ରମୁଖ ଦାବି ମଧ୍ୟରେ ସମନ୍ୱିତ ଶିଶୁ ବିକାଶ ସେବା (ଆଇ.ସି.ଡି.ଏସ) ପ୍ରକଳ୍ପକୁ ସ୍ଥାୟୀ କରିବା ସହ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ଅନ୍ୟତମ।
ସଂଘର ମତରେ, ଶିଶୁ ଓ ମହିଳାଙ୍କ କଲ୍ୟାଣ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବା କର୍ମୀ ଓ ସହାୟିକାଙ୍କ କାର୍ଯ୍ୟକୁ ଉପଯୁକ୍ତ ସ୍ୱୀକୃତି ମିଳିବା ଆବଶ୍ୟକ।
ସେମାନଙ୍କ ଦୀର୍ଘଦିନର ସେବାକୁ ଦୃଷ୍ଟିରେ ରଖି ଚାକିରିର ସୁରକ୍ଷା ଓ ଉପଯୁକ୍ତ ଆର୍ଥିକ ସୁବିଧା ସୁନିଶ୍ଚିତ କରିବାକୁ ସଂଘ ଦାବି କରିଛି।
ସରକାରୀ କର୍ମଚାରୀର ମାନ୍ୟତା ମିଳିବା ପର୍ଯ୍ୟନ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ମାନଧନ ପ୍ରଦାନ କରିବାକୁ ଦାବି ହୋଇଛି। ଏଥିସହ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ସେମାନଙ୍କ ମାନଧନ ବୃଦ୍ଧି କରିବାକୁ ସଂଘ ଦାବି ଜଣାଇଛି। କର୍ମୀ ଓ ସହାୟିକାଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସହ ଦୈନନ୍ଦିନ ଜୀବନଯାପନରେ ସହାୟତା ଯୋଗାଇଦେବା ପାଇଁ ଏହି ଦାବିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବୟସକୁ ନେଇ ରହିଥିବା ସମସ୍ୟା ମଧ୍ୟ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ଥିଲା। ୫୫ ବର୍ଷ ବା ତଦୂର୍ଦ୍ଧ୍ୱ ବୟସରେ କାର୍ଯ୍ୟଦକ୍ଷତା ସମୀକ୍ଷା ଆଳରେ ସେମାନଙ୍କୁ କାର୍ଯ୍ୟରୁ ଛଟେଇ କରିବା ସମ୍ପର୍କିତ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି।
ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଥିବା କର୍ମୀ ଓ ସହାୟିକାଙ୍କ ଚାକିରିର ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ସେମାନଙ୍କ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ନଦେବାକୁ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି।
ସେହିପରି ୬୦ ବର୍ଷ ବୟସ ପରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ଆଉ ଦୁଇ ବର୍ଷ ପାଇଁ ସମ୍ପ୍ରସାରିତ ନିଯୁକ୍ତି ଦେବା ସମ୍ପର୍କରେ ରହିଥିବା ଅନିଶ୍ଚିତତା ଦୂର କରିବାକୁ ଦାବି ହୋଇଛି।
ଏହି ବ୍ୟବସ୍ଥାକୁ ନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଓ ନିଶ୍ଚିତତା ରହିବା ଆବଶ୍ୟକ ବୋଲି ସଂଘ ମତ ପ୍ରକାଶ କରିଛି। ବର୍ତ୍ତମାନ ଅଙ୍ଗନବାଡ଼ି କାର୍ଯ୍ୟକ୍ରମରେ ଡିଜିଟାଲ ତଥ୍ୟ ଅପଲୋଡ୍ ଓ ଅନଲାଇନ ରିପୋର୍ଟିଂ ଗୁରୁତ୍ୱ ବହନ କରୁଥିବା ବେଳେ ଇଣ୍ଟରନେଟ ସଂଯୋଗରେ ବାଧା ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୋଷଣ ଟ୍ରାକରରେ ତଥ୍ୟ ଏଣ୍ଟ୍ରି ବିଳମ୍ବ ହେଉଥିବା ଅଭିଯୋଗ ଆସିଛି।
ଏହି ବିଳମ୍ବ ପାଇଁ କର୍ମୀମାନଙ୍କ ମାନଧନ କାଟିବା ଅନୁଚିତ ବୋଲି ସଂଘ ଦାବି କରିଛି। ଇଣ୍ଟରନେଟ ସମସ୍ୟା ଓ ଯାନ୍ତ୍ରିକ ତ୍ରୁଟି ଭଳି କାରଣରୁ ହୋଇଥିବା ତଥ୍ୟ ଅପଲୋଡ୍ ବିଳମ୍ବକୁ ବିଚାରକୁ ନେଇ ପୂର୍ବରୁ କଟାଯାଇଥିବା ମାନଧନ ଫେରସ୍ତ କରିବାକୁ ଦାବି ହୋଇଛି।
ଏହା ସହ ଗତ ତିନି ବର୍ଷ ଧରି ବକେୟା ରହିଥିବା ୟୁନିଫର୍ମ ରାଶି, ମୋବାଇଲ୍ ରିଚାର୍ଜ ଖର୍ଚ୍ଚ ଓ ଇଣ୍ଟରନେଟ ପ୍ୟାକ ବାବଦ ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ସଂଘ ଦାବି ଉଠାଇଛି।
କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଡିଜିଟାଲ୍ ସୁବିଧା ଓ ଖର୍ଚ୍ଚର ଭାର କର୍ମୀଙ୍କ ଉପରେ ନପଡ଼ିବା ସହ ବକେୟା ପ୍ରାପ୍ୟ ସମୟୋଚିତ ଭାବେ ପ୍ରଦାନ କରିବା ଉପରେ ସଂଘ ଗୁରୁତ୍ୱ ଦେଇଛି।
ଅଙ୍ଗନବାଡ଼ି ସହାୟିକାଙ୍କଠାରୁ କର୍ମୀ ପଦକୁ ପଦୋନ୍ନତି ପାଇଁ ଧାର‌୍ୟ୍ୟ ୪୫ ବର୍ଷ ବୟସସୀମା ହଟାଇବାକୁ ସଂଘ ଦାବି କରିଛି। ଯୋଗ୍ୟତା ଓ ଅଭିଜ୍ଞତାକୁ ଆଧାର କରି ପଦୋନ୍ନତି ସୁଯୋଗ ଦିଆଯିବା ଆବଶ୍ୟକ ବୋଲି ସଂଘ ପକ୍ଷରୁ ମତ ପ୍ରକାଶ ପାଇଛି।
ଏଥିସହ ଅଙ୍ଗନବାଡ଼ି କର୍ମୀମାନଙ୍କୁ ନିୟମିତ ଭାବେ ସୁପରଭାଇଜର ପଦକୁ ପଦୋନ୍ନତି ଦେବା ଏବଂ ଏହି ପ୍ରକ୍ରିୟାରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା ଯୋଗ୍ୟ କର୍ମୀଙ୍କୁ ଉପଯୁକ୍ତ ସୁଯୋଗ ଦେବାକୁ ଦାବି ହୋଇଛି।
ଅନ୍ୟପକ୍ଷରେ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ଉଦ୍ଦିଷ୍ଟ ମାତୃତ୍ୱକାଳୀନ ଓ ଅବସରକାଳୀନ ସହାୟତା ରାଶି ବକେୟା ରହିଥିବାରୁ ତାହା ବିନା ବିଳମ୍ବରେ ପ୍ରଦାନ କରିବାକୁ ସଂଘ ଦାବି କରିଛି।
ଦୀର୍ଘ ସମୟ ଧରି ସେବା ପ୍ରଦାନ କରିଥିବା କର୍ମୀ ଓ ସହାୟିକାଙ୍କ ଅବସର ସମୟରେ ଆର୍ଥିକ ସହାୟତା ମିଳିବା ଏବଂ ମାତୃତ୍ୱ ସମୟରେ ଆବଶ୍ୟକ ସୁବିଧା ପ୍ରଦାନ କରାଯିବା ଜରୁରୀ ବୋଲି ସଂଘ ପକ୍ଷରୁ ଦାବି ଜଣାଯାଇଛି।
ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପୁଷ୍ଟିକର ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ସମସ୍ତ ବ୍ଲକ୍‌ରେ ଏସ.ଏନ.ପି ଓ ଏମ.ଏସ.ପି ବାବଦ ଅର୍ଥ ଏବଂ ଚାଉଳ ନିର୍ଦ୍ଧାରିତ ସମୟରେ ନିୟମିତ ଯୋଗାଇଦେବାକୁ ସଂଘ ଦାବି କରିଛି। ଆବଶ୍ୟକ ଅର୍ଥ ଓ ସାମଗ୍ରୀ ସମୟରେ ଉପଲବ୍ଧ ନହେଲେ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଜନା ପରିଚାଳନା କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହୁଥିବାରୁ ଏହି ଦିଗରେ ସମ୍ପୃକ୍ତ ବିଭାଗ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ କେବଳ ନିଜ ନିଜ କେନ୍ଦ୍ରରେ ସୀମିତ ନରହି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ତଥ୍ୟ ସଂଗ୍ରହ, ସଚେତନତା ଅଭିଯାନ ଓ ଜନସେବାମୂଳକ କାର‌୍ୟ୍ୟରେ ମଧ୍ୟ ନିୟୋଜିତ ହେଉଛନ୍ତି।
ତେଣୁ ସେମାନଙ୍କ କାର୍ଯ୍ୟର ସ୍ୱୀକୃତି, ଆର୍ଥିକ ସୁରକ୍ଷା, ନିୟମିତ ପଦୋନ୍ନତି ଓ ଅବସରକାଳୀନ ସୁବିଧା ସୁନିଶ୍ଚିତ କରିବା ଦିଗରେ ସରକାର ଗୁରୁତ୍ୱ ଦେବା ଉଚିତ ବୋଲି ଦାବି ହୋଇଛି।
ବିକ୍ଷୋଭ ପରେ ସଂଘ ପକ୍ଷରୁ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।
ଦାବିଗୁଡ଼ିକର ଗୁରୁତ୍ୱକୁ ବିଚାରକୁ ନେଇ ସରକାର ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସଂଘ ଆଶା ପ୍ରକାଶ କରିଛି।
କାର୍ଯ୍ୟକ୍ରମକୁ ଖୋରଧା ଜିଲ୍ଲା ସମ୍ପାଦିକା ସରସ୍ୱତୀ ବଳିୟାରସିଂ ପରିଚାଳନା କରିଥିଲେ। କାର୍ଯ୍ୟକାରୀ ସଭାନେତ୍ରୀ ପ୍ରଭାତୀ ମଙ୍ଗରାଜଙ୍କ ସମେତ ସୌମ୍ୟସ୍ନିଗ୍ଧା ସୁନ୍ଦରାୟ, ମମିତା ପ୍ରଧାନ, ସନ୍ଧ୍ୟାରାଣୀ ଭୂୟାଁ, କବିତା ସ୍ୱାଇଁ, ସନ୍ଧ୍ୟାରାଣୀ ପ୍ରଧାନ, ଶର୍ମିଷ୍ଠା ପାତ୍ର, ଦମୟନ୍ତୀ ଜେନା ଓ ମମତା ପଲେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031