Indus Valley Times

ବାଲିଗୁଡ଼ାରେ ଧୁମ୍‌ଧାମରେ ପାଳିତ ହେଲା ଗାଁ ଦିବସ :୩୦ ରୁ ଊର୍ଦ୍ଧ୍ୱ ନୃତ୍ୟଦଳଙ୍କ ଆକର୍ଷଣୀୟ ପରିବେଷଣ

 Breaking News

ବାଲିଗୁଡ଼ାରେ ଧୁମ୍‌ଧାମରେ ପାଳିତ ହେଲା ଗାଁ ଦିବସ :୩୦ ରୁ ଊର୍ଦ୍ଧ୍ୱ ନୃତ୍ୟଦଳଙ୍କ ଆକର୍ଷଣୀୟ ପରିବେଷଣ

ବାଲିଗୁଡ଼ାରେ ଧୁମ୍‌ଧାମରେ ପାଳିତ ହେଲା ଗାଁ ଦିବସ :୩୦ ରୁ ଊର୍ଦ୍ଧ୍ୱ ନୃତ୍ୟଦଳଙ୍କ ଆକର୍ଷଣୀୟ ପରିବେଷଣ
November 26
08:13 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୬/୧୦ :
ଗାଁର ମାଟି, ଗାଁର ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ଲୋକକଳାକୁ ନୂତନ ପରିଚୟ ଦେବା ଉଦ୍ଦେଶ୍ୟରେ ବାଲିଗୁଡ଼ାଠାରେ ମହାଆଡ଼ମ୍ବରରେ ପାଳିତ ହୋଇଛି ଗାଁ ଦିବସ।
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରେଙ୍ଗଟି ସାହିଠାରେ ଆୟୋଜିତ ଏହି ଉତ୍ସବରେ ଲୋକନୃତ୍ୟ, ପାରମ୍ପରିକ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଅପୂର୍ବ ସମାହାର ଦେଖିବାକୁ ମିଳିଥିଲା।
ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାକ୍ଷେତ୍ର ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲାରେ ଗାଁ ଦିବସ ପାଳନ ନିମନ୍ତେ ଆରମ୍ଭ ହୋଇଥିବା ଅଭିନବ ପ୍ରୟାସର ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କନ୍ଧମାଳ କଳା ବିକାଶ କେନ୍ଦ୍ର, ବାଲିଗୁଡ଼ା ଓ କଳାକ୍ଷେତ୍ରର ମିଳିତ ସହଭାଗିତା ସହ ରେଙ୍ଗଟି ସାହି ଗ୍ରାମ୍ୟ କମିଟିର ସହଯୋଗରେ ଉତ୍ସବଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ସମାଜସେବୀ ସୁଶାନ୍ତ ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାମ୍ବାଦିକ ମନୋରଞ୍ଜନ ରାୟ, ବରିଷ୍ଠ କଳାକାର କେଦାର ନାୟକ ଓ ବିଦ୍ୟାଧର ନାୟକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ।
ବରିଷ୍ଠ ମଞ୍ଚ ନିର୍ଦ୍ଦେଶକ ଅଶ୍ୱିନୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଗ୍ରାମାଞ୍ଚଳର କଳା, ସଂସ୍କୃତି ଓ ପାରମ୍ପରିକ ଐତିହ୍ୟର ସୁରକ୍ଷା ଦିଗରେ ସମସ୍ତଙ୍କ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଥିବା କହିଥିଲେ। ଗାଁର ପରିଚୟ କେବଳ ତାହାର ଭୌଗୋଳିକ ସୀମାରେ ସୀମିତ ନୁହେଁ, ବରଂ ସେଠାକାର ଲୋକକଳା, ପରମ୍ପରା ଓ ସାଂସ୍କୃତିକ ଜୀବନଧାରାରେ ଏହାର ପ୍ରକୃତ ପରିଚୟ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ।
ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଗ୍ରାମାଞ୍ଚଳରୁ ଆସିଥିବା ୩୦ରୁ ଊର୍ଦ୍ଧ୍ୱ ନୃତ୍ୟଦଳଙ୍କ ମନମୁଗ୍ଧକର ପରିବେଷଣ। ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ଓ ଆଞ୍ଚଳିକ କଳାର ତାଳେ ତାଳେ କଳାକାରମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ।
ଢୋଲ, ମହୁରୀ ଓ ପାରମ୍ପରିକ ବାଦ୍ୟର ତାଳ ସହ ନୃତ୍ୟଶିଳ୍ପୀଙ୍କ ଆକର୍ଷଣୀୟ ପ୍ରଦର୍ଶନରେ ଉତ୍ସବସ୍ଥଳୀ ଉତ୍ସବମୁଖର ହୋଇଉଠିଥିଲା। କଳା ଓ କଳାକାରଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସମସ୍ତ ନୃତ୍ୟଦଳଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।
ଏଥିସହ ବରିଷ୍ଠ କଳାକାରମାନଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କ ଦୀର୍ଘଦିନର କଳାସାଧନା, ନିଷ୍ଠା ଓ ସାଂସ୍କୃତିକ ଅବଦାନକୁ ସମ୍ମାନ ଜଣାଯାଇଥିଲା।
ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ। ଏହି ଉତ୍ସବକୁ କଳାକ୍ଷେତ୍ରର ସଭାପତି ତଥା ସିନେଜଗତର ବରିଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ଅଶ୍ରୁମୋଚନ ମହାନ୍ତି ଶୁଭେଚ୍ଛା ଜଣାଇବା ସହ ମାର୍ଗଦର୍ଶନ କରିଥିଲେ।
ସେହିପରି କଳାକ୍ଷେତ୍ରର ପ୍ରତିଷ୍ଠାତା ସମ୍ପାଦକ ବାସୁଦେବ ମାଳ ବିଷୋୟୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଆୟୋଜକ, କଳାକାର ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଗାଁର ମାଟିରୁ ହିଁ ଲୋକକଳା ଓ ସଂସ୍କୃତିର ମୂଳଦୁଆ ସୃଷ୍ଟି ହୋଇଥାଏ।
ତେଣୁ ଗାଁର ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ନୂତନ ପିଢ଼ି ମଧ୍ୟରେ ଏହାର ମହତ୍ତ୍ୱ ପହଞ୍ଚାଇବା ଦିଗରେ ଗାଁ ଦିବସ ଏକ ପ୍ରଶଂସନୀୟ ପ୍ରୟାସ ବୋଲି ମତପ୍ରକାଶ ପାଇଥିଲା।
ଡିସେମ୍ବର ୨୨ ରୁ ଫିରିଙ୍ଗିଆ ରେ ଆୟୋଜିତ ହେବ ରାଜ୍ୟ ସ୍ତରୀୟ ପ୍ରଥମ ବାର୍ଷିକ ପଲ୍ଲିଶ୍ରୀ ଫୁଟବଲ୍ କପ୍-୨୦୨୬
କନ୍ଧମାଳ,୨୬/୧୧ : କନ୍ଧମାଳ ଜିଲ୍ଲାର କ୍ରୀଡ଼ା ଜଗତରେ ନୂଆ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିବା ଲକ୍ଷ୍ୟରେ ଫିରିଙ୍ଗିଆଠାରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ବାର୍ଷିକ ପଲ୍ଲିଶ୍ରୀ ଫୁଟବଲ୍ କପ୍-୨୦୨୬। ଆସନ୍ତା ଡିସେମ୍ବର ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଫିରିଙ୍ଗିଆ ମିନି ଷ୍ଟାଡିୟମ୍‌ରେ ଏହି ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ପ୍ରତିଷ୍ଠିତ ଫୁଟବଲ୍ ଦଳ ଅଂଶଗ୍ରହଣ କରିବାକୁ ଥିବାରୁ ଏହି କ୍ରୀଡ଼ା ମହୋତ୍ସବକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି। ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗ୍ରୁପ୍ ‘ଏ’ରେ ରାଉରକେଲା ରେଡ୍ ଓ ବରଗଡ଼ ୟୁନାଇଟେଡ୍ ମଧ୍ୟରେ ଡିସେମ୍ବର ୨୨ ତାରିଖରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ।
ସେହିପରି ଡିସେମ୍ବର ୨୩ ତାରିଖରେ ସୁରଜ ଏଫ୍‌ସି ଫୁଲବାଣୀ ଓ ଏଫ୍‌ଏଫ୍‌ଏ କିଣ୍ଡଲି ମଣିପୁର ମଧ୍ୟରେ ମୁକାବିଲା ହେବ। ଏହି ଦୁଇଟି ମ୍ୟାଚ୍‌ର ବିଜେତା ଦଳ ଡିସେମ୍ବର ୨୪ ତାରିଖରେ ଗ୍ରୁପ୍ ‘ଏ’ ଫାଇନାଲ୍‌ରେ ପରସ୍ପରକୁ ଭେଟିବେ। ଅନ୍ୟପକ୍ଷରେ ଗ୍ରୁପ୍ ‘ବି’ରେ ଡିସେମ୍ବର ୨୫ ତାରିଖରେ ଭୁବନେଶ୍ୱରର ଜଗା ୟୁନାଇଟେଡ୍ ଓ ଏଫ୍‌ସି କୁଚିଣ୍ଡା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଡିସେମ୍ବର ୨୬ ତାରିଖରେ ଫିରିଙ୍ଗିଆର ୟୁନାଇଟେଡ୍ କ୍ଲବ୍ ଓ ବିହାରର ଭିଏସ୍ ବକ୍ସର୍ ମଧ୍ୟରେ ମୁକାବିଲା ହେବ।
ଏହି ଦୁଇ ମ୍ୟାଚ୍‌ର ବିଜେତା ଦଳ ଡିସେମ୍ବର ୨୭ ତାରିଖରେ ଗ୍ରୁପ୍ ‘ବି’ ଫାଇନାଲ୍‌ରେ ଅବତୀର୍ଣ୍ଣ ହେବେ। ଶେଷରେ ଡିସେମ୍ବର ୨୯ ତାରିଖରେ ଉଭୟ ଗ୍ରୁପ୍‌ର ବିଜେତାଙ୍କ ମଧ୍ୟରେ ଗ୍ରାଣ୍ଡ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ଫୁଟବଲ୍ ମହୋତ୍ସବର ଆଉ ଏକ ଆକର୍ଷଣ ହେବ ମହିଳା ଫୁଟବଲ୍ ପ୍ରଦର୍ଶନୀ ମ୍ୟାଚ୍।
ଡିସେମ୍ବର ୨୮ ତାରିଖରେ ସମ୍ବଲପୁରର ମାଇ ଏଙ୍ଗଲ ଏକାଡେମୀ ଓ ଭୁବନେଶ୍ୱରର ଜିସିପିଇ ମଧ୍ୟରେ ଏହି ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହେବ। ଏହା ମହିଳା ଫୁଟବଲ୍ ଖେଳାଳିଙ୍କ ପ୍ରତିଭା ପ୍ରଦର୍ଶନ ସହ ମହିଳା କ୍ରୀଡ଼ାକୁ ଉତ୍ସାହିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳକୁ ୭୦ ହଜାର ୧ ଟଙ୍କା ଏବଂ ରନର୍ସଅପ୍ ଦଳକୁ ୫୦ ହଜାର ୧ ଟଙ୍କାର ଆକର୍ଷଣୀୟ ନଗଦ ପୁରସ୍କାର ପ୍ରଦାନ କରାଯିବ।
ଏଥିସହ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ ଫୁଟବଲ୍ ଦଳ ସହ ଦକ୍ଷ ଓ ଅଭିଜ୍ଞ ରେଫେରୀ ଏବଂ ଅତିଥି ମାନେ ଏହି ପ୍ରତିଯୋଗିତାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଫିରିଙ୍ଗିଆ ମାଟିରେ ଏଭଳି ଏକ ରାଜ୍ୟସ୍ତରୀୟ କ୍ରୀଡ଼ା ଆୟୋଜନ ସ୍ଥାନୀୟ ଯୁବ ଫୁଟବଲ୍ ଖେଳାଳିଙ୍କୁ ନିଜର ପ୍ରତିଭା ବିକାଶ ଓ ଅଭିଜ୍ଞତା ହାସଲ ପାଇଁ ଏକ ଉତ୍ତମ ସୁଯୋଗ ଯୋଗାଇଦେବ।
ଏହି କ୍ରୀଡ଼ା ମହୋତ୍ସବକୁ ସଫଳ କରିବା ସହ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଁ ଅଞ୍ଚଳର ସମସ୍ତ ଫୁଟବଲ୍ ପ୍ରେମୀ, କ୍ରୀଡ଼ାପ୍ରେମୀ ଓ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ଷ୍ଟାଡିୟମ୍‌ରେ ଉପସ୍ଥିତ ରହି ମ୍ୟାଚ୍‌ଗୁଡ଼ିକୁ ଉପଭୋଗ କରିବାକୁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
ବର୍ଷେ ପରେ ବି ପୂରଣ ହେଲାନି ପ୍ରତିଶ୍ରୁତି, ବ୍ରାହ୍ମଣୀଗାଁରେ ଅଟକିଲା ମହାଲକ୍ଷ୍ମୀ ବସ୍ : ଯାତ୍ରୀ ହନ୍ତସନ୍ତ
ବାଲିଗୁଡା, ୨୬/୧୧: ବର୍ଷେ ବିତିଗଲା, ହେଲେ ପୂରଣ ହୋଇପାରିଲାନି ପ୍ରତିଶ୍ରୁତି। ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଦିଆଯାଇଥିବା ଆର୍ଥିକ ସହାୟତାର ପ୍ରତିଶ୍ରୁତି ଏଯାଏଁ କାର୍ଯ୍ୟକାରୀ ନହେବାରୁ ଶେଷରେ ବ୍ରାହ୍ମଣୀଗାଁଠାରେ ଅଟକି ରହିଛି ମହାଲକ୍ଷ୍ମୀ ବସ୍।
ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିବା ବେଳେ ବସ୍ ଚଳାଚଳକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଗତବର୍ଷ ନଭେମ୍ବର ୭ ତାରିଖରେ ବ୍ରାହ୍ମଣୀଗାଁ ନିକଟସ୍ଥ ବଡ଼ଶଙ୍ଖଠାରେ ମହାଲକ୍ଷ୍ମୀ ବସ୍ ଓ ଏକ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା।
ଏହି ଦୁର୍ଘଟଣାରେ ଶ୍ରୀ ପ୍ରକାଶ ବଡ଼ାଇ (୪୫)ଙ୍କ ମୃତ୍ୟୁ ଘଟିଥିବାବେଳେ କଲେଜ ଛାତ୍ରୀ ପୂଜା ପାତ୍ର ମଧ୍ୟ ଆହତ ହୋଇଥିଲେ। ଏହି ଘଟଣା ସେତେବେଳେ ଅଞ୍ଚଳରେ ଗଭୀର ଶୋକ ଓ ଉଦ୍‌ବେଗ ସୃଷ୍ଟି କରିଥିଲା।
ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ ମହାଲକ୍ଷ୍ମୀ ବସ୍ ମାଲିକଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ନେଇ ପ୍ରତିଶ୍ରୁତି ଦିଆଯାଇଥିବା କୁହାଯାଉଛି। ମାତ୍ର ଦୀର୍ଘ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ମୁତାବକ ଅର୍ଥରାଶି ମିଳିନଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ଅସନ୍ତୁଷ୍ଟ ପରିବାର ପକ୍ଷରୁ ବୁଧବାର ବ୍ରାହ୍ମଣୀଗାଁଠାରେ ମହାଲକ୍ଷ୍ମୀ ବସ୍‌କୁ ଅଟକ ରଖାଯାଇଛି। ଫଳରେ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ବିଶେଷକରି ବ୍ରହ୍ମପୁର ଯିବାକୁ ଥିବା ଯାତ୍ରୀମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ନେଇ ହନ୍ତସନ୍ତ ହୋଇଥିଲେ। ଗୋଟିଏ ପଟେ ନ୍ୟାୟ ଓ ପ୍ରତିଶ୍ରୁତି ପୂରଣ ଦାବିରେ ବସ୍ ଅଟକ ରହିଥିବାବେଳେ ଅନ୍ୟପଟେ ସାଧାରଣ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଏଭଳି ସ୍ଥିତିରେ ବସ୍ ମାଲିକ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ମୃତକଙ୍କ ପରିବାରକୁ ଦିଆଯାଇଥିବା ପୂର୍ବ ପ୍ରତିଶ୍ରୁତି ପୂରଣ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଦାବି ହୋଇଛି। ଏଥିସହ ଯାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ବସ୍ ଚଳାଚଳ ସ୍ୱାଭାବିକ କରିବା ଦିଗରେ ମଧ୍ୟ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।
ବର୍ଷେ ପରେ ବି ଯଦି ପ୍ରତିଶ୍ରୁତି ପୂରଣ ହେଉନାହିଁ, ତେବେ ଦୁର୍ଘଟଣାଗ୍ରସ୍ତ ପରିବାର ନ୍ୟାୟ ପାଇବେ କେବେ? ଏହି ପ୍ରଶ୍ନ ଏବେ ବ୍ରାହ୍ମଣୀଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30