ତାଲିବାନ୍ ଆଗରେ ଆତ୍ମସମର୍ପଣ କଲେ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଗନି
![ତାଲିବାନ୍ ଆଗରେ ଆତ୍ମସମର୍ପଣ କଲେ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଗନି](http://indusvalleytimes.com/news/wp-content/uploads/2021/08/asraf-680x365_c.jpg)
କାବୁଲ, ୧୫/୮ : ତାଲିବାନ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରାଯ଼ିବା ପରେ ରାଷ୍ଟ୍ରପତି ଅସରଫ ଗନି ନିଜର ପଦ ତ୍ୟାଗ କରିଛନ୍ତି । ଏହା ସହିତ ସେ କାବୁଲ ଛାଡ଼ି ଚାଲିଯାଇଥିବା ଏକ ପ୍ରମୁଖ ଆଫଗାନି ଗଣମାଧ୍ୟମ ଟୋଲୋ ନ୍ୟୁଜ କହିଛି ।
ଅନ୍ୟପକ୍ଷରେ ତାଲିବାନକୁ କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଫଗାନିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଅଲ୍ଲି ଅହମ୍ମଦ ଜଲାଲି ଦେଶର ଅନ୍ତରୀଣ ରାଷ୍ଟ୍ରପତି ହେବାର ସମ୍ଭାବନା ରହିଛି ।
ତାଲିବାନ ହାତକୁ କ୍ଷମତା ଯିବା ପର୍ୟ୍ୟନ୍ତ ସେ ରାଷ୍ଟ୍ରପତି ପଦରେ ରହିବେ । ସେପଟେ ତାଲିବାନ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ କାବୁଲର କ୍ଷମତା ନିଜ ହାତକୁ ନିଆଯିବ ।
ସୂଚନାଯୋଗ୍ୟ ଯେ, ଏବେ ବି ତାଲିବାନର ଯୋଦ୍ଧାମାନେ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଚାରିପଟୁ ଘେରି ରଖିଛନ୍ତି । ଏହା ସହିତ ସହରକୁ ଯାଇଥିବା ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି ।
ତେବେ ସହର ଭିତରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ତାଲିବାନ ମୁଖପାତ୍ର ସୁହେଲ ସାହିନ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତରଣ ଉପରେ ସଂଗଠନ ଗୁରୁତ୍ବ ଦେଉଛି । କାବୁଲକୁ ବଳପୂର୍ବକ ଦଖଲ କରିବାକୁ ତାଲିବାନ ଚାହେଁନାହିଁ ।