ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ
ଭୁବନେଶ୍ୱର, ୨୧/୧୨ : ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ । ଭୁବନେଶ୍ୱର ପାଇଁ ୨୧ ଡିସେମ୍ବର ୨୦୨୪, ଶନିବାରରେ ଦିନ ଛୋଟ ହେବ ରାତି ସମୟ ଲମ୍ବା ରହିବ । ଭୁବନେଶ୍ଵରରେ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ପର୍ଯ୍ୟନ୍ତ ସୂର୍ଯ୍ୟାଲୋକ ରହିବ ।
ଆଉ ତା ପରେ ସୂର୍ଯ୍ୟ ଅସ୍ତ ହୋଇଯିବେ । ଆଉ ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ରବିବ ବୋଲି ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି । ସେହିପରି ସୁନ୍ଦରଗଡ଼ରେ ଦିନ ୧୦ ଘଣ୍ଟା ୪୭ ମିନିଟ୍ ଓ ମାଲକାନଗିରିରେ ଦିନର ଲମ୍ବା ୧୧ ଘଣ୍ଟା ୦୧ ମିନିଟ୍ ରହିବ ।
ପ୍ରାୟତଃ ଭୁବନେଶ୍ୱରରେ ଡିସେମ୍ବର ୧୫ରୁ ୨୭ ତାରିଖ ଯାଏ ପ୍ରାୟ ୧୨ ଦିନ ଧରି ଦିନର ଲମ୍ବ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ହୋଇଥାଏ ।
ପ୍ରତିବର୍ଷ ଡିସେମ୍ୱର ୨୨ରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ମେରୁରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ ।
ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ । ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ ବା ଦିନର ଲମ୍ବ ବଡ଼ ହେବାକୁ ଆରମ୍ଭ ହୁଏ। ତେଣୁ ଡିସେମ୍ବର ୨୫କୁ ‘ବଡଦିନ’ ରୂପେ ପାଳନ କରାଯାଏ ।
ମାର୍ଚ୍ଚ ୨୨ କିମ୍ବା ୨୩ ତାରିଖ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ । ଜୁନ ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ହୋଇଥାଏ । ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୂତ ହୁଏ। ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ ।
ପ୍ରତ୍ୟେକ ବର୍ଷ ଜୁନ ୨୧ରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀରେ ଥିବା କର୍କଟକ୍ରାନ୍ତିଠାରୁ ଦକ୍ଷିଣ ଦିଗକୁ ଗତି କରିଥାଏ, ଯାହାକୁ ଆମେ ସୂର୍ଯ୍ୟର ଦକ୍ଷିଣାୟନ ଗତି କହିଥାଉ ।
ଦକ୍ଷିଣ ଦିଗକୁ ଧିରେ ଧିରେ ଗତି କରି ୨୨ ଡିସେମ୍ବର ବେଳକୁ ସୂର୍ଯ୍ୟ ବିଷୁବ ରେଖାଠାରୁ ୨୩.୫ ଡିଗ୍ରୀ ଦକ୍ଷିଣରେ ଥିବା ମକର କ୍ରାନ୍ତିରେ ପହଞ୍ଚିଥାଏ । ଫଳରେ ବର୍ଷର ବିଭିନ୍ନ ସମୟରେ ଦିନ ଓ ରାତିର ସମୟ ମଧ୍ୟରେ ପାର୍ଥକ୍ୟ ରହିଥାଏ ।