Indus Valley Times

ଗ୍ରାହକଙ୍କୁ ଲୁଟୁଛନ୍ତି ନକଲିବ୍ରାଣ୍ଡ ପାଣି ଓ କୋଲଡ଼ଡ୍ରିଙ୍କ ପ୍ରସ୍ତୁତକାରୀ ବ୍ୟବସାୟୀ : ଚଢ଼ାଉ କେବେ ?

 Breaking News

ଗ୍ରାହକଙ୍କୁ ଲୁଟୁଛନ୍ତି ନକଲିବ୍ରାଣ୍ଡ ପାଣି ଓ କୋଲଡ଼ଡ୍ରିଙ୍କ ପ୍ରସ୍ତୁତକାରୀ ବ୍ୟବସାୟୀ : ଚଢ଼ାଉ କେବେ ?

April 05
20:00 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୫/୪ : ଓଡିଶାର ସର୍ବବୃହତ ଉପଖଣ୍ଡ ରୂପେ ପରିଚିତ ବାଲିଗୁଡା ଉପଖଣ୍ଡ ଗତ ୨ ଦଶନ୍ଧି ଧରି ଉଭୟ ରାଜନୈତିକ ଓ ଉନ୍ନୟନ କ୍ଷେତ୍ରରେ ଚର୍ଚ୍ଚାର ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିଛି।
ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ଭୌଗୋଳିକ କଳେବର ଅନୁଯାୟୀ ବ୍ୟବସାୟିକ ପ୍ରତିଷ୍ଠାନ ସଂଖ୍ୟା ବି ଆଶାତୀତ ଭାବେ ବୃଦ୍ଧି ପାଇଛି ।
ଏନଏସି ସହ ବିଭିନ୍ନ ଗ୍ରାମାଞ୍ଚଳରୁ ଦୈନନ୍ଦିନ ଶହ ଶହ ଲୋକଙ୍କ ସହରକୁ ଆତଯାତ ଲାଗି ରହିଛି । ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ଦ୍ରବ୍ୟ ପଦାର୍ଥ କ୍ରୟ ବିକ୍ରୟ ସକାଶେ ସକାଳୁ ରାତ୍ରୀ ଯାଏଁ ଗହଳ ଚହଳ ଲାଗି ରହୁଛି।
ଏସବୁ ସତ୍ତ୍ୱେ ଔଷଧପତ୍ର, ଖାଦ୍ୟ ପଦାର୍ଥ ଓ ବିଶୁଦ୍ଧ ପାନୀୟ ଜଳ ଆଦି ଅତ୍ୟାବଶ୍ୟକ ସେବାରେ ଅନ୍ତର୍ଭୁକ୍ତ ଥିବା ବେଳେ ଏବେ ନକଲି ବ୍ରାଣ୍ଡର ପାଣି ଓ କୋଲଡ଼ଡ୍ରିଙ୍କ ବ୍ୟବସାୟ କିଛି ମୁନାଫାଖୋର ବ୍ୟବସାୟୀଙ୍କ ପାଇଁ ଏବେ ପୁଷମାସ ପାଲଟିଛି ।
ତାତି ବଢ଼ୁଛି ତା ସହିତ ଦିନକୁ ଦିନ ବିକ୍ରି ହେଉଛି ନକଲି ବ୍ରାଣ୍ଡର ପାଣି ବୋତଲ ବିକ୍ରିର ଅବାଧ କାରବାର । ସହରର ମୁଖ୍ୟ ରାସ୍ତାକଡ଼ ସମେତ ବିଭିନ୍ନ ଗଳି କନ୍ଦିରେ ଥିବା ଚା, ପାନ ଦୋକାନ, ଜଳଖିଆ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ ଓ ଫାଷ୍ଟ ଫୁଡ଼ ଦୋକାନ ଓ ମୃଦୁ ପାନୀୟ ଦୋକାନ ଗୁଡିକରେ ବହୁଳ ଭାବରେ ନକଲି ବ୍ରାଣ୍ଡର ପାଣି, କୋଲଡ଼ଡ୍ରିଙ୍କ ବୋତଲ ଖୁଲମଖୁଲା ଉପଲବ୍ଧ ହେଉଛି ।
ବିଭିନ୍ନ ଗାଁ ଗଣ୍ଡାରେ ମଧ୍ୟ ଏଭଳି ନକଲି ବ୍ରାଣ୍ଡର ପାଣି ବୋତଲ ସହ ନିଷିଦ୍ଧ ହୋଇଥିବା ପାଣି ପାଉଚ ମଧ୍ୟ ସୁବିଧା ଓ ସହଜରେ ହାତ ପାହାନ୍ତାରେ ଉପଲବ୍ଧ ହେଉଛି ।
କିନ୍ତୁ ଏସବୁ ପାଣି ବୋତଲ ଯେ ଅସଲି କିମ୍ବା ନକଲି ତାର ଗୁଣାତ୍ମକ ମାନ ଜାଣିବା ଦୂରେ ଥାଉ କିନ୍ତୁ ଦୋକାନୀକୁ ୫/୧୦/୨୦ ଟଙ୍କା ବଢ଼ାଇଲେ ମିଳିଯାଉଛି ବିଭିନ୍ନ ବ୍ରାଣ୍ଡର ପାଣି ବୋତଲ। ଢୋକ ଢୋକ ପିଇ ଆତ୍ମ ସନ୍ତୋଷ ହେଉଥିବା ଗ୍ରାହକଙ୍କ ଲାଗି ଏହା ଅଭ୍ୟାସରେ ପରିଣତ ହୋଇଛି।
ବାଲିଗୁଡା ଥାନା ଅଞ୍ଚଳରେ କିଛି ହାତ ଗଣତି ପାଣି ଓ କୋଲଡ଼ଡ୍ରିଙ୍କ ପ୍ରସ୍ତୁତକାରୀ ଫ୍ୟାକ୍ଟ୍ରି ଗ୍ରାହକ ଲାଗି ସଚେତନ ଓ ସତର୍କତା ପୂର୍ବକ ବିଶୁଦ୍ଧ ଓ ଗୁଣବତ୍ତା ପାଣି ପ୍ରସ୍ତୁତ କରୁଥିବା ବେଆଇନ ଭାବେ ଏବେ ଛତୁ ଫୁଟିଲା ଭଳି ମାଳ ମାଳ ନକଲି ପାଣି ଓ କୋଲଡ଼ଡ୍ରିଙ୍କ ବୋତଲ ପ୍ରସ୍ତୁତକାରୀ ବ୍ୟବସାୟୀ ମୁଣ୍ଡ ଟେକି ଥିବା ଜଣାପଡିଛି। ସ୍ଥାନୀୟ ସହର ସମେତ ଆଖପାଖ ଅଞ୍ଚଳରେ ଏଭଳି ଅସାଧୁ କାରବାରର ଚେର ଲମ୍ବିଥିବା ବେଳେ ତୃଷାର୍ତ୍ତ ଗ୍ରାହକ ସିଧାସଳଖ ଠକାମୀର ଶିକାର ହେଉଥିବା ଅଭିଯୋଗ ହେଉଛି। ଏଭଳି ବେଆଇନ ଭାବେ ଦୈନିକ ହଜାର ହଜାର ଲିଟର ନକଲି ବ୍ରାଣ୍ଡର ପାଣି ବୋତଲ ବିକ୍ରି ହେଉଥିବା ବେଳେ ପ୍ରଶାସନର ତଳିଆ କର୍ମଚାରୀ ଠାରୁ ଆରମ୍ଭ କରି ଉପର ହାକିମ ଯାଏଁ ସବୁ ଜାଣି ନ ଜାଣିଲା ଭଳି ଅଭିନୟ କରୁଥିବା ଚର୍ଚ୍ଚା ହେଉଛି ।
ଏଣେ ପ୍ରଶାସନର ନିଷ୍କ୍ରିୟତାର ଆଢୁଆଳରେ ରହି ନକଲି ପାଣି ପ୍ରସ୍ତୁତକାରୀ ବ୍ୟବସାୟୀ ଆଇନ କାନୁନକୁ ଦଳି ମକଚି ସିଧାସଳଖ ଗ୍ରାହକଙ୍କ ଉପରେ ଶୋଷଣ ନୀତି ଆପଣେଇଥିବା ଜଣାପଡ଼ିଛି ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିପୁଳ ପରିମାଣର ଟିକସ ଫାଙ୍କି ଦୈନିକ ହଜାର ହଜାର ଟଙ୍କାର କଳା ବ୍ୟବସାୟର କାୟା ବିସ୍ତାର କରୁଥିବା ବେଳେ ଅସାଧୁଙ୍କ ଅଘୋଷିତ ଓ ଗୁପ୍ତ ବୁଝାମଣା ଯୋଗୁଁ ନକଲି ବ୍ରାଣ୍ଡ ଏବେ ଅସଲି ବ୍ରାଣ୍ଡ ବିଶୁଦ୍ଧ ପାଣି ବୋତଲ ରୂପେ ସବୁଠାରେ ପରିଚୟ ସୃଷ୍ଟି କରିଛି ।
ସାଧାରଣ ଲୋକଙ୍କ ହିତ ସାଧନ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଧ୍ୟାନ ଦେବାର ଜରୁରୀ ଆବଶ୍ୟକ‌ତା ରହିଛି ବୋଲି ସାଧାରଣରେ ଦାବି ଉଠିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031