Indus Valley Times

ଜାତୀୟ ପ୍ରେସ ଦିବସ ପାଳିତ

 Breaking News

ଜାତୀୟ ପ୍ରେସ ଦିବସ ପାଳିତ

December 26
09:32 2024

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ


ଖୋର୍ଦ୍ଧା, ୨୬/୧୨ : ପ୍ରତ୍ୟେକ ବର୍ଷ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଜାତୀୟ ପ୍ରେସ ପରିଷଦ ବା ପ୍ରେସ କାଉନସିଲ ଅଫ ଇଣ୍ଡିଆ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଜନସାଧାରଣରେ ଆଲୋଚନା କରିବା ପାଇଁ ସ୍ତିରକୃତ କରିଥାଏ।
ଚଳିତ ବର୍ଷର ବିଷୟବସ୍ତୁ-” ଦି ଚେଞ୍ଜିଙ୍ଗ ନେଚର ଅଫ ପ୍ରେସ “ଏହାର ଓଡ଼ିଆ ଭାବାର୍ଥ ହେଉଛି ଗଣମାଧ୍ୟମର ପରିବର୍ତ୍ତନଶୀଳ ପ୍ରକୃତି ବା ରୂପ।
ବିଗତ ଦୁଇ ଦଶନ୍ଧି ମଧ୍ୟରେ ସାରା ବିଶ୍ୱରେ ସାମ୍ବାଦିକତା ଏବଂ ଗଣମାଧ୍ୟମରେ ଅନେକ ପରିବର୍ତ୍ତନ ଆସିଛି। ମୁଦ୍ରିତ ଗଣମାଧ୍ୟମର କ୍ରମ ବିକାଶ ସହିତ ବୈଦ୍ୟୁତିକ ଗଣମାଧ୍ୟମର ଉଭଵ ହୋଇଛି ଏବଂ ବର୍ତ୍ତମାନ ଆମେ ସମସ୍ତେ ଡିଜିଟାଲ ମିଡ଼ିଆର ଯୁଗରେ ପହଞ୍ଚିଛୁ। ଏକଦାଜ ଖବରକାଗଜ ,ରେଡ଼ିଓ, ଟେଲିଭିଜନ, ବିଭିନ୍ନ ପତ୍ରିକା ଏବଂ ଗାଁ ଗହଳିରେ ଡେଙ୍ଗୁରା ମାଧ୍ୟମରେ ଜନସାଧାରଣ ଖବର ଜାଣିବାର ପ୍ରଧାନ ମାଧ୍ୟମ ଥିଲା। ହେଲେ ବର୍ତ୍ତମାନର ଯୁଗ ସୂଚନା ପ୍ରଯୁକ୍ତି ବିଦ୍ୟାର।
ସମୟ ବଦଳିବା ସହ ବୈଷୟିକ ଜ୍ଞାନ କୌଶଳର ପ୍ରଭାବ ବିସ୍ତାର ଯୋଗୁ ସାମ୍ବାଦିକତାରେ ଅନେକ ପରିବର୍ତ୍ତନ ଘଟିଛି। ଗଣମାଧ୍ୟମ ଆଜି ସମସ୍ତଙ୍କ ଦ୍ୱାରଦେଶରେ। ପୂର୍ବ ଓ ପରବର୍ତ୍ତୀ ସମୟ ତୁଳନାରେ ବର୍ତ୍ତମାନ ଗଣମାଧ୍ୟମର ଆକାର ,ପ୍ରକୃତି ତଥା ପରିସର ବଦଳିଛି ଓ ବ୍ୟାପକ ହୋଇଛି।
ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ଼ ମୋବାଇଲ ଫୋନ ଆଜି ସମସ୍ତେ ଜଣେ ଜଣେ ସାମ୍ବାଦିକ। ବିଜୁଳି ବେଗରେ ଖବର ପହଞ୍ଚି ଯାଉଛି ପୃଥିବୀର କୋଣ ଅନୁକୋଣରେ। ମୋବାଇଲ ଇଣ୍ଟରନେଟ ଏବଂ ସାମାଜିକ ଗଣମାଧ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି।
ପାରମ୍ପରିକ ଗଣମାଧ୍ୟମ ଗୁଡିକ ନୂତନ ଇଣ୍ଟରନେଟ ଦ୍ବାରା ପରିଚାଳିତ ଫେସବୁକ, ଟ୍ୟୁଟର ,ଗୁଗଲ, ମେସେଞ୍ଜର, ୟୁଟୁବ, ଇନଷ୍ଟାଗ୍ରାମ, ଲଙ୍କଡ଼ଇନ, ହ୍ଵାଟ୍ସଆପ ଭଳି ଅନେକ ଡିଜିଟାଲ ପ୍ଲାଟ ଫର୍ମରେ ଭିନ୍ନ ଭିନ୍ନ ଢଙ୍ଗରେ ସମ୍ବାଦ ପରିବେଷଣ କରୁଛନ୍ତି। ପ୍ରତିଯୋଗିତା ଚାଲିଛି କିଏ କେତେ ଶୀଘ୍ର ବ୍ରେକିଂ ନ୍ୟୁଜ କରିବ ଏବଂ କେତେ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ କରି ଚର୍ଚ୍ଚାରେ ରହିବ। ଏହା ଗଣମାଧ୍ୟମର ସ୍ୱର ହୋଇପାରିଛି।
ତେବେ ଏଠି ପ୍ରଶ୍ନ ଉଠେ ତଥ୍ୟ ଭିତ୍ତିକ ସମ୍ବାଦ ହେଉ କିମ୍ବା ବ୍ରେକିଂ ନ୍ୟୁଜ ଏହାକୁ ପାଠକ କେତେ ବିଶ୍ୱାସକୁ ନେଉଛି। ତା ଦ୍ବାରା ଲକ୍ଷ ଲକ୍ଷ ଲୋକ ଗୋଟିଏ ଗୋଟିଏ ଖବର ଉପରେ ଫୋକସ କରୁଛନ୍ତି। ଏଣୁ ବର୍ତ୍ତମାନ ଗଣମାଧ୍ୟମର ସ୍ୱର ଅନେକ ପରିବର୍ତ୍ତନ ହୋଇଛି। ସାମାଜିକ ଗଣମାଧ୍ୟମ ଦୂରଦୂରାନ୍ତରେ ଥିବା ଅନ୍ୟ ମଣିଷ ସହିତ ଖୁବ ସହଜରେ ଯୋଡିବାର ପ୍ରୟାସ ଜାରି ରଖିଛି। ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ ଘଟୁଛି। ଅନେକଙ୍କୁ ରୋଜଗାରର ମାଧ୍ୟମ ସାଜିଛି ସାମାଜିକ ଗଣମାଧ୍ୟମ। ସବୁଠାରୁ ବଡ଼ କଥା ହେଲା ଉପରୋକ୍ତ ସୋସିଆଲ ମିଡ଼ିଆ ତଥା ଅଗଣିତ ରିଅଲ ଟାଇମ ନ୍ୟୁଜ ଆପ ,ବ୍ଲଗ ଅସରନ୍ତି ଖବରର ଉତ୍ସ ପାଲଟି ଯାଇଛନ୍ତି।
ପୂର୍ବରୁ ପାରମ୍ପରିକ ଗଣମାଧ୍ୟମରେ ସାଧାରଣ ଜନତାର ଆର୍ତ୍ତନାଦ କିମ୍ବା ଆନନ୍ଦ ପ୍ରକାଶିତ ହୋଇପାରିନଥିଲା। ଦେଶ ବା ରାଜ୍ୟର ଶାସନ ସମ୍ପର୍କରେ କିମ୍ବା ଘଟଣା ଦୁର୍ଘଟଣା ସମ୍ପର୍କରେ ମତାମତ ଦେବା ସମ୍ଭବ ହୋଇପାରୁନଥିଲା।
ନୂତନ ଗଣମାଧ୍ୟମ ଗୁଡିକ ପାରମ୍ପରିକ ସମ୍ବାଦପତ୍ର, ସାମ୍ବାଦିକ, ପାଠକ ଓ ଦର୍ଶକମାନଙ୍କୁ ବିଭିନ୍ନ ଢଙ୍ଗରେ ପ୍ରଭାବିତ କରିବା ଦେଖାଯାଉଛି। ସାମାଜିକ ଗଣମାଧ୍ୟମ ସାଧାରଣ ଜନତାର ସୁଖ ,ଦୁଃଖ,କ୍ରୋଧ ଚିନ୍ତା ସୃଜନଶୀଳତାର ପରିପ୍ରକାଶ ମାଧ୍ୟମ ସାଜିଛି। ଏବେ ପାରମ୍ପରିକ ଗଣମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ତାହା ହେଲା ମୁଦ୍ରଣ ଖବରକାଗଜ ଏବଂ ପତ୍ରିକାର ହ୍ରାସ ଓ ସେମାନଙ୍କର ଡିଜିଟାଲ ଉପସ୍ଥିତ ଅଧିକ ଭାବେ ସାବ୍ୟସ୍ତ କରିବାର ପ୍ରୟାସ। ଏହାର ପ୍ରମୁଖ କାରଣ ଡିଜିଟାଲ ମିଡ଼ିଆର କ୍ରମବର୍ଦ୍ଧିଷ୍ଣୁ ଆକାର ଯୋଗୁ ପାରମ୍ପରିକ ଗଣମାଧ୍ୟମର ବିଜ୍ଞାପନର ଆୟ ଆଶ୍ଚର‌୍ୟ୍ୟଜନକ ଭାବେ ହ୍ରାସ ପାଇଛି। କେତେକ ପାରମ୍ପରିକ ଗଣମାଧ୍ୟମ ସମୟର ଆବଶ୍ୟକତାକୁ ଅନୁଭବ କରି ନିଜର କାର‌୍ୟ୍ୟଶୈଳୀରେ ପରିବର୍ତ୍ତନ କରୁଥିବା ବେଳେ ଅନେକ ଗଣମାଧ୍ୟମ ଏହି ପ୍ରତିଯୋଗିତାରେ ସଫଳତାର ସହିତ ଦୌଡ଼ି ନପାରିବାରୁ ନିଜର ସଂସ୍ଥାକୁ ବନ୍ଦ କରିଦେଉଛନ୍ତି।
ଡିଜିଟାଲ ଗଣମାଧ୍ୟମ ଦ୍ବାରା ଅନେକ ଖର୍ଚ୍ଚ ହ୍ରାସ ହୋଇପାରିବା ସହିତ ପାଠକ ଓ ଦର୍ଶକମାନଙ୍କ ନିକଟରେ ଖୁବ କମ ସମୟ ଓ ସବୁ ସମୟରେ ପହଞ୍ଚି ହେଉଥିବାରୁ ଏହା ବର୍ତ୍ତମାନ ଅଧିକ ଜନାଦୃତ ଲାଭ କରୁଛି।
ୟ ୨୦୦୫ ମସିହାରେ ୟାହୁ ଓ ଫେସବୁକର ଜନ୍ମ ହେଲା ସେହିପରି ୨୦୦୬ ଟ୍ୟୁଟର ଅନ୍ୟାନ୍ୟ ମାଧ୍ୟମ ମାନଙ୍କର ପ୍ରବେଶ ଘଟିଥିଲା। ଏହାଦ୍ବାରା ବିଭିନ୍ନ ରାଷ୍ଟ୍ରରେ ନିଜର ଆଧିପତ୍ୟ ବିସ୍ତାର କଲା ସାମାଜିକ ଗଣମାଧ୍ୟମ। ଅପ୍ରେଲ ୨୦୨୪ ତଥ୍ୟ ଅନୁସାରେ ପୃଥିବୀର ୨.୪ ବିଲିୟନ ଲୋକ ଇନଷ୍ଟ୍ରଗ୍ରାମ ବ୍ୟବହାର କରୁଥିବା ବେଳେ ଭାରତରେ ୩୮୫.୩୫% ମିଲିୟନ ବ୍ୟବହାର କରୁଛନ୍ତି। ସର୍ବାଧିକ ବ୍ୟବହାରୀଙ୍କ ବୟସ ୧୮-୨୪=୩୧-୭% ,୨୫-୩୪=୩୦.୬%,୩୫-୪୪= ୧୬% । ମୋଟ ଜନସଂଖ୍ୟାର ପୁରୁଷ ୫୦.୬% ,ମହିଳା ୪୯.୪% ବ୍ୟବହାର କରିଥାନ୍ତି। ସେହିପରି ପୃଥିବୀରେ ୟୁଟୁବ ବ୍ୟବହାରକାରୀଙ୍କ ସଂଖ୍ୟା ୨.୫ ବିଲିୟନ ଏବଂ ଭାରତରେ ୪୬୨ ମିଲିୟନ ବ୍ୟବହାର କରିଥାନ୍ତି।
ସେହିପରି ଫେସବୁକ ବ୍ୟବହାର କାରୀଙ୍କ ସଂଖ୍ୟା ମାସକୁ ପ୍ରାୟ ୩ ବିଲିୟନ ଏବଂ ଭାରତରେ ୩୭୮ ମିଲିୟନ ଜନସାଧାରଣ ବ୍ୟବହାର କରିଥାନ୍ତି। ବ୍ୟବହାରକାରୀଙ୍କ ବୟସ ୧୮-୨୪=୩୧.୧% ,୨୫-୩୪ =୨୦.୧% ,୩୫-୪୪ = ୧୧.୯% , ୪୫-୫୪ =୮.୬% ,୫୫-୬୪ =୬% । ମୋଟ ଜନ ସଂଖ୍ୟାର ପୁରୁଷ ୫୬.୫% ,ମହିଳା ୪୩.୫%ଗ ବ୍ୟବହାର କରିଥାନ୍ତି।
ଏଥିରୁ ସ୍ପଷ୍ଟ ହୁଏ ଯେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ମଣିଷ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମଣିଷ ସମାଜ ଏହାଦ୍ବାରା ସମ୍ପୂର୍ଣ୍ଣ କବଳିତ। ପ୍ରାୟ ୯୦ ଶତକଡ଼ା ଛାତ୍ରଛାତ୍ରୀ ସାମାଜିକ ଗଣମାଧ୍ୟମ ବ୍ୟବହାର କରନ୍ତି।
ଦେଶର ଅନେକ ଇଂରାଜୀ ଖବରକାଗଜ ଭଳି ଆମ ଓଡ଼ିଶାର ଓଡ଼ିଆ ଖବରକାଗଜ ପ୍ରମେୟ ସମ୍ବାଦ,ସମାଜ,ଧରିତ୍ରୀ, ସକାଳ, ପ୍ରଭୁତି ଖବରକାଗଜ ସମେତ କନକ,ଓଟିଭି ,ନ୍ୟୁଜ ୭,ନ୍ୟୁଜ ୧୮ ,ଅର୍ଗସ ,ନନ୍ଧିଘୋଷ ଭଳି ଓଡ଼ିଆ ଟେଲିଭିଜନ ଚ୍ୟାନେଲ ଗୁଡିକ ମଧ୍ୟ ଡିଜିଟାଲ ପ୍ଲାଟଫର୍ମକୁ ବେଶ ପ୍ରାଧାନ୍ୟ ଦେଇଥିବା ଦେଖାଯାଏ।
ଡିଜିଟାଲ ସମ୍ବାଦ ପରିବେଷଣ କରୁଥିବା ସଂସ୍ଥା ଗୁଡ଼ିକର ସବୁଠୁ ବଡ଼ ଉପଯୋଗୀତା ହେଲା ଏଥିରେ ପାଠକ ବା ଦର୍ଶକ ସିଧାସଳଖ ନିଜନିଜର ଭାବର ଆଦାନ ପ୍ରଦାନ କରିପାରିବେ। ବର୍ତ୍ତମାନର ଡିଜିଟାଲ ଯୁଗ ସମ୍ବାଦ ପରିବେଷଣ ପଦ୍ଧତି ଓ ସାମ୍ବାଦିକ ମାନଙ୍କ କାର୍ଯ୍ୟ ଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି। କୌଣସି ଗଣମାଧ୍ୟମ ବା ସାମ୍ବାଦିକ ନିଜ ଢଙ୍ଗରେ ବା ମନମୁତାବକ ସମ୍ବାଦ ପରିବେଷଣ କରି ରହିପାରିବ ନାହିଁ। କାରଣ ଏହି ଇଣ୍ଟରାକ୍ଟିଭ ଆଉଟଲେଟ ଗୁଡ଼ିକରେ ପାଠକ ଓ ଦର୍ଶକ ନିଜର ପ୍ରତିକ୍ରିୟା ପ୍ରକାଶ କରୁଥିବାରୁ ସେମାନଙ୍କୁ ଅଧିକ ସଚେତନ ହୋଇ ବିଶ୍ୱାସନୀୟ ଖବର ପରିବେଷଣ କରିବାକୁ ପଡୁଛି।
ଗଲେ ସୂଚନା ଓ ସମ୍ବାଦ ପ୍ରସାରଣର ଏବେ ଅନେକ ବିବିଧତା ସୃଷ୍ଟି ହୋଇଛି। ସାଧୁତା, ସ୍ୱଚ୍ଛତା ଓ ସତ୍ୟ ସମ୍ବାଦ ପରିବେଷଣ ସାମ୍ବାଦିକ ଓ ସମ୍ବାଦପତ୍ର ଗୁଡ଼ିକର ବ୍ରତ ଓ ଧର୍ମ ବୋଲି କୁହାଯାଏ। ସକାରାତ୍ମକ, ମୂଲ୍ୟବୋଧ, ତଥ୍ୟଭିତିକ,ଅନୁସନ୍ଧାନ ମୂଳକ ଖବର ସମାଜରେ ପ୍ରଭାବ ପକାଇଥାଏ।
ଜନମତକୁ ପ୍ରଭାବିତ କରିବାରେ ଗଣମାଧ୍ୟମ ସବୁଠୁ ଶକ୍ତିଶାଳୀ ଭୂମିକା ଗ୍ରହଣ କରିଥାଏ। ସାମ୍ବାଦିକତା ସାମାଜକୁ ସୁଦୃଢ କରେ ,ଜନମତ ସୃଷ୍ଟି କରେ ଏବଂ ପ୍ରଶାସନକୁ ଜବାବ ଦେବା ପାଇଁ ବାଧ୍ୟ କରେ। ଏହା ଦ୍ବାରା ଗଣତନ୍ତ୍ର ସୁସ୍ଥ ଓ ସମୃଦ୍ଧ ରହିଥାଏ।
ଆଜିର ଗଣମାଧ୍ୟମ କେବଳ ସମ୍ବାଦ ପରିବେଷଣ କରୁନାହିଁ ବରଂ ସରକାରଙ୍କୁ ମଧ୍ୟ ଉତ୍ତରଦାୟୀ କରିବା ସହିତ ଗୁରୁତ୍ବପୂର୍ଣ୍ଣ ସାମାଜିକ ପ୍ରସଙ୍ଗରେ ଆଲୋକ ପ୍ରଦାନ କରୁଛି। ସ୍ୱାଧୀନତା ସଂଗ୍ରାମ କାଳରେ ସାମ୍ବାଦିକ ମାନେ ସତ୍ୟ ଘଟଣା ଉପରେ ଖବର ପରିବେଷଣ କରି ବ୍ରିଟିଶ ଶାସନକୁ ଦୋହଲାଇ ଦେଇଥିଲେ।
ଏହିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବଜାୟ ରଖିବା ପାଇଁ ପ୍ରମୁଖ ସମ୍ବାଦପତ୍ର ଓ ପ୍ରତିଷ୍ଠିତ ସାମ୍ବାଦିକ ମାନେ ସର୍ବଦା ବ୍ରତୀ ହେବା ଦରକାର।
ପରିବର୍ତ୍ତନ ପ୍ରକୃତିର ନିୟମ।ପରିବର୍ତ୍ତନ ସହିତ ଆମକୁ ତାଳ ଦେଇ ଗତି କରିବାକୁ ହେବ। ଆଗାମୀ ଦିନରେ ଗଣମାଧ୍ୟମର ଭବିଷ୍ୟତ ନୀତି ଆଉ ଗତି ନୂତନ ପ୍ରଯୁକ୍ତି ବିଦ୍ୟା ଏବଂ ଅଭିନବ ବ୍ୟବସାୟ ମଡେଲ ଗୁଡ଼ିକର ସମ୍ମିଶ୍ରଣକୁ ନେଇ ନିରୂପିତ ହେବ। ଏହାଦ୍ଵାରା ଉଚ୍ଚ ମାନର ସାମ୍ବାଦିକତା ବଜାୟ ରଖିବା ଏକ ବଡ଼ କଷ୍ଟକର ବ୍ୟାପାର ହୋଇପଡିବ। ଠିକ ଏହି ସମୟରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ବାଦ ସଂଗ୍ରହ ଓ ତଥ୍ୟ ପରିବେଷଣ ଓ ବିସ୍ଲେଶଣ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛନ୍ତି। ଆଗାମୀ ଦିନକୁ ଦୃଷ୍ଟିରେ ରଖି ଗଣମାଧ୍ୟମ ନିଜକୁ ବିକଶିତ କରିବାର ନିଜସ୍ଵ ପଥ ପ୍ରସ୍ତୁତ କରିବାକୁ ପଡ଼ିବ। ଉଭୟ ପାରମ୍ପରିକ ଓ ଡିଜିଟାଲ ସମ୍ବାଦ ଉପଭୋକ୍ତାଙ୍କ ଚାହିଦାକୁ ସନ୍ତୁଳିତ ମାଧ୍ୟମରେ ପୂରଣ କରିପାରିଲେ ଏହା ସେମାନଙ୍କର ଶ୍ରଦ୍ଧା ଓ ଆଦୃତ ଲାଭ କରିପାରିବ। ଆଜିର ଦିନରେ ବିଶ୍ୱାସନୀୟତା ଓ ଭରସା ଗଣମାଧ୍ୟମ ପାଇଁ ସବୁଠୁ ବଡ଼ ଆହ୍ୱାନ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031