ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୧୧: ବୌଦ୍ଧ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ କାର୍ୟ୍ୟକ୍ରମର ମୁଖ୍ୟ ଅତିଥି ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର,ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ମଞ୍ଚାସୀନ ଥିଲା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସଭାପତିତ୍ୱ କରି, ଅନୁଶାସନ,ପରମ୍ପରା ଓ ସମୟାନୁବର୍ତ୍ତିତାକୁ ପାଳନକରି କାର୍ୟ୍ୟ କରିବାକୁ ପରାମର୍ଶ ଦେଇଥିଲେ
ଶିଶୁ ମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନ କରିବାର ପ୍ରକୃଷ୍ଟ ମଞ୍ଚ ହେଉଛି ଶିଶୁ ମହୋତ୍ସବ ସୁରଭି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରଣାମ ପତ୍ର ଦେଇ ସମ୍ମାନିତ କରାଯାଇଥିଲା । କାର୍ୟ୍ୟକ୍ରମର ପ୍ରଥମ ପର୍ୟ୍ୟାୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ମୁଖ୍ୟ ଅତିଥି ଭାବରେ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଘନଶ୍ୟାମ ମେହେର ସଭାପତିତ୍ୱ କରିଥିଲେ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୌଦ୍ଧ,ଉପେନ୍ଦ୍ର କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ହରଭଙ୍ଗା,ଅଜୟ କୁମାର ଲୁହା, ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ କଣ୍ଟାମଳ,ସନୋଜ ସେଠୀ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ଜିଲ୍ଲାର ତିନି ବ୍ଲକରୁ ମନୋନୀତ ହୋଇଥିବା କନିଷ୍ଠ, ବରିଷ୍ଠ ଓ ଉଚ୍ଚ ମାଧ୍ୟମିକ ବିଭାଗର ବକ୍ତୃତା, ବିତର୍କ, ସଂଗୀତ,ପ୍ରବନ୍ଧ ଲିଖନ, ସୃଜନଶୀଳ ଲିଖନ, ଚିତ୍ରାଙ୍କନ ଆଦି ୨୯ ଟି ପ୍ରତିଯୋଗିତା ଏବଂ ଦଳଗତ ନୃତ୍ୟରେ ୩୨୪ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୧୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ଓ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ଅତିଥି ପରିଚୟ କରିଥିଲେ । ଶିକ୍ଷକ ସମ୍ବିତ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଧନ୍ୟବାଦ ଦେଇଥିଲେ ।
ଭାରତ ସ୍କାଉଟ୍ ଗାଇଡସ୍ ର ୭୫ତମ ସ୍ଥାପନା ଦିବସ ପାଳନ
ବୌଦ୍ଧ,୯/୧୧: ଭାରତ ସ୍କାଉଟସ ଗାଇଡ ର ୭୫ତମ ସ୍ଥାପନା ଦିବସ ବୌଦ୍ଧ ବୁଟୁପାଲିସ୍ଥିତ ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ୟାନସର ନିରାକରଣ ଓ ତମାଖୁ ନିୟନ୍ତ୍ରଣ ନେଇ ଜନସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଅଣସଂକ୍ରାମକ ରୋଗ ପରାମର୍ଶଦାତା ଆଲୋକ କୁମାର ମିଶ୍ର ଯୋଗଦେଇଥିଲେ ।
ଅତିଥିମାନେ ସ୍କାଉଟ ଗାଇଡସ ଦ୍ୱାରା ଛାତ୍ର ଜୀବନରୁ ଶୃଙ୍ଖଳା ଶିକ୍ଷା ସହିତ ନିଶାମୁକ୍ତ ସମାଜ ଗଠନ ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଶିକ୍ଷକ ଜ୍ଞାନେନ୍ଦ୍ର ମହାକୁଡ ଅତିଥି ପରିଚୟ ପ୍ରଦାନ ଓ ଶାରିରୀକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କସ୍ତୁରୀ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହି ଅବସରରେ ସ୍କାଉଟ ଗାଇଡସର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ତମାଖୁ ବର୍ଜନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଡିଓସି ଶଶାଙ୍କ ଶେଖର ଶାସିନୀ ଓ ଡିଟିସି ସୁଧିର କୁମାର ଭୋଇ ପରିଚାଳନା କରିବା ସହିତ ଗାଇଡସ କ୍ୟାପଟେନ ମମତା ଦାଶ,ଚନ୍ଦ୍ରମା ଯୋଶୀ,ଗାୟତ୍ରୀ ବେହେରା ଓ ସ୍କାଉଟସ ମାଷ୍ଟର ତପନ ନାୟକ ସହଯୋଗ କରିଥିଲେ ।
ବୌଦ୍ଧ: ଆନ୍ତଃକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଣ୍ଟ
ବୌଦ୍ଧ : ଗେହ୍ଲା ମା କ୍ଲବ ବିଜୟୀ
ବୌଦ୍ଧ,୯/୧୧: ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧଜିଲ୍ଲା ଷ୍ଟାଡିୟମ ପଡିଆରେ ଚାଲିଥିବା ଆନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ଷଷ୍ଠ ଦିନରେ ଗେହ୍ଲା ମା କ୍ଲବ ବୌଦ୍ଧ ଓ ପ୍ରଗତି କ୍ଲବ କଣ୍ଟମାଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଗେହ୍ଲାମା କ୍ଲବ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୪୦.୫ ଓଭରରେ ସମସ୍ତ ୱିକେଟ ହରାଇ ୨୩୪ ରନ୍ କରିଥିଲା । ଦଳ ତରଫରୁ ଲକ୍ଷ୍ମୀଧର ପ୍ରଧାନ ୬୪ ବଲ୍ରୁ ୫୩ ରନ୍, ତାପସ ପଣ୍ଡା ୨୪ ବଲ୍ରୁ ୩୬ ରନ୍, ସୌରଭ ପତି ୫୩ ବଲ୍ରୁ ୩୩ ରନ୍ ସଂଗ୍ରହ କରିଥିଲେ । ପ୍ରଗତି କ୍ଲବର ୟୋଗେଶ ରାଏ ୫ଟି ଓ ଦେବାଶିଷ ସାହୁ ୩ଟି ୱିକେଟ ନେଇଥିଲେ । ଦ୍ୱିତୀୟ ଇନିଙ୍ଗସରେ ପ୍ରଗତି କ୍ଲବ କଣ୍ଟାମାଳ ୨୯.୧ ଓଭରରେ ସମସ୍ତ ୱିକେଟ ହରାଇ ୧୦୬ ରନ୍ କରିପାରିଥିଲା । ଫଳରେ ୧୨୮ ରନ୍ରେ ଗେହ୍ଲାମା କ୍ଲବ ବିଜୟୀ ହୋଇଥିଲା ।
ଗେହ୍ଲା ମା କ୍ଲବର ରବିନାରାୟଣ ୨ଟି, ଲକ୍ଷ୍ମୀଧର ପ୍ରଧାନ ଓ ପୃଥ୍ୱୀରାଜ ପ୍ରଧାନ ଉଭୟ ୩ଟି ଲେଖାଏଁ ୱିକେଟ ନେଇଥିଲେ । ପ୍ରଗତି କଣ୍ଟାମାଳର ଅବିନାଶ ମିଶ୍ର ୩୨ ବଲ୍ରୁ ୨୩ ରନ୍ ଓ ପ୍ରଶାନ୍ତ ବିଶ୍ୱାଳ ୩୩ ବଲ୍ରୁ ୨୩ ରନ୍ ସଂଗ୍ରହ କରିଥିଲେ । । ଆଜିର ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ଲକ୍ଷ୍ମୀଧର ପ୍ରଧାନ ପୁରସ୍କୃତ ହୋଇଥିଲେ । ଅମ୍ପାୟାର ଭାବେ ଅମ୍ବରୀଶ ପ୍ରଧାନ ଓ ରଞ୍ଜିତ ଚାନ୍ଦ ଖେଳ ପରିଚାଳନା କରିଥିବାବେଳେ ସ୍କୋରରଭାବେ ସ୍ୱାଗତ ଦେହୁରୀ ଦାୟିତ୍ୱ ତୁଲାଇଥିଲେ । ଆସନ୍ତାକାଲି ମହାନଦୀ ସ୍ପୋର୍ଟିଂ ଓ ଜୟ ଭୈରବୀ କ୍ଲବ ବୌଦ୍ଧ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।
ବୌଦ୍ଧ : ବିଜେଡର ଜନସଂପର୍କ ଯାତ୍ରା
ବୌଦ୍ଧ,୯/୧୧: ବୌଦ୍ଧଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବ୍ଲକ ସାହାଜପାଲ ଠାରୁ ଏକ ଜନସଂପର୍କ ଶୋଭାଯାତ୍ରା ବାହାରି ଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଓ ବିଜେଡି ଜିଲ୍ଲା ସଭାପତି ତଥା କଣ୍ଟାମାଳର ପୂର୍ବତନ ବିଧାୟକ ମହୀଧର ରଣାଙ୍କ ନେତୃତ୍ୱରେ ବାହାରି ବୌଦ୍ଧ ବ୍ଲକ ଦେଇ ବୌଦ୍ଧ ସହରର ରଘୁନାଥ ମନ୍ଦିର ନିକଟରେ ପହଞ୍ଚିଥିଲା ।
ସେଠାରୁ ସହର ପରିକ୍ରମା ପରେ ମର୍ଜାକୁଦ ଛକଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଜେଡି ନେତାମାନେ ନବୀନ ସରକାରଙ୍କ ସଫଳ ଶାସନ ଓ ବର୍ତମାନର ବିଜେପି ସରକାରଙ୍କ ବିଫଳତା ନେଇ ଗର୍ଜି ଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀଅମାତ ବର୍ତମାନ ରାଜ୍ୟରେ ମହଙ୍ଗା ସରକାର ଚାଲିଥିବା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ପ୍ରକାଶ କରିବା ସହିତ ନିର୍ବାଚନ ସମୟରେ ବିଜେପି ଲୋକଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଛି ବୋଲି ପ୍ରକାଶ କରିଥିଲେ । ବର୍ତମାନ ଜିଲ୍ଲାରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ପିସି କାରବାର ଚାଲିଥିବା ମନ୍ତ୍ରୀ ଶ୍ରୀ ଅମାତ ଅଭିଯୋଗ କରିଥିଲେ । ଜିିଲ୍ଲା ସଭାପତି ମହିଧର ରଣା ବିରୋଧୀ ଦଳର କର୍ମୀଙ୍କୁ ଜାଣିଶୁଣି ସରକାରୀ କାର୍ଯ୍ୟାଳୟ ଗୁଡିକରେ ନେତାଙ୍କ ନିର୍ଦ୍ଦେଶରେ ହଇରାଣ କରାଯାଉଥିବା ବେଳେ ନବୀନ ସରକାର ସମୟରେ ଉନ୍ନୟନ କାର୍ଯ୍ୟ ପାଇଁ ଜିଲ୍ଲାକୁ ଦିଆଯାଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇନପାରି ପଡି ରହିଥିବା ପ୍ରକାଶ କରିଥିଲେ ।
ସଭାରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟବେକ୍ଷକ ଚିତରଂଜନ କର୍ଣ୍ଣ,ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ, ଯୁବନେତା ଅବକାଶ ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ, ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଓ କଣ୍ଟାମାଳ ବ୍ଳକ ଅଧ୍ୟକ୍ଷା ସସ୍ମିତା ସେନାପତି,ବିସିସିବି ସଭାପତି ଅରୁଣ ପ୍ରଧାନ ପ୍ରମୁଖ ଯୋଗଦେଇ ରାଜ୍ୟରେ ବିଜେପି ସରକାରର ବିଫଳତା ନେଇ ସମାଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ର ଶହ ଶହ ସଂଖ୍ୟାରେ କର୍ମୀ,ସରପଞ୍ଚ,ସମିତିସଭ୍ୟ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।
ବୌଦ୍ଧ ଜିଲ୍ଲା ବିଜେପିର ନିର୍ବାଚନ ଅଧିକାରୀ
ବୌଦ୍ଧ,୭/୧୧: ରାଜ୍ୟ ବିଜେପି ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଜିଲ୍ଲା ବିଜେପିର ସଂଗଠନ ପର୍ବ ପାଇଁ ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ବୌଦ୍ଧ ଜିଲ୍ଲା ବିଜେପି ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ଚିତ୍ତ ରଞ୍ଜନ ପାତ୍ର ବରିଷ୍ଠ ବିଜେପି ନେତା ମାଗୁଣି ଚରଣ ଗାଈଗୌରିଆଙ୍କୁ ଜିଲ୍ଲା ସହ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରା ଯାଇ ଅଛି ଦଳ ପକ୍ଷରୁ ସୂଚନା ଦିଆଯାଇଛି।