Indus Valley Times

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୫ ଅନୁଷ୍ଠିତ

 Breaking News

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୫ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୫ ଅନୁଷ୍ଠିତ
October 10
20:46 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୦/୧୦: ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀମତୀ ରୂପାଲି ପ୍ରିୟଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଉକ୍ତ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ସମସ୍ତଙ୍କୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସର ଶୁଭେଚ୍ଛା ଜଣାଇବା ସହ କହିଲେ ଏହି ଦିନଟି ସାରା ପୃଥିବୀରେ ସେହି ମଣିଷମାନଙ୍କ ପ୍ରତି ସମ୍ମାନ ଜଣାଇବାର ଦିନ ଯେଉଁମାନେ ତାଙ୍କ ଜୀବନର ସମସ୍ତ ଶ୍ରମ, ଜ୍ଞାନ ଓ ଅଭିଜ୍ଞତାରେ ଆମ ସମାଜକୁ ଗଢ଼ି ତୋଳିଛନ୍ତି।
ବରିଷ୍ଠ ନାଗରିକମାନେ ହେଉଛନ୍ତି ଆମ ସଂସ୍କୃତିର ଜୀବନ୍ତ ଅଧ୍ୟାୟ, ଆମ ପରମ୍ପରାର ରକ୍ଷକ ଓ ନୂତନ ପିଢ଼ି ପାଇଁ ଦିଗଦର୍ଶକ। ଏହି ଦିନ ଆମକୁ ସେଥିପାଇଁ ସ୍ମରଣ କରାଏ ଯେ, ଜୀବନର ଶେଷ ପର୍ଯ୍ୟାୟକୁ ଆମେ କେବଳ ବୟସ୍କତା ଭାବରେ ନୁହେଁ, ବରଂ ଅନୁଭବ ଓ ଜ୍ଞାନର ଶିଖର ଭାବରେ ଦେଖିବା ଉଚିତ୍ ।
ଆମ ବରିଷ୍ଠ ନାଗରିକମାନେ ଆଜିର ଯୁବ ପିଢି ପାଇଁ ଜୀବନ ଦର୍ଶନ ଓ ନୀତିର ଦୀପଶିଖା । ସେମାନଙ୍କ ପଥ ଆମକୁ ଦେଖାଏ କିପରି ସହିଷ୍ଣୁତା, ଶ୍ରମ ଓ ନୀତିରେ ଆଧାରିତ ଜୀବନ ଗଢ଼ି ତୋଳାଯାଏ । ଆମ ସଂସ୍କୃତିର ମୂଳ ହେଉଛି ଜ୍ୟେଷ୍ଠଙ୍କ ପ୍ରତି ସମ୍ମାନ ।
ଉକ୍ତ ଦିବସରେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ମିଶ୍ର କହିଲେ ଆମ ସମାଜରେ ବରିଷ୍ଠ ନାଗରିକମାନେ ଏକ ଜୀବନ୍ତ ଅନୁଭବ ସଂଗ୍ରହାଳୟ ।
ସେମାନେ ଅନେକ କଷ୍ଟ, ପରିଶ୍ରମ ଓ ତ୍ୟାଗ ଦ୍ୱାରା ଆମ ଦେଶ ଓ ସମାଜକୁ ଏହି ଅବସ୍ଥାରେ ଆଣିଛନ୍ତି ।
ତେଣୁ ଆଜିର ଦିନଟି ସେମାନଙ୍କ ପାଇଁ ଗୌରବର ଓ ସ୍ମୃତିର ଦିନ । ଚିକିତ୍ସା ଓ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ବରିଷ୍ଠ ନାଗରିକମାନଙ୍କ ସୁସ୍ଥ ଜୀବନ ନିଶ୍ଚିତ କରିବା ଆମ ସବୁଠୁ ବଡ଼ ଦାୟିତ୍ୱ ।
ବୟସ ବଢ଼ିବା ସହିତ ଶରୀରରେ ବିଭିନ୍ନ ରୋଗ ଓ ଅସୁବିଧା ସ୍ୱାଭାବିକ ଭାବେ ଆସେ ସେଥିପାଇଁ ସମସ୍ତ ଚିକିତ୍ସା ସହାୟତା ସହିତ ସମୟୋପଯୁକ୍ତ ଜାଗରୁକତା ଓ ମନୋବଳ ରକ୍ଷା କରିବା ଅତି ଆବଶ୍ୟକ ।
ଏହି ପର୍ଯ୍ୟାୟରେ ସେମାନେ ପରିବାରର ସ୍ନେହ ଓ ସମ୍ମାନ ଆଶା କରନ୍ତି । ସେପରି ସମ୍ମାନ ଦେଇ ସେମାନଙ୍କୁ ସକ୍ରିୟ ଓ ଆନନ୍ଦିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ।
ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ନୃସିଂହ ଚରଣ ମହାପାତ୍ର ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ବିଭନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ ଦାବି ରଖିଥିଲେ।
ଉକ୍ତ ଦିବସରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଲମ୍ବୋଦର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୁରମା ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ପ୍ରତି ସ୍ନେହ ଆଦର ସମ୍ମାନ ପ୍ରଦାନ ପୂର୍ବକ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ କହିଲେ ଯାଜପୁର ଜିଲ୍ଲାରେ ସରକାର ଙ୍କ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ୬୦ ରୁ ୭୯ ବର୍ଷ ମଧ୍ୟରେ ୮୮,୭୬୩ ଜଣଙ୍କୁ ଓ ୮୦ ବର୍ଷରୁ ଉର୍ଦ୍ଧ୍ବ ୧୧,୨୦୯ ଜଣଙ୍କୁ ସମୁଦାୟ ୯୯,୯୭୨ ଜଣଙ୍କୁ ଭତ୍ତା ଯୋଗାଇ ଦିଆଯାଉଛି।
ସେହିପରି ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ୬୦ ରୁ ୭୯ ବର୍ଷ ମଧ୍ୟରେ ୫୧,୭୩୭ ଜଣଙ୍କୁ ଓ ୮୦ ବର୍ଷରୁ ଉର୍ଦ୍ଧ୍ବ ୯,୪୪୫ ଜଣଙ୍କୁ ସମୁଦାୟ ୬୧,୧୮୨ ଜଣଙ୍କୁ ଭତ୍ତା ଯୋଗାଇ ଦିଆଯାଉଛି।
ଆଜି ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ବିଶେଷଜ୍ଞ ଡାକ୍ତର ଙ୍କ ଦ୍ୱାରା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।
ଶେଷରେ ଅନ୍ୱେଷଣ ଥିଏଟର ଗ୍ରୁପ ର କଳାକାର ମାନଙ୍କ ଦ୍ବାରା ସାମାଜିକ ବାର୍ତ୍ତାବହ ପ୍ରସ୍ତୁତ ନାଟକ ପରିବେଷଣ କରାଯାଇଥିଲା। ଉକ୍ତ କାର‌୍ୟ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ ବୃନ୍ଦ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।
ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମକର୍ତ୍ତା ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930