Indus Valley Times

ନିଲମ୍ବିତ ହେଲେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ, ମୃତକଙ୍କ ପରିବାରକୁ ଟଙ୍କା ମାଗିବା ପଡ଼ିଲା ମହାଙ୍ଗା

 Breaking News

ନିଲମ୍ବିତ ହେଲେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ, ମୃତକଙ୍କ ପରିବାରକୁ ଟଙ୍କା ମାଗିବା ପଡ଼ିଲା ମହାଙ୍ଗା

October 22
18:40 2024

ବରଗଡ଼, ୨୨/୧୦ : ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରି ସାରା ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହୃଷିକେଶ ଭୋଇଙ୍କୁ ସରକାରୀ ଚାକିରିରୁ ନିଲମ୍ବନ କରାଯାଇଛି। ଆଜି ବରଗଡ଼ ସିଡିଏମ୍‌ଓ ନିରୂପମା ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି।
ହୃଷିକେଶ ଭୋଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। କିଛି ଦିନ ତଳେ ସେ ଏକ ମୃତଦେହ ନେଇ ଗାଇସିଲାଟ ବ୍ଲକର ଏକ ଗାଁକୁ ଯାଇଥିଲେ।
ସେଠାରେ ମୃତଦେହ ପହଞ୍ଚାଇବା ପରେ ସେ ମୃତକଙ୍କ ପରିବାର ଲୋକଙ୍କୁ ୩୦୦୦ ଟଙ୍କା ମାଗିଥିଲେ। ମୃତକଙ୍କ ପରିବାର ଲୋକେ ହୃଷିକେଶଙ୍କୁ ୩୦୦୦ ଟଙ୍କା ଦେଇଥିଲେ ଓ ପରେ ଘଟଣା ସଂପର୍କରେ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।
ହୃଷିକେଶଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପର୍କରେ ଅବଗତ ହେବା ପରେ ବରଗଡ଼ ସିଡିଏମ୍‌ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ହୃଷିକେଶଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଇବା ସହିତ ଘଟଣାର ତଦନ୍ତ କରିବା ପାଇଁ ଏକ ଟିମ୍ ଗଠନ କରିବାକୁ ଜିଲ୍ଲାପାଳଙ୍କୁ ଅନୁମତି ମାଗିଥିଲେ ସିଡିଏମ୍‌ଓ।
ତଦନ୍ତ ବେଳେ ହୃଷିକେଶ ଭୋଇଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ବୋଲି ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣା ନେଇ ହୃଷିକେଶ ଭୋଇଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930