ବଦଳୁଛି ସରକାର ବଦଳୁନି ରାସ୍ତା ଘାଟ ସମସ୍ୟା : ୫ ବର୍ଷ ପରେ ମଧ୍ୟ ରାସ୍ତା ନିର୍ମାଣ ନୋହିଲା
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୮/୭ : ବର୍ଷ ବର୍ଷ ବିତି ଯାଉଛି, ସରକାର ପରେ ସରକାର ଆସୁଛି, କିନ୍ତୁ ବଦଳୁନାହିଁ ଗ୍ରାମାଞ୍ଚଳ ର ରାସ୍ତା ଘାଟ ସମସ୍ୟା, ଏପରି ଏକ ଘଟଣା ଦେଖିବାକୁ ମିଳିଛି, ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଶେଷ ହେଉନଥିବା ଅଭିଯୋଗ ଆଣିଛନ୍ତି ପଞ୍ଚାୟତବାସୀ । କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ବାରଖମା ଠାରୁ ମିଡିଆକିଆ ଓ ମିଡିଆକିଆ ଠାରୁ ଜକିକିଆ ମୁଖ୍ୟ ରାସ୍ତାରେ ରାସ୍ତା ପ୍ରଶସ୍ତ କରିବାକୁ ବାଲିଗୁଡା ପୂର୍ତ୍ତ ବିଭାଗ ଦ୍ବାରା ଟେଣ୍ଡର ଡକାଯାଇ କାମ ଆରମ୍ଭ ହୋଇଥିଲା ।
୫ ବର୍ଷ ବିତିବା ସହ ଦୁଇରୁ ତିନି ଜଣ ଠିକାଦାର ପରିବର୍ତ୍ତନ ହୋଇଛନ୍ତି, ତଥାପି ୫୯ ନଂ ଜାତୀୟ ରାଜପଥ ଠାରୁ ପ୍ରାୟ ଦଶ କି.ମି.ରୁ ଅଧୂକ ରାସ୍ତା ନିର୍ମାଣ ଶେଷ ହେଉନି ।
ରାସ୍ତାର ଦୁଇ ପାର୍ଶ୍ବ ଖୋଳି ଦିଆ ଯାଇଥିବାରୁ ବସ୍ କିମ୍ବା କୌଣସି ବଡ଼ ଯାନବାହନ ଚଳାଚଳରେ ଅସୁବିଧା ସହିତ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
ଏ ନେଇ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ସ୍ଥାନୀୟ ଅଧୂକାରୀଙ୍କୁ ଭେଟି ମିଡିଆକିଆ ସରପଞ୍ଚ ଅଶୋକ ମଲ୍ଲିକଙ୍କ ସମେତ ଅଞ୍ଚଳବାସୀ ପୁଣି ଅବଗତ କରି ଶୀଘ୍ର ସମାଧାନ କରିବାକୁ ଦାବି କରିଛନ୍ତି ।
ଦୁଇ ନଦୀ ମଝିରେ ରହିଛି ଗଞ୍ଜୁରୁପଡି ଗ୍ରାମ :ବର୍ଷା ଆସିଲେ ସମ୍ପୂର୍ଣ୍ଣ ଜଳ ବନ୍ଦୀ : ପ୍ରଶାସନ ବେଫିକର
ବାଲିଗୁଡ଼ା, ୨୮/୭ : ଦୁଇ ନଦୀ ମଝିରେ ଗାଁ । ବାରମ୍ବାର ଦାବି ପରେ ମଧ୍ୟ ନିର୍ମାଣ ହୋଇପାରୁନି ସେତୁ । ଏଭଳି ଅଭିଶପ୍ତ ଜୀବନ ବିତାଉଛନ୍ତି ବାଲିଗୁଡା ବ୍ଲକ ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର ଗୁଞ୍ଜୁରୁପଡି ଗ୍ରାମବାସୀ ।
ନଦୀ ଉପରେ ସେତୁ ନିର୍ମାଣ ପାଇଁ ଜନପ୍ରତିନିଧୂଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବହୁବାର ନେହୁରା କରି କୌଣସି ସୁଫଳ ମିଳୁନି ।
ଦୁଇ ନଦୀ ମଝିରେ ରହିଛି ଗଞ୍ଜୁରୁପଡି ଗ୍ରାମ । ବିଭିନ୍ନ କାର୍ଯ୍ୟରେ ଗ୍ରାମବାସୀଙ୍କ ଠାରୁ ଆରମ୍ଭକରି ବିଦ୍ୟାର୍ଥୀ ସିନ୍ଦ୍ରିଗାଁ ଏବଂ ବାଲିଗୁଡା ଉପରେ ନିର୍ଭର କରୁଛନ୍ତି ।
ଖରା ଏବଂ ଶୀତ ଦିନରେ କୌଣସି ପ୍ରକାରେ ନଦୀ ପାରି ହୋଇଥାନ୍ତି କିନ୍ତୁ ବର୍ଷା ଦିନରେ ନଦୀ ଜଳସ୍ତର ବଢ଼ିଯାଏ । ତେଣୁ ଗ୍ରାମବାସୀ ଏକ ପ୍ରକାର ଜଳବନ୍ଦୀ ଘେରରେ ରହିଥାନ୍ତି । ନଦୀ ପାରି ପାଇଁ ଲୋକେ ଦେଶୀ ଡ଼ଙ୍ଗା ଉପରେ ଭରସା କରିଥାନ୍ତି ।
ଏଥିରେ ମାତ୍ର ଦୁଇ ଜଣ ଯାତାୟାତ କରୁଛନ୍ତି । ଅଧୂକ ଲୋକେ ଡଙ୍ଗାରେ ଗଲେ ବିପଦ ମାଡ଼ିଆସେ ଏବଂ ଅନେକ ସମୟରେ ଡ଼ଙ୍ଗା ନଦୀ ମଝିରେ ବୁଡି ମୃତାହତ ହୋଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
କିନ୍ତୁ ବର୍ତମାନ ଦେଶୀ ଡ଼ଙ୍ଗା ବି ଭାଙ୍ଗିବା ଅବସ୍ଥାରେ ରହିଛି । ଡଙ୍ଗାରେ ନାଉରିଆ ନଥିଲେ ଜରୁରୀ କାମ ପଡିଲେ ଲୋକେ ନଦୀ ଭିତରେ ପଶି ଜୀବନକୁ ବାଜି ଲଗାଇ ହାତକୁ ହାତ ଧରି ବାଡ଼ି ସାହାଯ୍ୟରେ ନଦୀ ପାର ହୋଇଥାନ୍ତି ।
ନଦୀରେ ଅଧିକ ପାଣି ପ୍ରବାହିତ ହେଲେ ଜଳସ୍ତର ଖସିଲା ପର୍ୟ୍ୟନ୍ତ ଲୋକେ ନଦୀ କୂଳରେ ରାତି ତମାମ ଅପେକ୍ଷା କରିଥାନ୍ତି । ନଦୀରେ ପାଣି ଆସିଲେ ବିଦ୍ୟାର୍ଥୀ ଙ୍କ ବିଦ୍ୟାଳୟ ଓ କଲେଜ ଯିବା ବନ୍ଦ ହୁଏ ।
ଗ୍ରାମ ଟି ବାଲିଗୁଡା ସହରରୁ ମାତ୍ର, ୩ ରୁ ୪ କିମି ରାସ୍ତା ଓ ଏହି ଗ୍ରାମରେ ଶତାଧିକ ଲୋକ ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ଦିନ ହେଲା ବସବାସ କରିଆସୁଛନ୍ତି ।
ଏହି ଗ୍ରାମରେ ଗୋଟିଏ ଅଙ୍ଗନବାଡି ରହିଛି ଗ୍ରାମରେ ପକ୍କା ରାସ୍ତା ଟିଏ ନାହିଁ । ମୌଳିକ ସିବିଧାରୁ ବଂଚିତ ଅଛନ୍ତି ଗ୍ରାମବାସୀ ।
ନଦୀ ଉପରେ ସେତୁ ନିର୍ମାଣ ସହିତ ଉନ୍ନତ ଡଙ୍ଗା ବ୍ୟବସ୍ଥା କରିବାକୁ ବାରମ୍ବାର ପଞ୍ଚାୟତ କାର୍ୟ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲାପାଳ, ବିଧାୟକ ଓ ସାଂସଦ ଙ୍କ ପାଖରେ ଙ୍କ ଅଭିଯୋଗ ଏବଂ ଦାବି ଉପସ୍ଥାପନ କରିଛନ୍ତି ।
ତଥାପି କୌଣିସ ପଦକ୍ଷେପ ନିଆ ଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଏ ବାବଦରେ ସିନ୍ଦ୍ରିଗାଁ ସରପଞ୍ଚ ରଘୁନାଥ ମଲ୍ଲିକ କହିଛନ୍ତି ଗୁଞ୍ଜୁରୁପଡି ଗ୍ରାମ ଦୁଇ ପାଖରେ ନଦୀ ରହିଛି ଲୋକେ ବର୍ଷା ଦିନରେ ଜଳବନ୍ଦୀରେ ରହୁଛନ୍ତି । ନଦୀ ଉପରେ ସେତୁ ନିର୍ମାଣ ହେଲେ ଗ୍ରାମବାସୀ ଉପକୃତ ହେବେ ବୋଲି କହିଛନ୍ତି ।






