Indus Valley Times

ବନ୍ୟା ସ୍ଥିତ ନିୟନ୍ତ୍ରଣରେ, ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାରର ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ

 Breaking News

ବନ୍ୟା ସ୍ଥିତ ନିୟନ୍ତ୍ରଣରେ, ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାରର ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ

ବନ୍ୟା ସ୍ଥିତ ନିୟନ୍ତ୍ରଣରେ, ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାରର ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ
July 30
18:08 2025

ଭୁବନେଶ୍ୱର, ୩୦/୭ : ରାଜ୍ୟର ୩ଟି ଜିଲ୍ଲାର ୮ଟି ବ୍ଲକର ୮୧ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବାଲେଶ୍ୱରର ୪ଟି ବ୍ଲକ୍‍ ଯଥା ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ଏବଂ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି ।
ବନ୍ୟାଦ୍ୱାରା ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୫୮୬୯ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବନ୍ୟା ସ୍ଥିତି ସମୀକ୍ଷା ପରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆଜି ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂହ ମଧ୍ୟ ଉପସ୍ଥିତ ଥିଲେ।
ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ ଲୋକସେବା ଭବନରେ ଗଣମାଧ୍ୟମ ନିକଟରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ବିଭିନ୍ନ ନଦୀରେ ଜଳସ୍ତର କମୁଛି।
ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଓ ଜଳକା ଆଦି ନଦୀରେ ପାଣି କମିବାରେ ଲାଗିଛି। ବନ୍ୟାପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। କେନ୍ଦୁଝର ଏବଂ ଅନ୍ୟ କିଛି ଜିଲ୍ଲାରେ ବନ୍ୟା ହୋଇଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
୭ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ଆବଶ୍ୟକସ୍ଥଳେ ଗରମ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି।
ଏଥିପାଇଁ ବାଲେଶ୍ୱରରେ ୧୬ଟି, ଭଦ୍ରକରେ ୧୦ଟି ଓ ଯାଜପୁରରେ ୩ଟି ଫ୍ରି କିଚିନର ବ୍ୟବସ୍ଥା କରାଯାଇଛି । ସମୁଦାୟ ପ୍ରାୟ ୧୦ ହଜାର ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ଏବଂ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ।
ବନ୍ୟା ପରେ ଡାଇରିଆ ଏବଂ ଜଳ ବାହିତ ରୋଗକୁ ଏଡ଼ାଇବାକୁ ଜଳ ବିଶୁଦ୍ଧକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଏହାକୁ ଜାରି ରଖିବା ପାଇଁ ସ୍ଥାନୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
କୌଣସି ପରିସ୍ଥିତିରେ ଯେପରି ଡାଇରିଆ ରୋଗର ପ୍ରଭାବ ଦେଖାନଯିବ, ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଥିଲେ।
ଅନେକ ସ୍ଥାନରେ ସାପ କାମୁଡା ପରି ଘଟଣା ଘଟେ ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଏଥିପାଇଁ ବ୍ୟାପକ ପରିମାଣରେ ଆଣ୍ଟିଭେନମ୍ ଓ ଅନ୍ୟାନ୍ୟ ଆବଶ୍ୟକ ଔଷଧ ମହଜୁଦ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ତୁରନ୍ତ କ୍ଷୟକ୍ଷତିର ରିପୋର୍ଟ ଦିଅ
ବନ୍ୟା କ୍ଷୟକ୍ଷତିର ତୁରନ୍ତ ଆକଳନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ପାଇବା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ । ଘର ଭଙ୍ଗା ଏବଂ ଗୋ-ସମ୍ପଦର କ୍ଷୟକ୍ଷତି ରିପୋର୍ଟ ମଗାଯିବା ସହିତ ଯେଉଁ ଗାଁ ଗୁଡ଼ିକରେ ରାସ୍ତା ଖରାପ ହୋଇଯାଇଛି ସେଗୁଡିକ ତୁରନ୍ତ ମରାମତି କରି ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ପର‌୍ୟ୍ୟାପ୍ତ ପରିମାଣରେ ପଶୁଖାଦ୍ୟ ଯୋଗାଇ ଦେବା ପାଇଁ ପରାମର୍ଶ ଦିଆଯାଇଛି।
ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ବର ଜିଲ୍ଲାରେ ୧୭ଟି ଓଡ୍ରାଫ୍‍ ଓ ୧୩ଟି ଅଗ୍ନିଶମ ସେବା ଟିମ୍‍, ଭଦ୍ରକ ଜିଲ୍ଲାରେ ଗୋଟିଏ ଏନଡିଆରଏଫ୍, ଗୋଟିଏ ଓଡ୍ରାଫ ଓ ୧୩ଟି ଅଗ୍ନିଶମ ସେବା ଟିମ୍, ଯାଜପୁର ଜିଲ୍ଲାରେ ଗୋଟିଏ ଓଡ୍ରାଫ ଓ ୧୪ଟି ଅଗ୍ନିଶମ ସେବା ଟିମ୍‍ ମୁତୟନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031