Indus Valley Times

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ୨୮ ରେ କନ୍ଧମାଳ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

 Breaking News

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ୨୮ ରେ କନ୍ଧମାଳ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ୨୮ ରେ କନ୍ଧମାଳ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ
October 27
20:26 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ , ୨୭/୧୦ : ସମ୍ଭାବ୍ୟ ପ୍ରବଳ ବର୍ଷା ଓ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ୨୮ ତାରିଖ ବୁଧବାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏନେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୭ ଅକ୍ଟୋବର ୨୦୨୬ରେ ଜାରି ଆଦେଶ ନଂ. ୧୧୭୮/ଏମ୍‌ଜି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।
ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଛୁଟି ଘୋଷଣା କରାଯାଇଛି।
ତେବେ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହେବ ନାହିଁ। ସେମାନେ ନିଜ ନିଜ ବିଦ୍ୟାଳୟରେ ଉପସ୍ଥିତ ରହି ଦାୟିତ୍ୱ ସମ୍ପାଦନ କରିବେ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି।
ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି।
ସମ୍ଭାବ୍ୟ ବାତ୍ୟାକୁ ନେଇ ବାଲିଗୁଡ଼ା ପ୍ରଶାସନ ସଜାଗ :ବ୍ଲକ କାର‌୍ୟ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍
ବାଲିଗୁଡ଼ା, ୨୭/୧୦: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲିଗୁଡ଼ା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥା କରାଯାଇଛି।
ସମ୍ଭାବ୍ୟ ଭୂସ୍ଖଳନ ଓ ରାସ୍ତା ଅବରୋଧ ଭଳି ପରିସ୍ଥିତିକୁ ଆଖି ଆଗରେ ରଖି ଜେସିବି ମେସିନ୍ ସହ ଅଗ୍ନିଶମ ଟିମ୍‌କୁ ସଜାଗ ରଖାଯାଇଛି।
ଯେକୌଣସି ଜରୁରୀ ପରିସ୍ଥିତିରେ ରାସ୍ତା ସଫା କରିବା ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ଅନ୍ୟପକ୍ଷରେ, ଗର୍ଭବତୀ ମହିଳାମାନଙ୍କ ସୁରକ୍ଷା ଓ ଆବଶ୍ୟକ ସେବା ଯୋଗାଇବା ପାଇଁ ‘ମା’ ଗୃହର ବ୍ୟବସ୍ଥା କରାଯାଇଛି।
ଏଥିସହ ସମ୍ଭାବ୍ୟ ବାତ୍ୟା ସମୟରେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ କର୍ମଚାରୀମାନଙ୍କୁ ରୋଷ୍ଟର ଡ୍ୟୁଟିରେ ନିୟୋଜିତ କରାଯାଇଛି।
ଏନେଇ ବାଲିଗୁଡ଼ା ବିଡିଓ ଅକ୍ଷୟ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ସହ ସଜାଗ ରହିଛି ।
ବିଦ୍ୟୁତ୍ ତାର ବିଛାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ, ୩ ଗିରଫ : ମୃତ କୁଟୁରା ସହ ତାର ଓ ଶିକାର ସାମଗ୍ରୀ ଜବତ
ବାଲିଗୁଡ଼ା, ୨୭/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳର ଧରଣୀମାସ୍କା ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ।
ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ପାହାନ୍ତିଆରେ ବନ କର୍ମଚାରୀମାନେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିବା ଜଣାପଡ଼ିଛି।
ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ମାଲିମୁଣ୍ଡା ଗ୍ରାମର ମନସାଇ ବାଛା (୬୬), ମକର ସୁନା (୩୧) ଏବଂ ଡାକାପୋଥା ଗ୍ରାମର ଗଙ୍ଗାଧର ବାଘ (୩୨)। ଘଟଣାସ୍ଥଳରୁ ଗୋଟିଏ ମୃତ କୁଟୁରା, ୨୧୫ ମିଟର ଜିଆଇ ତାର, ଗୋଟିଏ ବାଉଁଶ ଖୁଣ୍ଟ, ୧୩ଟି ବାଉଁଶ କିଳା ଏବଂ ଦୁଇଟି ହେଡ୍ ଟର୍ଚ୍ଚ ଜବତ କରାଯାଇଛି।
ଏହି ଘଟଣାରେ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ବିଭିନ୍ନ ଧାରାରେ ଓଆର୍ କେସ୍ ନଂ ୩୨/୨୦୨୬ -୨୭ ରୁଜୁ କରାଯାଇଛି।
ଚଢ଼ଉ ଓ ଗିରଫ ଅଭିଯାନରେ ବେଲଘର ସେକ୍ସନ ବନପାଳ ରାଜେଶ୍ୱର ବଡ଼ମାଝୀ, ଗୁମା ସେକ୍ସନ ବନପାଳ ଦୀପକ ପ୍ରଧାନ, ବନରକ୍ଷୀ ଅଜିତ ଦିଗାଳ, ଧୁଡ଼ସି ବନରକ୍ଷୀ ସନ୍ଦୀପ ଦାଶଙ୍କ ସମେତ ବନ ସୁରକ୍ଷା ବାହିନୀର କର୍ମଚାରୀ ମାନେ ସାମିଲ ଥିଲେ। ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଅବୈଧ ଶିକାର ରୋକିବା ପାଇଁ ବନ ବିଭାଗର ଏହି ଅଭିଯାନ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031