Indus Valley Times

ବୌଦ୍ଧ ଜିଲ୍ଲାପାଳଙ୍କ କଣ୍ଟାମାଳ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ : ମହିଳା ମାନଙ୍କ ସହିତ ଧାନ ପଲ୍ହା ରୋଇଲେ ଜିଲ୍ଲାପାଳ

 Breaking News

ବୌଦ୍ଧ ଜିଲ୍ଲାପାଳଙ୍କ କଣ୍ଟାମାଳ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ : ମହିଳା ମାନଙ୍କ ସହିତ ଧାନ ପଲ୍ହା ରୋଇଲେ ଜିଲ୍ଲାପାଳ

July 20
22:49 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୭ : କଣ୍ଟାମାଳ ବ୍ଲକରେ ଅନୁଷ୍ଠିତ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ପରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନାଙ୍କ ସହିତ ଅପରାହ୍ନରେ ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟ, ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ।
ପ୍ରଥମେ ଜିଲ୍ଲାପାଳ କଣ୍ଟାମାଳ ସହର ପାଇଁ ପ୍ରସ୍ତାବିତ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ରକଳ୍ପ ନିମନ୍ତେ ଉଦୟପୁରଠାରେ ଚିହ୍ନଟ ସ୍ଥାନ ପରିଦର୍ଶନ କରି ଏହାର ଉପଯୋଗିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।
ଏହାପରେ ବରଗାଁ ଗ୍ରାମପଞ୍ଚାୟତର ଘୁଚାଙ୍ଗି ଗ୍ରାମରେ ଓଡ଼ିଶା ସରକାରଙ୍କ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହାୟତାରେ ନିର୍ମିତ ଆଦର୍ଶ କୁକୁଡ଼ା ଫାର୍ମ ପରିଦର୍ଶନ କରିଥିଲେ।
ଫାର୍ମର ହିତାଧିକାରୀ କେଶରଞ୍ଜନ ରଣା ୧୦୦୦ ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ ୪ ଲକ୍ଷ ୧୧ ହଜାର ଟଙ୍କା ସବସିଡି ପାଇଥିବା ଜଣାଇଥିଲେ।
ଜିଲ୍ଲାପାଳ ଏହାର ପରିଚାଳନା ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ଏକ ଆଦର୍ଶ ସମନ୍ୱିତ କୃଷି ଫାର୍ମ ରେ ପରିଣତ କରିବା ନିମିତ୍ତ ଚାଷୀଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପରିଦର୍ଶନ ସମୟରେ ଜିଲ୍ଲାପାଳ କ୍ଷେତରେ ଧାନ ରୋପଣ କରୁଥିବା ମହିଳା ଚାଷୀମାନଙ୍କ ସହ ମିଶି ସେମାନଙ୍କ ସୁଖଦୁଃଖ ବୁଝିବା ସହ କିଛି ସମୟ ଧରି ସେମାନଙ୍କ ସହ ଧାନ ରୋପଣରେ ଅଂଶଗ୍ରହଣ କରିଥିଲେ। ଏହି ଦୃଶ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହର ସଞ୍ଚାର କରିଥିଲା।
ଏହାପରେ ସେ ଘୁଚାଙ୍ଗୀ ଗ୍ରାମ ରାସ୍ତା ଏବଂ କୁରୁକୁପା ଗ୍ରାମରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ପକ୍ଷରୁ ନିର୍ମିତ ନୂତନ କଲଭର୍ଟ ପରିଦର୍ଶନ କରି କାର୍ଯ୍ୟର ଗୁଣବତ୍ତା ଓ ଅଗ୍ରଗତିର ସମୀକ୍ଷା କରିଥିଲେ।
କୁଲୁତାଯୋର ଗ୍ରାମପଞ୍ଚାୟତରେ ସେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ର କାର୍ଯ୍ୟକାରିତା ତଦାରଖ କରି ଉପଭୋକ୍ତାମାନଙ୍କ ସହ ଆଲୋଚନା କରିଥିଲେ।
ଲୋକମାନେ ନିୟମିତ ଭାବେ ଖାଦ୍ୟଶସ୍ୟ ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ଉପସ୍ଥାପନ କରିଥିବା ବେଳେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ।
କୁଲୁତାଯୋର ଗ୍ରାମର ମହିଳା ଚାଷୀ ଶ୍ରୀମତୀ ରେଣୁକା ରଣାଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପିତ ଗୋପାଳନ ପ୍ରକଳ୍ପ ପରିଦର୍ଶନ କରିଥିଲେ।
ଏହି ପ୍ରକଳ୍ପରେ ପ୍ରାୟ ୧୦ ଲକ୍ଷ ଟଙ୍କା ସବସିଡି ମିଳୁଥିବା ଜାଣି ଜିଲ୍ଲାପାଳହିତାଧିକାରୀଙ୍କୁ ଉତ୍ସାହିତ କରିଥିଲେ।
ଏହାପରେ ସେ ଫାସେଡ୍ ରେ ଅନୁସୂଚିତ ଜନଜାତି ଛାତ୍ରୀ ନିବାସ ପରିଦର୍ଶନ କରି ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।
ସେମାନଙ୍କ ପାଠପଢ଼ା, ରହଣି, ଖାଦ୍ୟ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କୁ ନିଷ୍ଠାର ସହ ପାଠପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣା ଦେଇଥିଲେ।
ବରପଦର ଗ୍ରାମରେ କଟାବନ୍ଧ ପରିଦର୍ଶନ କରି ସେଠାରେ ପାହାଚ ନିର୍ମାଣ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ପରେ କେଉଟିପାଲି ଗ୍ରାମର ବନ ସୁରକ୍ଷା ସମିତି ଗୃହ ଏବଂ ଗ୍ରାମ୍ୟ ରାସ୍ତା ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।
ଶେଷରେ ପିଟାବାହଲ ଗ୍ରାମର ଖଡ଼ଙ୍ଗ ବ୍ରିଜ ପରିଦର୍ଶନ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତ କରିବା ପାଇଁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ପିଟାବାହଲ ଗ୍ରାମବାସୀ ବନ୍ଦ ହୋଇଥିବା ପ୍ରାଥମିକ ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି ଜଣାଇଥିଲେ। ଜିଲ୍ଲାପାଳ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାପାଳଙ୍କ ଏହି କ୍ଷେତ୍ର ପରିଦର୍ଶନ ସମୟରେ ପ୍ରାଣୀ ସମ୍ପଦ ବିଭାଗ ଅଧିକାରୀ , ବ୍ଲକ୍ ଅଧିକାରୀ, ଯନ୍ତ୍ରୀ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା, ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ଉନ୍ନୟନ କାର୍ଯ୍ୟର ଗୁଣବତ୍ତା ଉପରେ ପ୍ରଶାସନର ଗୁରୁତ୍ୱ ପୁନର୍ବାର ପ୍ରତିଫଳିତ ହୋଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930