ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୬/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୁକ୍ତ) ଆନୁକୂଲ୍ୟରେ ନୁଆସାହି ପାଟ୍ଟଖଣ୍ଡା ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଧୂମଧାମରେ ‘ଗୁରୁଦିବସ ‘ ସହିତ ଚଳିତ ଶିକ୍ଷାବର୍ଷରେ ଅବସର ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ‘ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ’ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୁକ୍ତ) ର ସଭାପତି ସାବତ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଶ୍ରୀମତୀ ସାଗର ବାଳା ତ୍ରିପାଠୀ, ସୁରେଶ ଚନ୍ଦ୍ର ଦାସ ଏବଂ ପବିତ୍ର ମୋହନ ପାଢ଼ୀ ଯୋଗ ଦେଇ ସଂଘର୍ଷମୟ ଶିକ୍ଷକତା ଜୀବନରେ କିପରି ଅବସର ସମୟକୁ ଉପଲବ୍ଧି କରିଥିବା ଅଭିଜ୍ଞତା ଓ ଅନୁଭୂତି ସମ୍ପର୍କ ରେ ଆଲୋକପାତ କରିଥିଲେ ।
ଉକ୍ତ ଉତ୍ସବରେ ‘ଗୁରୁଦିବସ ‘ ସହିତ ଚଳିତ ଶିକ୍ଷାବର୍ଷରେ ଅବସର ନେଇଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଯଥା ଶ୍ରୀମତି ଭଗବତୀ ଦେଇ, ଶ୍ରୀମତୀ ପ୍ରେମଲତା ଦାସ, ସନାତନ ପରିଛା, ପ୍ରଦୀପ୍ତ କୁମାର ବିଶ୍ୱାଳ, ଏବଂ ରମେଶ ଚନ୍ଦ୍ର ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ଶ୍ରୀମତୀ ଗାୟତ୍ରୀ ପାଳ, ଶ୍ରୀମତୀ ସୌଦାମିନୀ ସାହୁ, ରାଜକିଶୋର ଦିଗାଲ, ଲାବଣ୍ୟ ନାୟକ, ଅଲେଖ ରଣା, ସଚଳା ମିଶ୍ର, ସରିତା ପ୍ରଧାନ, ଲଷ୍ମୀପ୍ରିୟା ବେହେରା, ମାନସ କୁମାର ସାହୁ, ପ୍ରଶାନ୍ତ କୁମାର ବେହେରା, ଦିଲୀପ କୁମାର ଦିଗାଳ ତଥା ନୂତନ ଗଭର୍ଣ୍ଣି ବଡିର ସଦସ୍ୟ ସଦସ୍ୟା ବୃନ୍ଦ ଏବଂ ନୂତନ ପେନସନ ଯୋଜନା ଭୁକ୍ତ ସମସ୍ତ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଶିକ୍ଷକ ଉତ୍କଳ କେଶୋରୀ ବିଭାର ଏବଂ ରବୀନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅଲେଖ ରଣା ଧନ୍ୟବାଦ ଅର୍ପଣ କରିଥିଲେ
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
ବାଲିଗୁଡା, ୬/୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୧୧ ନଂ ୱାର୍ଡର ଗଲିଆଡଙ୍ଗର ପାହାଡ଼ ଉପର ଜଙ୍ଗଲରୁ ଝୁଲନ୍ତା ମୃତଦେହ ରବିବାର ଠାବ କରିଛି ବାଲିଗୁଡା ପୋଲିସ । ଘଟଣା ରୁ ପ୍ରକାଶ ଯେ, ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ଗଛ ଉପରୁ ଅଜଣା ଗଳିତ ଝୁଲନ୍ତା ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି। ହେଲେ ଏ ପର୍ଯ୍ୟନ୍ତ ମୃତ ଶରୀର କୌଣସି ପରିଚୟ ମିଳି ପାରି ନଥିବା ବେଳେ ବାଲିଗୁଡ଼ା ଥାନା ପୋଲିସ ପକ୍ଷରୁ କେଶ ନଂ.୨୬/ ୨୦୨୬ ରେ ଏକ ଅପମୃତ ମାମଲା ରୁଜୁ କରି କିଭଳି କେଉଁ ପରିସ୍ଥିତିରେ ଘଟଣା ଘଟିଛି ସେ ନେଇ ଅଧିକ ତଦନ୍ତ କରୁଥିବା ବିଷୟ ପୋଲିସ ପ୍ରକାଶ କରିଛି ।
କୁଖ୍ୟାତ ଚୋର ଗ୍ୟାଙ୍ଗ ଠାବ, ୪ ଗିରଫ: ବନ୍ଧୁକ, ଛୁରୀ, ବୁଲେଟ୍ ସହ ନଗଦ ଟଙ୍କା ଜବତ
ବାଲିଗୁଡା, ୬/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଦୋକାନ ଚୋରି, ଗାଡ଼ି ଚୋରି, ସୁନାଗହଣା ଲୁଟ୍ ଏବଂ ଗାଡ଼ିର ଡିକି ଭାଙ୍ଗି ଟଙ୍କା ଲୁଟ୍ ଭଳି ଘଟଣା ପୁଲିସର ଚିନ୍ତା ବଢ଼ାଇଥିଲା।
ଏହି ଘଟଣା ଗୁଡ଼ିକରେ ସମ୍ପୃକ୍ତ ଏକ ଚୋର ଗ୍ୟାଙ୍ଗକୁ ଠାବ କରି କୋଟଗଡ଼ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ନିକଟରେ କୋଟଗଡ଼ ନୂଆ କୁମ୍ଭାର ସାହିର ମଞ୍ଜୁ ନାୟକଙ୍କ ଘରେ ପଶି ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ସୁନାଗହଣା ସହ ନଗଦ ୨୫ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ ଲୁଟି ନେଇଥିଲେ।
ଏନେଇ କୋଟଗଡ଼ ଥାନାରେ କେସ୍ ନଂ ୧୫୮/୨୦୨୬ ରୁଜୁ ହୋଇଥିଲା। ଥାନା ଅଧିକାରୀ ସମ୍ବିତ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସ ତଦନ୍ତ ଆରମ୍ଭ କରି ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗର ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ନୀଳିମାଝୀଗୁଡ଼ାର ସମିତ କୁମାର ପାଲଟାସିଂ, କୋଟଗଡ଼ର ବିକାଶ ବଳିଆରସିଂ, ରୋହିତ ନାୟକ ଏବଂ ତୁମୁଡ଼ିବନ୍ଧର ରାହୁଲ ମାନସେଟ। ପୁଲିସ ସେମାନଙ୍କ ନିକଟରୁ ନଗଦ ୧୪,୭୦୦ ଟଙ୍କା, ଗୋଟିଏ ବନ୍ଧୁକ, ଗୋଟିଏ ଛୁରୀ, ଗୋଟିଏ ବୁଲେଟ୍ ମୋଟର ସାଇକେଲ ଓ ୨ଟି ମୋବାଇଲ ଫୋନ ଜବତ କରିଛି। ଘଟଣାରେ ଆହୁରି କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସର ତଦନ୍ତ ଜାରି ରହିଛି। ଗିରଫ ୪ ଅଭିଯୁକ୍ତଙ୍କ ର ମେଡିକାଲ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ଜଣାପଡ଼ିଛି।






