Indus Valley Times

ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସେଲ ପ୍ରତିଷ୍ଠା ହେବ: ମୁଖ୍ୟମନ୍ତ୍ରୀ

 Breaking News

ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସେଲ ପ୍ରତିଷ୍ଠା ହେବ: ମୁଖ୍ୟମନ୍ତ୍ରୀ

January 29
17:35 2025

ଭୁବନେଶ୍ୱର, ୨୯/୧: ଉତ୍କର୍ଷ ଓ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମର ବୁଧବାର ହେଉଛି ଦ୍ବିତୀୟ ଦିନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି।
ରାଜ୍ୟରେ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରାଜ୍ୟରେ ଗୋଟିଏ ସ୍ୱତନ୍ତ୍ର ମହିଳା ଶିଳ୍ପ ପାର୍କ ଏବଂ ଇପିକଲରେ ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସେଲ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବୁଧବାର ଉତ୍କର୍ଷ ଓଡ଼ିଶା – ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ ୨୦୨୫ର ଦ୍ୱିତୀୟ ଦିବସରେ ମହିଳା ଉଦ୍ୟୋଗୀମାନଙ୍କ ଆଲୋଚନାଚକ୍ରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଶିକ୍ଷା ହେଉଛି ମହିଳା ସଶକ୍ତୀକରଣର ଚାବିକାଠି । ଆଗାମୀ ବର୍ଷଗୁଡ଼ିକରେ, ମହିଳାମାନଙ୍କୁ ଉଦ୍ୟୋଗୀ ସଫଳତା ପାଇଁ ଆବଶ୍ୟକ ଦକ୍ଷତା ଏବଂ ଜ୍ଞାନ ପ୍ରଦାନ ପାଇଁ ବିଶେଷ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ବିଶ୍ୱବିଦ୍ୟାଳୟ ଏବଂ ବ୍ୟବସାୟିକ ବିଦ୍ୟାଳୟ ସହିତ ସହଯୋଗ କରି ଶିକ୍ଷାଗତ ଏବଂ ବ୍ୟବହାରିକ ବ୍ୟବସାୟ ଅଭିଜ୍ଞତା ପ୍ରଦାନ କରୁଥିବା ଛାତ୍ରବୃତ୍ତି, ଇଣ୍ଟର୍ନସିପ୍‌ ଏବଂ ନେତୃତ୍ୱ କାର୍ଯ୍ୟକ୍ରମ ପ୍ରଦାନ କରାଯିବ ।
ରାଜ୍ୟ ସରକାର ଏକ ଜେଣ୍ଡର-ବଜେଟିଂ ପ୍ରସ୍ତୁତ କରୁଛନ୍ତି । ଚଳିତ ବଜେଟରେ, ରାଜ୍ୟର ମୋଟ ବଜେଟ ବ୍ୟବସ୍ଥା ମଧ୍ୟରୁ ୭୫ ହଜାର ୬୨୩ କୋଟି ଟଙ୍କା ଅର୍ଥାତ ମୋଟ ବଜେଟ୍‌ ଖର୍ଚ୍ଚର ୨୮.୫ ପ୍ରତିଶତ କେବଳ ରାଜ୍ୟର ମହିଳାମାନଙ୍କ ପାଇଁ ଖର୍ଚ୍ଚ କରିବା ପାଇଁ ସ୍ଥିର ହୋଇଛି ।
ଓଡ଼ିଶାର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ । ଏହା ସେମାନଙ୍କୁ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିବା ପାଇଁ ଆବଶ୍ୟକୀୟ ପାଣ୍ଠି ସୁବିଧା ଯୋଗାଇଦେବ ।
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନରେ ମହିଳାମାନଙ୍କ ଯୋଗଦାନକୁ ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ମହିଳା ଉଦ୍ୟୋଗୀଙ୍କ ଅର୍ଥନୈତିକ ନେତୃତ୍ୱରେ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାରତ ତଥା ବିଦେଶ ର ପ୍ରମୁଖ ମହିଳା ଉଦ୍ୟୋଗୀ ଡାଏନା ପିଚୋ, ଧରିତ୍ରୀ ପଟ୍ଟନାୟକ, ସ୍ୱିକୃତି ପଟ୍ଟନାୟକ, ସ୍ମିତା ଅଗ୍ରୱାଲ, ପ୍ରୀତି ବଜାଜ୍‌ ପ୍ରମୁଖଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଶୁଣି ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶାକୁ ଶିଳ୍ପସମୃଦ୍ଧ ରାଜ୍ୟ ରୂପେ ଗଢ଼ିବା ପାଇଁ ମହିଳା ଉଦ୍ୟୋଗୀମାନଙ୍କର ପ୍ରମୁଖ ଯୋଗଦାନ ରହିବ ଏବଂ ସେଥି ପାଇଁ ଆବଶ୍ୟକୀୟ ପଦକ୍ଷେପ ସରକାର ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରାରମ୍ଭିକ ବକ୍ତବ୍ୟ ରଖି ସମସ୍ତ ମହିଳା ଉଦ୍ୟୋଗୀମାନଙ୍କୁ ସ୍ୱାଗତ ଜଣାଇଥିଲେ । ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା କିଭଳି ଭାବରେ ଏକ ସର୍ବୋତ୍କୃଷ୍ଟ ରାଜ୍ୟ ଏବଂ ଏଥି ପାଇଁ ରାଜ୍ୟ ସରକାର ଗ୍ରହଣ କରୁଥିବା ସମସ୍ତ ପଦକ୍ଷେପ ବିଷୟରେ ସେ ଆଲୋଚନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031