Indus Valley Times

ଯାଜପୁର ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

 Breaking News

ଯାଜପୁର ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

October 02
15:55 2024

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨/୧୦: ଆଜି ଯାଜପୁର ଜିଲ୍ଲା ସଦର ମହକୁମାସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଅଛି। ସକାଳ ୮ ଘଟିକା ୩୦ ମିନିଟ ସମୟରେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ପରେ ଜିଲ୍ଲା ସ୍କୁଲ, ଯାଜପୁର ପରିସରରେ ଥିବା ମହାତ୍ମା ଗାନ୍ଧୀ, ଲାଲ ବାହାଦୁର ଶାସ୍ତ୍ରୀ ଏବଂ ସଂସ୍କୃତି ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀ ଓ ଅନ୍ୟ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।
ପରେ ପରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଉତ୍ସବ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପ ଗୁଚ୍ଛ ଅର୍ପଣ କରିଥିଲେ। ପରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।
ଧର୍ମଯାଜକ ପଣ୍ଡିତ କୃଷ୍ଣ ଚନ୍ଦ୍ର ମିଶ୍ର ଗୀତା ପାଠ, ଧର୍ମଯାଜକ ଜୟୀରୁଦ୍ଦୀନ ଖାଁ କୋରାନ ପାଠ ଓ ଧର୍ମଯାଜକ ଶଶି ମିଂଜ ବାଇବେଲ ପାଠ କରିଥିଲେ। ସୁରଧୁନୀ ଗ୍ରୁପ କଳାକାର ମାନଙ୍କ ଦ୍ବାରା ଗାନ୍ଧିଜୀଙ୍କ ଆଶ୍ରମ ଭଜନ ବୈଷ୍ଣବ ଜନତୋ ଏବଂ ରଘୁପତି ରାଘବ ରାଜାରାମ ପରିବେଷଣ କରାଯାଇଥିଲା।
ଏହି ଜୟନ୍ତୀ ଉତ୍ସବରେ ବିଶିଷ୍ଟ ଗାନ୍ଧୀବାଦୀ ଗବେଷକ ଶ୍ରୀ ମିହିର ପ୍ରତାପ ଦାସ ଗାନ୍ଧୀଙ୍କର ୧୫୫ ତମ ଓ ଶାସ୍ତ୍ରୀଙ୍କର ୧୨୧ ତମ ଜନ୍ମ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ଜିବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଜାତିର ପିତା ମହାତ୍ମାଗାନ୍ଧୀ ସତ୍ୟ ଓ ଅହିଂସାର ପ୍ରତୀକ ଥିଲେ। ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଯୋଗଦାନ ଭାରତୀୟ ମୁକ୍ତିସଂଗ୍ରାମକୁ ଏକ ନୂତନ ମୋଡ଼ ଦେଇ ତାଙ୍କୁ ବିଶ୍ଵବାସୀଙ୍କ ନିକଟରେ ମହାମାନବର ମାନ୍ୟତା ଦେଇଥିଲେ। ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀ ଜଣେ ନିଆରା ଜନନାୟକ ଭାବେ ସାରା ବିଶ୍ୱରେ ସୁପରିଚିତ।
ଏହି ଦୁଇ ଯୋଗଜନ୍ମା ବରପୁତ୍ର ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ମାନବଜାତିର ଉନ୍ନତି ପାଇଁ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି। ସେମାନଙ୍କ ତ୍ୟାଗ, ତିତିକ୍ଷା ଓ ବଳିଦାନର ପଟାନ୍ତର ନାହିଁ। ଭାରତୀୟ ମୁକ୍ତି ସଂଗ୍ରାମରେ ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ, ୧୯୩୦ ରେ ଲବଣ ସତ୍ୟାଗ୍ରହ ଓ ୧୯୪୨ ରେ ଭାରତ ଛାଡ଼ ଆନ୍ଦୋଳନର ଫଳ ସ୍ୱରୂପ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଭାରତବର୍ଷ ପରାଧିନତାର ଶୃଙ୍ଖଳାରୁ ମୁକ୍ତ ହେଲା।
ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଗାନ୍ଧୀ ଦର୍ଶନ ଆଜି ସାରା ପୃଥିବୀରେ ଆଦୃତ ହୋଇଛି। ତାଙ୍କ ମତରେ ସବୁ ସମସ୍ୟାର ସମାଧାନର ଚାବିକାଠି ସତ୍ୟ ଓ ଅହିଂସା ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ପ୍ରାତଃ କାଳରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସହରରେ ରାମଧୂନ ପରିବେଷଣ କରାଯାଇଥିଲା। ସକାଳ ଘ. ୬.୩୦ ମି. ସମୟରେ ଜିଲ୍ଲା ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବାପୁଜୀଙ୍କ ବାଣୀ ସମ୍ବଳିତ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲା ସ୍କୁଲ ପରିସରରୁ ବାହାରି ଗାନ୍ଧୀ ଛକ ଦେଇ ସଂସ୍କୃତି ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବେ ତହସିଲଦାର ତଥା ନିର୍ବାହୀ ଅଧିକାରୀ ପୌର ପରିଷଦ ଯାଜପୁର ଶ୍ରୀ ଅରବିନ୍ଦ ବେହେରା, ସମସ୍ତ ଧର୍ମଯାଜକ, ମୁଖ୍ୟବକ୍ତା ଶ୍ରୀ ମିହିର ପ୍ରତାପ ଦାସ ଯୋଗଦେଇଥିଲେ।
ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜୟନ୍ତୀ ଉତ୍ସବରେ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31