Indus Valley Times

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି?ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ

 Breaking News

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି?ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି?ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ
September 06
22:09 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୬/୯ :ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମିକୁ ନେଇ ବଲାଙ୍ଗୀର ରେ ଉଠିଥିବା ପ୍ରଶ୍ନ ଏବେ କେବଳ ଜମିରେ ସୀମିତ ନାହିଁ।ପ୍ରଶ୍ନ ଉଠୁଛି,ଏହି ଜମିର ମୂଳ ସ୍ଥିତି କ’ଣ?
କେଉଁ ଉଦ୍ଦେଶ୍ୟରେ ଜମି ଦିଆଯାଇଥିଲା?ବର୍ତ୍ତମାନ ଏହାର ବ୍ୟବହାର ମୂଳ ଉଦ୍ଦେଶ୍ୟ ସହ ସମନ୍ୱିତ କି?ଏବଂ ସବୁଠାରୁ ବଡ଼ ପ୍ରଶ୍ନ,ଏହି ସମଗ୍ର ପ୍ରସଙ୍ଗରେ ସରକାରୀ ଦଲିଲ କ’ଣ କହୁଛି?
ପ୍ରସଙ୍ଗଟି ଆହୁରି ଗୁରୁତ୍ୱ ପାଇଛି,କାରଣ ବଲାଙ୍ଗୀରର ତିନିଜଣ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱ ଏହାକୁ ନେଇ ନିଜ ନିଜ ମତ ରଖିଛନ୍ତି।
ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ମତାନୁସାରେ,ପୂର୍ବତନ ସରକାରଙ୍କ କୌଣସି ନିଷ୍ପତ୍ତିରେ ତ୍ରୁଟି ଥିଲେ ତାହାର ସୁଧାର ହେବା ଆବଶ୍ୟକ।ଆବଶ୍ୟକତା ଅନୁଯାୟୀ ଆଇନଗତ ପଦକ୍ଷେପ ନେବା ଓ ଅନିୟମିତ ନିର୍ମାଣ ଥିଲେ ତାହାର ସମୀକ୍ଷା କରାଯିବା ନେଇ ମଧ୍ୟ ମତ ସାମ୍ନାକୁ ଆସିଛି।
ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ମତ ମଧ୍ୟ ପ୍ରସଙ୍ଗକୁ ନୂଆ ଦିଗ ଦେଇଛି।ଯଦି ଜମି ନିୟମବିରୋଧୀ ଭାବେ ନିଆଯାଇଥାଏ, ତେବେ ତାହା ଫେରାଇ ଦିଆଯିବା ଉଚିତ ବୋଲି ତାଙ୍କ ମତକୁ ନେଇ ଆଲୋଚନା ଚାଲିଛି।
ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜମିର ଐତିହାସିକ ବ୍ୟବହାର ଉପରେ ଆଲୋକପାତ କରିଛନ୍ତି।ତାଙ୍କ ମତାନୁସାରେ,ଜମିର ଏକ ଅଂଶ ପୂର୍ବରୁ ଖେଳକୁଦ ପାଇଁ ବ୍ୟବହୃତ ହେଉଥିଲା।
ତେବେ ଏଠାରେ ଉଠୁଛି ଆଉ ଏକ ବଡ଼ ପ୍ରଶ୍ନ,ଯଦି ଜମିର ଇତିହାସ ଏତେ ଗୁରୁତ୍ୱପୂର୍ଣ୍ଣ,ତେବେ ସମ୍ପୂର୍ଣ୍ଣ ରେକର୍ଡ ସାର୍ବଜନୀନ ହେଉନାହିଁ କାହିଁକି?
ଜମିର ଖାତା,ପ୍ଲଟ୍,ରେକର୍ଡ ଅଫ୍ ରାଇଟ୍ସ,ହସ୍ତାନ୍ତରର ଆଧାର, ବ୍ୟବହାରର ଉଦ୍ଦେଶ୍ୟ ଏବଂ ପରବର୍ତ୍ତୀ ନିଷ୍ପତ୍ତି,ଏସବୁ ତଥ୍ୟ ସାମ୍ନାକୁ ଆସିଲେ ହିଁ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ।
କେବଳ ରାଜନୈତିକ ବୟାନ ନୁହେଁ,ଦଲିଲ ଆଧାରିତ ତଦନ୍ତ ହିଁ ଏହି ପ୍ରସଙ୍ଗରେ ଆବଶ୍ୟକ।
ଏହି ସମସ୍ତ ଚର୍ଚ୍ଚା ମଧ୍ୟରେ ବଲାଙ୍ଗୀର ନାଗରିକ କମିଟିର ଭୂମିକାକୁ ନେଇ ଏବେ ପ୍ରଶ୍ନ ଆହୁରି ତୀବ୍ର ହେଉଛି।
ସହରର ଜନସ୍ୱାର୍ଥ,ଜମି,ଶିକ୍ଷା,କ୍ରୀଡ଼ା ଓ ବିକାଶ ସମ୍ପର୍କିତ ପ୍ରସଙ୍ଗ ରେ ନାଗରିକ ସମାଜର ସ୍ୱର ହେବା ଯଦି କମିଟିର ଦାୟିତ୍ୱ, ତେବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ତାହାର ସ୍ପଷ୍ଟ ଆଭିମୁଖ୍ୟ କ’ଣ?
ରାଜନୈତିକ ନେତାମାନେ ମତ ରଖିସାରିଲେଣି।ଜମିର ଇତିହାସ ନେଇ ଆଲୋଚନା ହେଉଛି।
ଷ୍ଟେଡିୟମ୍ ଓ ଜମି ବ୍ୟବହାର ନେଇ ମଧ୍ୟ ପ୍ରଶ୍ନ ଉଠୁଛି।ତଥାପି ନାଗରିକ କମିଟି ପକ୍ଷରୁ ଏପର୍ଯ୍ୟନ୍ତ ଏକ ସ୍ପଷ୍ଟ,ତଥ୍ୟଭିତ୍ତିକ ଓ ଆନୁଷ୍ଠାନିକ ମତ କାହିଁକି ଆସିନାହିଁ।ଏହାକୁ ନେଇ ଚର୍ଚ୍ଚା ବଢ଼ୁଛି।
ନିରବତା କ’ଣ ନିରପେକ୍ଷତା,ନା ଅପେକ୍ଷା?
ଏହା ହିଁ ଏବେ ସହରର ମୁଖ୍ୟ ପ୍ରଶ୍ନ।
ନାଗରିକ କମିଟି ଜମି ସମ୍ପର୍କିତ ସମସ୍ତ ଦଲିଲ ସାର୍ବଜନୀନ କରିବାକୁ ଦାବି କରିବ କି?ଐତିହାସିକ ତଥ୍ୟର ସ୍ୱାଧୀନ ଯାଞ୍ଚ କରିବାକୁ ପ୍ରଶ୍ନ ଉଠାଇବ କି?ସରକାରଙ୍କ ନିକଟରେ ସ୍ପଷ୍ଟୀକରଣ ମାଗିବ,ନା ଏହି ପ୍ରସଙ୍ଗ ରାଜନୈତିକ ବୟାନରେ ହିଁ ସୀମିତ ରହିଯିବ?
ବଲାଙ୍ଗୀରବାସୀଙ୍କ ଦାବି ଏବେ,କଥା ନୁହେଁ,ଦଲିଲ ଆସୁ,ବୟାନ ନୁହେଁ,ସତ୍ୟ ସାମ୍ନାକୁ ଆସୁ।
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମି କାହାର,କେଉଁ ଉଦ୍ଦେଶ୍ୟରେ ଏହାର ବ୍ୟବହାର ହେବା କଥା ଏବଂ ବର୍ତ୍ତମାନର ସ୍ଥିତି ଆଇନ ସମ୍ମତ କି ନୁହେଁ,ଏହାର ଉତ୍ତର ରାଜନୈତିକ ତର୍କରୁ ନୁହେଁ, ସରକାରୀ ରେକର୍ଡ ଓ ତଥ୍ୟରୁ ମିଳିବା ଆବଶ୍ୟକ।
ଏବେ ପ୍ରଶ୍ନ କେବଳ ଜମିର ନୁହେଁ।ପ୍ରଶ୍ନ ହେଉଛି,ବଲାଙ୍ଗୀରର ଏହି ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ନେଇ କିଏ ଜବାବ ଦେବ?ନାଗରିକ କମିଟି କେବେ ନିଜର ନିରବତା ଭାଙ୍ଗିବ?

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930