ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ସୁଜିତ କୁମାର !
ଭୁବନେଶ୍ୱର, ୧୦/୧୨: ଓଡ଼ିଶାର ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆଜି ବିଧାନସଭା ପକ୍ଷରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ସୁଜିତ କୁମାର ଏକ ମାତ୍ର ପ୍ରାର୍ଥୀ ଥିବା ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ । ଆସନ୍ତା ୧୩ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ । ଯେହେତୁ ସେ ଏକମାତ୍ର ପ୍ରାର୍ଥୀ ରହିଛନ୍ତି, ସେଥିପାଇଁ ନାମାଙ୍କନ ଯାଞ୍ଚ କରାଯାଇ ସେହିଦିନ ହିଁ ଫଳାଫଳ ଘୋଷଣା କରାଯିବ । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଏବଂ ଜଣେ ପ୍ରାର୍ଥୀ ଥିବାରୁ ସୁଜିତ କୁମାର ରାଜ୍ୟସଭା ଯିବା ଏକ ପ୍ରକାର ସୁନିଶ୍ଚିତ ହୋଇସାରିଛି ।
ଗତକାଲି ବିଜେପି ସଂସଦୀୟ ଦଳ କମିଟି ସୁଜିତଙ୍କ ନାଁରେ ମୋହର ମାରିଥିଲା । ମମତା ମହାନ୍ତଙ୍କ ଫର୍ମୂଲାରେ ବିଜେପି ସୁଜିତଙ୍କୁ ପ୍ରାର୍ଥୀ କରିଛି । ଏହା ପରେ ସେ ବିଧାନସଭା ସଚ୍ଚିବାଳୟ ଯାଇ ନାମାଙ୍କନ ଭରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ଜୟ ନାରାୟଣ ମିଶ୍ର , ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହା ପୂର୍ବରୁ ସେ ଇସ୍ତଫା ଦେଇଥିଲେ । ଗତ ସେପ୍ଟେମ୍ବର ୬ ତାରିଖରେ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାର ଗୋଟାଏ ଆସନ ଖାଲି ପଡ଼ିଥିଲା ।