Indus Valley Times

ଶୁଣିଲାନି ପ୍ରଶାସନ: ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ

 Breaking News

ଶୁଣିଲାନି ପ୍ରଶାସନ: ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କଲେ ଗ୍ରାମବାସୀ

November 08
10:13 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୮/୧୧: ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଶହଶହ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ଗ୍ରାମରେ।
ପ୍ରକାଶ ଯେ, ସିମନବାଡ଼ି ପଞ୍ଚାୟତଠାରୁ ମାତ୍ର ୩ କିଲୋମିଟର ଦୂରତାରେ ରହିଛି। ଏହି ଗ୍ରାମ ସେଠାରେ ଶତାଧିକ ପରିବାର ଅନୁସୂଚିତ ଜନଜାତି ଏବଂ ସାଧାରଣବର୍ଗର ଜନସାଧାରଣ ସେମାନଙ୍କ ପାଇଁ ରୋଜଗାର କହିଲେ ଏକମାତ୍ର ଚାଷ ତଥା ହଳଦୀ, ସୋରିଷ, କାନ୍ଦୁଲ, ତିଳା ଆଦି। ତେବେ ଚାଷ ପାଇଁ କୌଣସି ଜଳସେଚନର ବ୍ୟବସ୍ଥା ନ ଥିବା ବେଳେ ଗାଁକୁ ସବୁଦିନିଆ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ଗାଁକୁ ଯିବାକୁ ୨ଟି ନଦୀ ଓ ନାଳ ରହିଛି। କିନ୍ତୁ ପକ୍କା ରାସ୍ତା ନ ଥିବାରୁ ସେହିଗ୍ରାମକୁ କୌଣସି ଆମ୍ବୁଲାନ୍ସ ଯିବା ମଧ୍ୟ ମୁସ୍କିଲ ବର୍ଷାଦିନ ଆସିଲେ ଅଞ୍ଚଳ ବାସୀ ୩ କିମି ଏହି କଚ୍ଚା ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଉଛି। ଅଧିକ ଖର୍ଚ୍ଚାନ୍ତରେ ଅନ୍ୟ ରାସ୍ତାରେ ବୁଲିକି ପ୍ରାୟ ୮ କିଲୋମିଟର ଯିବାକୁ ପଡୁଛି।
ଫଳରେ ପିଡିଏସ୍ ଚାଉଳ ହେଉ କି ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ସେମାନେ ସିମନବାଡ଼ି, ଦାରିଙ୍ଗବାଡ଼ି କିମ୍ବା ଫୁଲବାଣୀ ଯିବାକୁ ଗାଁରୁ ବାହାରିଲେ ସେହି ୩ କିମି କଚ୍ଚା ରାସ୍ତାରେ ଯାତାୟାତ କରୁଛନ୍ତି।
ଗାଁକୁ ଆମ୍ବୁଲାନ୍ସ କିମ୍ବା ଜରୁରୀକାଳିନ ପରିସ୍ଥିତିରେ ଦମକଳ ହେଉ କି ଅନ୍ୟ କିଛି ଗାଡ଼ି ୮ କିଲୋମିଟର ବୁଲିବୁଲି ସେଠାକୁ ଯିବାକୁ ପଡୁଛି। ପିଡିଏସ୍ ପାଇଁ ମଧ୍ୟ ସେ ସମାନ ଦୂରତା ଯିବାକୁ ପଡୁଛି ବୋଲି ଗ୍ରାମର ମୁଖିଆ ରାମଦେଉ ପ୍ରଧାନ, ଦିଲୀପ କୁମାର ପ୍ରଧାନ, ଜଗଦୀଶ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।
ସେମାନେ ଏହି ୩ କିଲୋମିଟର ରାସ୍ତା ସମ୍ପ୍ରସାରଣ ପାଇଁ ପଞ୍ଚାୟତ ଅଧିକାରୀଙ୍କଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରିଛନ୍ତି।
ସେହିପରି ବିଧାୟକ, ଏମ୍‌ପିଙ୍କୁ ମଧ୍ୟ ବହୁବାର ଜଣାଇଥିଲେ ମଧ୍ୟ ଫଳ ଶୂନ। ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଗାନ୍ଧୀ ସୁରକ୍ଷା କମିଟି ପକ୍ଷରୁ ଗାଁ ରାସ୍ତା ମରାମତି କରାଯାଇଛି। ରାସ୍ତାକଡ଼ରେ ଥିବା ଲତାବୁଦାକୁ କଟାଯିବା ସହ ଖାଲଢିପକୁ ସମତଳ ପାଇଁ ମାଟି ଖୋଳି ପକାଯାଇ ଗାତକୁ ପୋତା ଯାଇଛି। ଏନେଇ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଉକ୍ତ ରାସ୍ତା ପାଇଁ ୬ ଲକ୍ଷ ଟଙ୍କା ଅନୁଦାନ ରହିଛି, କିନ୍ତୁ ଉକ୍ତ ଅର୍ଥରେ ମେଟାଲ ବିଛାଯିବାକୁ ଯୋଜନା ରହିଛି ବୋଲି କହିଛନ୍ତି। ତେବେ ପଞ୍ଚାୟତ କାହିଁକି କାର୍ଯ୍ୟ କରିବାରେ ବିଳମ୍ବ କରୁଛି ବୋଲି ପ୍ରଶ୍ନରେ ସେ କହିଛନ୍ତି ମେଟାଲ ବିଛେଇଲେ ଉକ୍ତ ରାସ୍ତାରେ ପୁଣି ବର୍ଷା ଯୋଗୁ ନଷ୍ଟ ହୋଇଯିବ। ତେଣୁ ପିଚୁ ରାସ୍ତା ହେଲେ ସେହି ରାସ୍ତା ଭଲ ହେବ।
ଏନେଇ ଗ୍ରାମ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଉକ୍ତ ରାସ୍ତା ପଞ୍ଚାୟତ ଅଧୀନରେ ରହିଛି, ତେଣୁ ରାଜ୍ୟର ଅନୁଦାନରେ ପକ୍କା ରାସ୍ତା ନିର୍ମାଣ ହୋଇପାରିବ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଉକ୍ତ କାର୍ଯ୍ୟ ହୋଇପାରିବନି ବୋଲି ସେ କହିଛନ୍ତି।
ଏନେଇ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି, ସେ ଏବେ ନୂଆରେ ଏଠି ନିଯୁକ୍ତି ପାଇଛନ୍ତି। ସେ ଏବେ ଶୁଣିଲେ ଖୁବ୍‌ଶୀଘ୍ର ଉକ୍ତ ରାସ୍ତା ସମ୍ପ୍ରସାରଣ ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031