Indus Valley Times

ସିଏମ୍ଓରୁ ହଟିଲେ ଆଇଏଏସ୍ ରୁପାରୋଶନ ସାହୁ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିଲେ

 Breaking News

ସିଏମ୍ଓରୁ ହଟିଲେ ଆଇଏଏସ୍ ରୁପାରୋଶନ ସାହୁ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିଲେ

July 18
23:04 2024

ଭୁବନେଶ୍ୱର, ୧୮/୭: ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ ମାସକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଅଫିସ(ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ)ର ଅଫିସର୍ସ ଟିମ୍ ଗଢ଼ିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ(ସିଏମଓ)ରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ ରତ ରୂପାରୋଶନ ସାହୁଙ୍କୁ ଆଜି ହଟାଇ ଦିଆଯାଇଛି ।
ରୂପାଙ୍କ ବଦଳି ସହ ପୂର୍ବର ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ୍ ଥିବା ସମସ୍ତ ଅଫିସରଙ୍କୁ ସିଏମଓରୁ ହଟାଇ ଦିଆଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଉ ଜଣେ ଅନୁସଚିବ ଓ ୫ଜଣ ସଚିବାଳୟ ସେବା ଅଫିସରଙ୍କୁ ମଧ୍ୟ ନିଯୁକ୍ତି ମିଳିଛି ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର‌୍ୟ୍ୟରତ ୨୦୦୬ ବ୍ୟାଚ୍ ଆଇଏଏସ୍ ରୂପାରୋଶନ ସାହୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।
କିନ୍ତୁ ଆଜି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପଦରୁ ହଟାଇ ଦିଆଯାଇ କେବଳ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ କାର‌୍ୟ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
‘ଟିମ୍ ନବୀନ’ର ପାୱାରଫୁଲ ଅଫିସର ଭାବେ ରୂପା ଓ ତାଙ୍କ ଆଇପିଏସ୍ ସ୍ୱାମୀ ଅନୁପ ସାହୁ ପରିଚିତ ଥିଲେ । ଡିଏସ୍ କୁଟ୍ଟେଙ୍କ ଖାସ୍ ଆଇପିଏସ୍ ଅନୁପ ଏବେବି ଗୁଇନ୍ଦା ବିଭାଗର ଆଇଜି ଅଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଇଏଏସ୍ ଅରିନ୍ଦମ ଡାକୁଆ ଓ ଅତିରିକ୍ତ ସଚିବ ଭାବେ ଆଇଏଏସ୍ ଅନୁପମ ଶାହଙ୍କୁ ଗତକାଲି ନିଯୁକ୍ତି ମିଳିବା ପରେ ସେମାନେ ଆଜି ନିଜ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆଜି ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ କାର୍ଯ୍ୟରତ ଅନୁସଚିବ ଭାବେ ପ୍ରଦୀପ କୁମାର ସାମଲଙ୍କୁ ବଦଳି ହୋଇଛି ।
ସେହିପରି ପୂର୍ତ୍ତ ବିଭାଗର ସେକ୍ସନ ଅଫିସର ବିଶ୍ୱଜିତ୍ ସାମଲ, ଅର୍ଥ ବିଭାଗର ସେକ୍ସନ ଅଫିସର ରୋହିତରଞ୍ଜନ ନାୟକ, ସାଧାରଣ ପ୍ରଶାସନ ବିଭାଗର ସେକ୍ସନ ଅଫିସର ଦୀପକ ମାଝୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଦୁଇଜଣ ଆସିଷ୍ଟାଂଟ ସେକ୍ସନ ଅଫିସର ସଞ୍ଜୟ କୁମାର ସୋରେନ ଓ ସତ୍ୟସଙ୍କେତ ଜେନାଙ୍କୁ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟକୁ ବଦଳି କରାଯାଇଛି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିକୁଞ୍ଜ ବିହାରୀ ଧଳଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ବରିଷ୍ଠ ଓଏଏସ୍ ଚିତ୍ରସେନ ରାଉତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିିରକ୍ତ ସଚିବ, ବରିଷ୍ଠ ଓଏଫଏସ୍ ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ, ଓଏଏସ୍ ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଦେବୀପ୍ରସାଦ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ, ଓଏଏସ୍ ଶୁଭେନ୍ଦୁ ପଟ୍ଟନାୟକ ଓ ସମୀର ରଞ୍ଜନ ଦାଶଙ୍କ ସମେତ ଉପସଚିବ ଓ ସତୀଶ ଚନ୍ଦ୍ର ସାମଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସହାୟକ ଭାବେ ନିଯୁକ୍ତି ମିଳିଛି ।
ସୂଚନାଯୋଗ୍ୟ, ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାପରେ ସିଏମଓରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଟିମ୍ ନବୀନ’ ଭାବେ କାର୍ଯ୍ୟ କରିଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆଇଏଏସ୍ ଆର.ଭିନିଲକ୍ରିଷ୍ଣା, ଆଇପିଏସ୍ ଡିଏସ୍ କୁଟ୍ଟେ, ବରିଷ୍ଠ ଓଏଏସ୍ ଲାଲା ମନୋଜ କୁମାର ରାୟ, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ରବୀନ୍ଦ୍ର କୁମାର ସେଠୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଆଦିତ୍ୟ କୁମାର ମହାପାତ୍ର ଓ ଶୁଭ୍ରାଂଶୁ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ମନୋଜ କୁମାର ସ୍ୱାଇଁ ଙ୍କୁ ବଦଳି କରିଦେଇଥିଲେ । ତେବେ ଏହି ଅଫିସରଙ୍କ ମଧ୍ୟରୁ ଆଦିତ୍ୟ କୁମାର ମହାପାତ୍ରଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ବଦଳି କରାଯାଇଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031