Indus Valley Times

ହାତୀପଲଙ୍କୁ ଜଗିବ ଏଆଇ ଟାୱାର। ହାତୀ ରେଳ ଦୁର୍ଘଟଣା ରୋକିବାକୁ ବଡ଼ ପଦକ୍ଷେପ

 Breaking News

ହାତୀପଲଙ୍କୁ ଜଗିବ ଏଆଇ ଟାୱାର। ହାତୀ ରେଳ ଦୁର୍ଘଟଣା ରୋକିବାକୁ ବଡ଼ ପଦକ୍ଷେପ

ହାତୀପଲଙ୍କୁ ଜଗିବ ଏଆଇ ଟାୱାର। ହାତୀ ରେଳ ଦୁର୍ଘଟଣା ରୋକିବାକୁ ବଡ଼ ପଦକ୍ଷେପ
February 20
07:30 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୦/୨ : ଖୋରଧା ବନଖଣ୍ଡରେ ହାତୀ ପଲଙ୍କୁ ଜଗିବ ଆର୍ଟିଫେସିଆଲ୍ ଇଣ୍ଟେଲିଜେନ୍ସ କ୍ୟାମେରା ଯୁକ୍ତ ଟାୱାର (ଏଆଇ ଟାୱାର)। ବିଶେଷ କରି ରେଳ ଧାରଣାରେ ଏମାନଙ୍କ ଚଳାଚଳ କେମିତି ତାହା ଉପରେ ନଜର ରଖିବ ଏଆଇ କ୍ୟାମେରା । ସେଥିପାଇଁ ଖୋରଧା ବନଖଣ୍ଡରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
ଖୋରଧା ବନଖଣ୍ଡ ଅଧୀନସ୍ଥ ଜଟଣୀ ଅରଗୁଳୁଠାରୁ ଗଙ୍ଗାଧରପୁର ଯାଏଁ ଲମ୍ବିଥିବା ରେଳଧାରଣା ଉପରେ ହାତୀଙ୍କ ଚଳାଚଳ ଉପରେ ନଜର ଦେବା ପାଇଁ ମୋଟ୍ ତିନି କୋଟି ଟଙ୍କାର ଏ ପ୍ରକଳ୍ପ ପ୍ରସ୍ତାବିତ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଦୁଇ କୋଟିର କାମ ଆରମ୍ଭ ହୋଇଯାଇଥିବା ଖୋରଧା ବନଖଣ୍ଡ ଅଧିକାରୀ ଲାଡ଼େ ଗଜାନନ ପ୍ରକାଶ କରିଛନ୍ତି। ବନଖଣ୍ଡ ଅଧିକାରୀ ଶ୍ରୀ ଗଜାନନଙ୍କ କହିବା ମୁତାବକ, ଅରଗୁଳୁ ଠାରୁ ଗଙ୍ଗାଧରପୁର ରେଳଧାରଣାର ଦୂରତା ହେଲା ପ୍ରାୟ ୫୩ କିଲୋମିଟର ।
ଏହି ଟ୍ରେନ୍ ଲାଇନ୍‌ଟି ହାତୀଙ୍କ ପାଇଁ ବିପଦସଂକୁଳ। ଏହି ୫୩ କିଲୋମିଟର ଦୂରତାର ଟ୍ରେନ୍ ଲାଇନ୍ ଭିତରେ ହାତୀଙ୍କର ମୋଟ୍ ୪-୫ ଟି ପାସିଂ ଜୋନ୍ ରହିଛି।
ଯେଉଁ ବାଟ ଦେଇ ହାତୀପଲ ରେଳଧାରଣାକୁ ଅତିକ୍ରମ କରନ୍ତି । ଏହି ପାସିଂ ଜୋନ୍ ହିଁ ଆମ ପାଇଁ ଚିନ୍ତାର କାରଣ ତେଣୁ, ଯଥାସମ୍ଭବ ଆମେ ପାସିଂ ଜୋନ୍ ଦେଇ ହାତୀଙ୍କର
ନିରାପତ୍ତା କେମିତି ରହିପାରିବ, ସେନେଇ ଯୋଜନା କରୁଛୁ। ରେଳ ବିଭାଗ ସହିତ ଆମର ଏକ କଣ୍ଟ୍ରୋଲ୍ ରୁମ୍ ଏ ଦିଗରେ କାମ କରୁଛି । ତା’ ସତ୍ତ୍ବେ କେତେବେଳେ ବି ହାତୀଙ୍କ ସହିତ ଅବହେଳା ହେବାର ଆଶଂକା ରହିଛି। ସେହି ବିପଦପୂର୍ଣ୍ଣ ଆଶଂକାକୁ ଏଡ଼ାଇବା ପାଇଁ ଆମେ କୃତ୍ରିମ ବୁଦ୍ଧିମତ୍ତା ଯୁକ୍ତ କ୍ୟାମେରାର ଉପଯୋଗ କରିବାକୁ ବସିଛୁ ଜ୍ଝ ଏହି କ୍ୟାମେରା ଆମେରିକାସ୍ଥିତ ଏକ କମ୍ପାନିଠାରୁ ଆସିବ।
ଯାହାର ଟେଣ୍ଡର ପୂନେର ଏକ କମ୍ପାନିକୁ ଦିଆଯାଇଛି। ୩୫ ମିଟର ବିଶିଷ୍ଟ ଏକ ଟାୱାର ପ୍ରଥମେ ଖୁଞ୍ଜାଯିବ, ସେହି ଟାୱାର ଉପରେ ଏହି କୃତ୍ରିମ ବୁଦ୍ଧିମତାଯୁକ୍ତ କ୍ୟାମେରାକୁ ଖଞ୍ଜାଯିବ । ଏହି କ୍ୟାମେରା ଉଭୟ ଦିନ ଓ ରାତିରେ ଦେଖି ପାରିବାର କ୍ଷମତା ଅଛି। ସାଧାରଣ କ୍ୟାମେରା ଠାରୁ ଏହି କ୍ୟାମେରାର ଭିନ୍ନତା ହେଲା, ଏଥିରେ ଥିବା କୃତ୍ରିମ ବୁଦ୍ଧିମତ୍ତା ହାତୀପଲଙ୍କୁ ଚିହ୍ନିପାରିବ। ଥରେ ହାତୀପଲ କ୍ୟାମେରା ଲେନ୍ସକୁ ଆସିଗଲେ, ମୋଟ୍ ୧୪ କିଲୋମିଟର ପରିଧି ଭିତରେ ହାତୀପଲ ଯୁଆଡ଼େ ଯିବେ, ତାହାକୁ ପୂର୍ଣ୍ଣ ରୂପରେ ସେ ଠାବ କରିପାରିବ। ଯାହାର ଟିକିନିଖି ଖବର ସେ କଣ୍ଟ୍ରୋଲ୍ ରୁମ୍‌କୁ ପ୍ରେରଣ କରିବ।
ଏହାର କଣ୍ଟ୍ରୋଲ୍ ରୁମ୍ ଗୋଟିଏ ଖୋର୍ଦ୍ଧା ବନଖଣ୍ଡରେ ରଖାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅନ୍ୟଟି ରେଳ ବିଭାଗ ପାଖରେ ରହିବ। ଏହାଫଳରେ ହାତୀପଲଙ୍କର ଯାତାୟାତ ଉପରେ ଟିକିନିଖି ନଜର ରହିପାରିବ ବୋଲି ଖୋରଧା ବନଖଣ୍ଡ ଅଧିକାରୀ ଶ୍ରୀ ଗଜାନନ ପ୍ରକାଶ କରିଛନ୍ତି।
ସେ କହିଛନ୍ତି,ଏହି ପ୍ରକଳ୍ପ ଅଧୀନରେ ମୋଟ୍ ତିନିଟି ଟାୱାର ଖଞ୍ଜାଯିବାକୁ ଯୋଜନା ରହିଛି। ଯାହା ମୋଟ୍ ୪୨ କିଲୋମିଟର ଲମ୍ବର ରେଳଲାଇନ୍ ଉପରେ ନଜର ରଖିପାରିବ। ପ୍ରଥମ ପର୍ଯ୍ୟାୟରେ ଦୁଇଟି ଟାୱାର ଖଞ୍ଜାଯାଉଛି। ଗୋଟିଏ ରାମେଶ୍ବର ଗାଁ ନିକଟରେ ରହିଥିବା ବେଳେ ଦ୍ଵିତୀୟଟି ଧଉଳିମୁହଁରେ ଖଞ୍ଜାଯାଉଛି।
ଗୋଟିଏ ଟାୱାର ପିଛା କୋଟିଏ ଟଙ୍କାର ଖର୍ଚ୍ଚ ହିସାବ ଶ୍ରୀ ଗଜାନନ ଦେଇଛନ୍ତି। ପରବର୍ତ୍ତୀ ବର୍ଷ ତୃତୀୟ ଟାୱାରଟି ମଙ୍ଗଳାଯୋଡ଼ିରେ ବସିବ ବୋଲି ସେ ପ୍ରକାଶ କରିଛନ୍ତି। ଖୋରଧା ବନଖଣ୍ଡରେ ପ୍ରାୟତଃ ୫୦ ରୁ ୭୨ଟି ହାତୀ ଚଳପ୍ରଚଳ କରୁଛନ୍ତି। ଏହି ହାତୀପଲଙ୍କ ଉପରେ ଏଆଇ ଟାୱାର ଭଲ କାମ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ଏହା ଫଳରେ ହାତୀ -ରେଳ ଦୁର୍ଘଟଣା ରୋକିବାରେ ବଡ଼ ପଦକ୍ଷେପ ହେବ। ପୂର୍ବତଟ ରେଳ ଅଞ୍ଚଳରେ ଅନେକ ସମୟରେ ରେଳ ସହିତ ହାତୀଙ୍କର ଧକ୍କାରେ ହାତୀ ମୃତ୍ୟୁ ଘଟଣା ଦେଖାଯାଇଥିବାରୁ ଏହି ପ୍ରକଳ୍ପକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031