୮ ଜିଲ୍ଲାରୁ ୪୮ ହଜାର ଲୋକଙ୍କୁ ସ୍ଥାନାନ୍ତର, ଗ୍ରାଉଣ୍ଡରେ ଓଡ୍ରାଫ୍, ଏନଡିଆରଏଫ
ଓଡ଼ିଶା, ୨୭/୧୦ : ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାରୁ ପ୍ରାୟ ୪୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ କରାଯାଇଛି। ଅନେକ ସମ୍ବେନଶୀଳ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇ ଶେଷ ହୋଇସାରିଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ।
ସେ କହିଛନ୍ତି,, ସବୁଠାରୁ ଅଧିକ ନବରଙ୍ଗପୁର ଜିଲ୍ଲାରୁ ୧୧,୨୭୦ ଜଣ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି। ସେହିପରି ଗଜପତିରୁ ୧୧,୦୦୦, ମାଲକାନଗିରିରୁ ୯,୮୫୦, ଗଞ୍ଜାମରୁ ୬,୫୦୦, କୋରାପୁଟରୁ ୫,୦୦୦ ଏବଂ ନୂଆପଡ଼ାରୁ ୧,୬୭୫ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସ୍ଥିତିକୁ ଦେଖି ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ।
ବାତ୍ୟା ଅର୍ଣ୍ଣବକୁ ନେଇ ମିଛ ଖବର ପ୍ରଚାର କରୁଛନ୍ତି କି? ସୋସିଆଲ ମିଡିଆରେ ବାତ୍ୟାର ଗତିପଥ, ସ୍ଥଳଭାଗ ଛୁଇଁବା ସ୍ଥାନ ଓ କ୍ଷୟକ୍ଷତିକୁ ନେଇ ମନଗଢ଼ା ସୂଚନା ଦେଉଛନ୍ତି କି? ତେବେ ସାବଧାନ! ଏଭଳି ମିଥ୍ୟା ଓ ଭ୍ରମାତ୍ମକ ସୂଚନା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ଚେତାବନୀ ଜାରି କରାଯାଇଛି।
ସ୍ୱତନ୍ତ୍ର ରିଲିଫ କମିଶନର (ଝଜଉ) ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ବାତ୍ୟା ସମ୍ପର୍କରେ ମିଥ୍ୟା ସତର୍କ ସୂଚନା ପ୍ରଚାର କରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କଲେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ।
ଏହି ଆଇନର ଧାରା ୫୪ ଅନୁସାରେ ମିଥ୍ୟା ବିପର୍ଯ୍ୟୟ ସତର୍କ ସୂଚନା ପ୍ରଚାର କରି ଆତଙ୍କ ସୃଷ୍ଟି କରିବା ଅଭିଯୋଗ ପ୍ରମାଣିତ ହେଲେ ସର୍ବାଧିକ ଏକ ବର୍ଷ ଜେଲ୍ କିମ୍ବା ଜରିମାନା ହୋଇପାରେ।
ସେହିପରି ଅଧିକୃତ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ କର୍ତ୍ତୃପକ୍ଷଙ୍କ ବୈଧ ନିର୍ଦ୍ଦେଶ ଅବମାନନା କରିବା ନେଇ ମଧ୍ୟ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇପାରିବ।
ଖବର ପ୍ରକାଶ କରିବା ପୂର୍ବରୁ ତଥ୍ୟର ସତ୍ୟତା ଯାଞ୍ଚ କରିବାକୁ ଖବରକାଗଜ, ଟିଭି ଚ୍ୟାନେଲ ଓ ଡିଜିଟାଲ ମିଡିଆ ସଂସ୍ଥାଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏଥିସହ ପାଣିପାଗ ସମ୍ପର୍କିତ ସୂଚନାକୁ ଅଧିକୃତ ସୂତ୍ରରୁ ନିଶ୍ଚିତ କରିବାକୁ କୁହାଯାଇଛି।
ୟୁଟ୍ୟୁବ୍, ଫେସବୁକ୍, ହ୍ୱାଟ୍ସଆପ୍ ଓ ଅନ୍ୟ ସୋସିଆଲ ମିଡିଆରେ ମନଗଢ଼ା ବାତ୍ୟା ଗତିପଥ, ଭୁଲ୍ ଲ୍ୟାଣ୍ଡଫଲ୍ ପୂର୍ବାନୁମାନ ଓ ଅତିରଞ୍ଜିତ କ୍ଷୟକ୍ଷତିର ସୂଚନା ପ୍ରଚାର ନକରିବାକୁ ଝଜଉ ଚେତାବନୀ ଦେଇଛନ୍ତି।
ତେଣୁ ବାତ୍ୟାକୁ ନେଇ କୌଣସି ଅପ୍ରମାଣିତ ଖବରରେ ବିଶ୍ୱାସ ନକରିବା ସହ କେବଳ ସରକାର ଓ ଅଧିକୃତ ପାଣିପାଗ ବିଭାଗର ସୂଚନା ଉପରେ ଭରସା କରିବାକୁ ପରାମର୍ଶ ଦିଆଯାଇଛି।






