ଅଧୀକ୍ଷଣ ଯନ୍ତ୍ରୀଙ୍କ ଗାଡ଼ିରୁ ୭.୨୮, ଫ୍ଲାଟ୍ରୁ ୧୪.୬୦ ଲକ୍ଷ ଟଙ୍କା ଜବତ
କଟକ, ୧୭/୧୦ : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। କଟକ ଜଗତପୁରସ୍ଥିତ ମହାନଦୀ ନର୍ଦ୍ଦର୍ଣ୍ଣ (ଉତ୍ତର) ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ବିଭାଗ ତାଙ୍କ ନିକଟରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ କରିଛି।
ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ସଂଗ୍ରହ କରୁଥିବା ଗୁପ୍ତ ସୂଚନା ଆଧାରରେ ଭିଜିଲାନ୍ସ ଟିମ୍ ଭୁବନେଶ୍ୱରର ଏଜି ଛକ ନିକଟରେ ପ୍ରସନ୍ନଜିତ୍ ଦାସଙ୍କ ସରକାରୀ ବୋଲେରୋ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା।
ସେଠାରେ ତାଙ୍କ ଗାଡ଼ିରୁ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ଜବତ କରାଯାଇଥିଲା। ଏହାପରେ ଭିଜିଲାନ୍ସ ଟିମ୍ ଶନିବାର ସକାଳେ ଭୁବନେଶ୍ୱର ଘାଟିକିଆସ୍ଥିତ ‘ଟ୍ରାଇଡେଣ୍ଟ ଗାଲାକ୍ସି’ରେ ଥିବା ତାଙ୍କ ଭଡ଼ା ଘରେ ଉପରେ ଚଢ଼ଉ କରି ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ନଗଦ ଜବତ କରିଛି। ଏହା ସହିତ ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରେ ଥିବା ତାଙ୍କର ପୈତୃକ ଘରେ ମଧ୍ୟ ଚଢଉ କରାଯାଇଛି।
ଜବତ ହୋଇଥିବା ଏହି ବିପୁଳ ପରିମାଣର ଟଙ୍କାର କୌଣସି ସନ୍ତୋଷଜନକ ହିସାବ କିମ୍ବା ବୈଧ ଦସ୍ତାବିଜ୍ ସେ ଦେଇପାରି ନାହାନ୍ତି। ଏହି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନଂ ୨୪ (ତା ୧୬.୧୦.୨୦୨୬) ଅଧୀନରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି ଏବଂ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରହିଛି।






