Indus Valley Times

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ

 Breaking News

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ
September 04
12:22 2026

ତପସ୍ୱିନୀ ସାହୁ

ଭୁବନେଶ୍ୱର,୪/୯ : ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ କଳା ଅନ୍ଧାର ରାତିରେ ଧରାପୃଷ୍ଠରେ ଅବତରଣ କରିଥିଲେ ପ୍ରଭୁ ଶ୍ରୀକୃଷ୍ଣ । କଂସର କାରାଗାରରେ ବାସୁଦେବ ଓ ମା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିଲେ ବାଳକୃଷ୍ଣ ।
ଆଉ ଦିନକୁ ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଇଥାଏ । ଏଥିପାଇଁ ସାରା ଦେଶ ଆଜି ଉତ୍ସବ ମୁଖର । ଉତ୍ତରରୁ ନେଇ ଦକ୍ଷିଣ, ପୂର୍ବରୁ ନେଇ ପଶ୍ଚିମ ସବୁଠି କୃଷ୍ଣ ପ୍ରେମରେ ଭକ୍ତ ବିଭୋର । କାଶୀ, ବୃନ୍ଦାବନ, ଦ୍ୱାରକା, ଜଗନ୍ନାଥ ଧାମରେ ଧୂମ ଧାମରେ ପାଳିତ ହେଉଛି ଶ୍ରୀକୃଷ୍ଣ ଜନ୍ମୋତ୍ସବ ।
ପୌରାଣିକ କଥା ଅନୁସାରେ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ପାଇଁ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଆସିଥିଲେ । ଦେବକୀଙ୍କ ଅଷ୍ଟମ ଗର୍ଭ ବିନାଶର କାରଣ ହେବ ଶୂନ୍ୟବାଣୀ ହେବା ପରେ କଂସ ରାଜା ଭଉଣୀ ଦେବକୀ ଏବଂ ବାସୁଦେବଙ୍କୁ ବନ୍ଦୀ କରିଦେଇଥିଲେ । କଂସ ଗୋଟି ଗୋଟି କରି ଦେବକୀଙ୍କର ସାତଟି ପିଲାଙ୍କୁ ଜନ୍ମ ହେବା ମାତ୍ରେ ମାରି ଦେଇଥିଲେ । କିନ୍ତୁ ଅଷ୍ଟମ ଗର୍ଭରେ ଜନ୍ମ ନେଇଥିଲେ ପ୍ରଭୁ ଶ୍ରୀକୃଷ୍ଣ । ଏହା ପରେ ଗୋପପୁରରେ ନନ୍ଦ ରାଜା ଏବଂ ମା ଯଶୋଦାଙ୍କ ପାଖରେ ବଡ଼ ହୋଇଥିଲେ ।
ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଆଉ ଶ୍ରୀକୃଷ୍ଣ ଆଗମନରେ ସାରା ସଂସାର ନିସ୍ତବ୍ଦ ହୋଇଯାଇଥିଲା । ସାରା ସଂସାର ସେ ରାତିରେ ଶୋଇ ପଡ଼ିଥିଲା । ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହୋଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା। ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତା ବାସୁଦେବଙ୍କୁ କହିଥିଲେ । ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଯମୁନା ନଦୀ ପାର ହୋଇଥିଲେ । ସେପଟେ କଂସଙ୍କ ପିତା ରାଜା ଉଗ୍ରସେନ ବାସୁଦେବଙ୍କୁ ଦେଖି ବାଟ ଓଗାଳିଥିଲେ । କିନ୍ତୁ ପ୍ରଭୁ ଶ୍ରୀକୃଷ୍ଣ ବିଶ୍ୱ ରୂପ ଦେଖିବା ପରେ ଆପେ ଆପେ ବାଟ ଛାଡ଼ି ଦେଇଥିଲେ ଉଗ୍ରସେନ ।
ସେଥିପାଇଁ ଆଜିର ଦିନକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଇଥାଏ । ସମସ୍ତେ ଉପବାସ ରଖି ମଧ୍ୟ ରାତ୍ରିରେ କୃଷ୍ଣଙ୍କ ଜନ୍ମନୀତି ସମ୍ପାଦିତ ହେବା ପରେ ବ୍ରତ ଭାଙ୍ଗନ୍ତି । ଓଡ଼ିଶାରେ ଶ୍ରୀମନ୍ଦିରରେ ଆଜି ଶ୍ରୀକୃଷ୍ଣଙ୍କ ଜନ୍ମନୀତି ପାଳନ କରାଯିବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ ।
ସେହିପରି ମହାରାଷ୍ଟ୍ର ଦହି ହାଣ୍ଡି ଭଙ୍ଗା ଯାଇଥାଏ । ଏକ ମାଟି ହାଣ୍ଡିରେ ଦହି ରଖାଯାଇ ଉପରେ ଟଙ୍ଗା ଯାଇଥାଏ । ଯୁବକମାନେ ଜଣକ ପରେ ଜଣେ ଛିଡ଼ା ହୋଇ ଦହି ହାଣ୍ଡି ଭାଙ୍ଗିବାର ପରମ୍ପରା ରହିଛି । ଉତ୍ତର ପ୍ରଦେଶ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିବାରୁ ଏଠାରେ ଏହି ଉତ୍ସବ ବିଶେଷ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥାଏ । ବୃନ୍ଦାବନରେ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁତ ଆଡ଼ମ୍ବରରେ ପାଳିତ ହୋଇଥାଏ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930