କର୍ତ୍ତବ୍ୟରତ ଅବସ୍ଥାରେ ବଜ୍ରପାତରେ ପ୍ରାଣ ହରାଇଥିବା ଅବକାରୀ ଅଧିକାରୀଙ୍କ ମାଆଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/୧୧ : କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ବଜ୍ରପାତରେ ଅକାଳ ବିୟୋଗ ଘଟିଥିବା ବୌଦ୍ଧ ଅବକାରୀ ବିଭାଗର ପୂର୍ବତନ ଅବକାରୀ ଉପନିରୀକ୍ଷକ (Ex-Sub-Inspector of Excise) ସ୍ୱର୍ଗତ ପୁରୁଷୋତ୍ତମ ବେବର୍ତ୍ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ମଞ୍ଜୁରୀପ୍ରାପ୍ତ ଏହି ଅର୍ଥରାଶି ସ୍ୱର୍ଗତ ବେବର୍ତ୍ତାଙ୍କ ମାତା ଶ୍ରୀମତୀ ଭାଗ୍ୟବତୀ ବେବର୍ତ୍ତାଙ୍କୁ ବୌଦ୍ଧ ଅବକାରୀ ଅଧୀକ୍ଷକ ଶ୍ରୀମତୀ ଶାନ୍ତି ମାରାଣ୍ଡି ପ୍ରଦାନ କରିଛନ୍ତି।
ଶ୍ରୀମତୀ ବେବର୍ତ୍ତା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳର ଶ୍ରାନିକେତ ଗ୍ରାମର ବାସିନ୍ଦା ଅଟନ୍ତି।
ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ପୁରୁଷୋତ୍ତମ ବେବର୍ତ୍ତା ୧୬.୦୬.୨୦୨୫ ତାରିଖରେ ଅବକାରୀ ବିଭାଗରେ ଯୋଗଦାନ କରିଥିଲେ। ମାତ୍ର ପ୍ରାୟ ଏକ ବର୍ଷ ତିନି ମାସର ସ୍ୱଳ୍ପ ଚାକିରି କାଳ ମଧ୍ୟରେ ୨୦.୦୯.୨୦୨୬ ତାରିଖରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ତାଙ୍କର ଅକାଳ ବିୟୋଗ ଘଟିଥିଲା।
ସେଦିନ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସୂଚନା ପାଇ ସ୍ୱର୍ଗତ ବେବର୍ତ୍ତା ନିଜ ସହକର୍ମୀମାନଙ୍କ ସହିତ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଗୋଛାଗୋରା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଖୁଣ୍ଟିଗୋରା ଠାରୁ ଜାମୁଟ ଦିଗକୁ ଯାଉଥିବା ଏକ ଭ୍ୟାନ୍କୁ ଅବକାରୀ କର୍ମଚାରୀମାନେ ଦେଖିଥିଲେ। ଅବକାରୀ କର୍ମଚାରୀଙ୍କୁ ଦେଖି ଗାଡ଼ି ଚାଳକ ଗାଡ଼ିଟିକୁ ରାସ୍ତାରେ ଛାଡ଼ି ଫେରାର ହୋଇଯାଇଥିଲା। ପରେ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ଗାଡ଼ିକୁ ଜବତ କରାଯାଇଥିଲା।
ଏହାର କିଛି ସମୟ ପରେ ଘଟଣାସ୍ଥଳରେ ହଠାତ୍ ବଜ୍ରପାତ ହେବାରୁ ସ୍ୱର୍ଗତ ବେବର୍ତ୍ତା ଗୁରୁତର ଭାବେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଜଣେ ଯୁବ ଅବକାରୀ ଅଧିକାରୀଙ୍କ ଏଭଳି ଅକାଳ ବିୟୋଗ ସମଗ୍ର ଜିଲ୍ଲାରେ ଗଭୀର ଶୋକର ଛାୟା ଖେଳାଇ ଦେଇଥିଲା।ଯୁବ ପୁତ୍ରଙ୍କୁ ହରାଇଥିବା ମାତା ଶ୍ରୀମତୀ ଭାଗ୍ୟବତୀ ବେବର୍ତ୍ତାଙ୍କ ଦୁଃଖ ଓ ଯନ୍ତ୍ରଣା ଅବର୍ଣ୍ଣନୀୟ।
ଏଭଳି ଏକ ଦୁଃଖଦ ସମୟରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଶୋକସନ୍ତପ୍ତ ପରିବାରକୁ କିଛି ମାତ୍ରାରେ ଆର୍ଥିକ ସମ୍ବଳ ଯୋଗାଇବ ବୋଲି ଆଶା ପ୍ରକାଶ କରାଯାଇଛି।
ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସ୍ୱର୍ଗତ ପୁରୁଷୋତ୍ତମଙ୍କ ମାଆଙ୍କୁ ସାନ୍ତ୍ୱନା ଦେଇ ତାଙ୍କ ପୁତ୍ରଙ୍କ କର୍ତ୍ତବ୍ୟନିଷ୍ଠା, ସାହସିକତା ଓ ବଳିଦାନ ଅବକାରୀ ବିଭାଗର ସହକର୍ମୀମାନଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ।







